ଲାଞ୍ଜିଗଡ଼ରେ ବେଦାନ୍ତ ବେଆଇନ!

ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅମାନ୍ୟ କରି ପ୍ରକଳ୍ପ ହୋଇଛି, ଭବାନୀପାଟଣା ସିଭିଲ୍‌ ଜଜ୍‌ ରଦ୍ଦ କଲେ କଂପାନିର ପିଟିସନ୍‌, ସରକାର ଓ ପ୍ରଶାସନର ଅହେତୁକ ଅନୁକଂପା ନେଇ ପ୍ରଶ୍ନ

ଭବାନୀପାଟଣା : ଲାଞ୍ଜିଗଡ଼ରେ ବେଦାନ୍ତ ପ୍ରକଳ୍ପ ବେଆଇନ୍‌। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବେଖାତିର ଓ ଅମାନ୍ୟ କରି ଏହି ପ୍ରକଳ୍ପ ହୋଇଛି। ଗୋଟିଏ କଂପାନି ନାମରେ ଜମି ଅଧିଗ୍ରହଣ ହୋଇଛି ତ ଆଉ ଏକ କଂପାନି ନାଁରେ ପ୍ରକଳ୍ପ ଚାଲୁଛି। ରାଜ୍ୟ ସରକାର ଓ ପ୍ରଶାସନ ଏହାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। କିନ୍ତୁ କୋର୍ଟରେ ଏହି କଂପାନିକୁ ଆଇନଗତ ଝଟ୍‌କା ଲାଗିଛି। ଲାଞ୍ଜିଗଡ଼ରେ କଂପାନିର ଆଲୁମିନା ରିଫାଇନାରୀ ପ୍ରକଳ୍ପର ବୈଧତା ନେଇ ଅଦାଲତରେ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତି କରି ଭବାନୀପାଟଣା ସିଭିଲ ଜଜ୍‌ (ସିନିୟର ଡିଭିଜନ) କଂପାନିର ଆଇନଗତ ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ‘ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌’ ପକ୍ଷରୁ ଦାଖଲ ପିଟିସନ୍‌ (୨୬୧/୨୦୧୦) ଶୁଣାଣି ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି।

ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଓ ନିଜସ୍ବ ବିଦ୍ୟୁତ ଶକ୍ତିକେନ୍ଦ୍ରର ‘ରେଡ୍‌ ମଡ଼୍‌ ପଣ୍ଡ୍‌’ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ ବେଦାନ୍ତ ପକ୍ଷରୁ ୨୫ ଜଣ ସ୍ଥାନୀୟ ଆଦିବାସୀଙ୍କ ନାମରେ ଏହି ପିଟିସନ୍‌ ଦାଏର ହୋଇଥିଲା। ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ସିଭିଲ ଜଜ୍‌ (ସିନିଅର୍‌ ଡିଭିଜନ) ବିଷ୍ଣୁପ୍ରସାଦ ମିଶ୍ର ବେଦାନ୍ତର ପିଟିସନ୍‌କୁ ଖାରଜ କରି ଦେଇଛନ୍ତି।

ନିଜ ରାୟରେ ବିଚାରପତି ଶ୍ରୀ ମିଶ୍ର ଟି.ଏନ୍‌. ଗୋଦାଭର୍ମନଙ୍କ ରିଟ ପିଟିସନ (୨୦୨/୧୯୯୫) ଉପରେ ବିଚାର କରି ସୁପ୍ରିମ କୋର୍ଟ ଦେଇଥିବା ରାୟ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏହି ରାୟରେ ସୁପ୍ରିମ କୋର୍ଟ ବେଦାନ୍ତକୁ ଜଂଗଲ ଜମି ଅଧିଗ୍ରହଣ ଅନୁମତି ଦେଇନଥିଲେ। ସୂଚନାଯୋଗ୍ୟ ଯେ ଲାଞ୍ଜିଗଡ଼ ପ୍ରକଳ୍ପ ପାଇଁ ୫୮.୯୪୩ ହେକ୍ଟର ସଂରକ୍ଷିତ ଜଂଗଲ ଜମି ସହ ମୋଟ ୭୨୩.୩୪୩ ହେକ୍ଟର ଜମି ନିମନ୍ତେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ପକ୍ଷରୁ ସୁପ୍ରିମ କୋର୍ଟରେ ଉପରୋକ୍ତ ପିଟିସନ୍‌ ଦାଏର କରାଯାଇଥିଲା। ଏହାର ଶୁଣାଣି ବେଳେ ସ୍ଥାନୀୟ ଅଧିବାସୀମାନଙ୍କ ପ୍ରତି ବେଦାନ୍ତର ସମ୍ବେଦନହୀନତାର କଥା ବି ଉଠିଥିଲା। ସେ ସମୟରେ ରଏଟର ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ଶୁଣାଣି ପରିସରକୁ ଆସିଥିଲା। ନରୱେରେ ବେଦାନ୍ତର ଏକ ପ୍ରକଳ୍ପ ଶ୍ରମ ଓ ମାନବିକ ଅଧିକାର ଉଲ୍ଲଙ୍ଘନ କରୁଥିବାରୁ ସେ ଦେଶ ସରକାର କିପରି କଂପାନି ବନ୍ଦ କରିଦେଇଥିଲେ ତାହା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ଶୁଣାଣି ସମୟରେ ନଥିପତ୍ର ତନଖି ବେଳେ ଆହୁରି କେ‌େତକ ଅନିୟମିତତା ପଦାକୁ ଆସିଥିଲା। ତେଣୁ ସୁପ୍ରିମ କୋର୍ଟ ବେଦାନ୍ତର ଏହି ପିଟିସନ୍‌କୁ ଅଗ୍ରାହ୍ୟ କରି ଦେଇଥିଲେ। ତେବେ ଷ୍ଟେରଲାଇଟ୍ କଂପାନି ଯଦି ଚାହେ ତେବେ ଆବଶ୍ୟକ ସର୍ତ୍ତ ପୂରଣ କରିବା ପରେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବ ବୋଲି ସୁପ୍ରିମ କୋର୍ଟ ଉକ୍ତ ରାୟରେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବ୍ୟାଖ୍ୟା କରିବା ସହ ଲାଞ୍ଜିଗଡ଼ରେ ବେଦାନ୍ତ ପ୍ରକଳ୍ପର ଆଇନଗତ ବୈଧତା ନେଇ ଭବାନୀପାଟଣା ସିଭିଲ ଜଜ୍‌ଙ୍କ କୋର୍ଟରେ ପ୍ରଶ୍ନ ଉଠାଇଥିଲେ ଆଇନ୍‌ଜୀବୀ ଦୈତାରୀ ପ୍ରଧାନ। ପ୍ରକଳ୍ପ ପାଇଁ ବେଦାନ୍ତ କଂପାନିକୁ ଜମି ପ୍ରଦାନ କରିବାକୁ ସୁପ୍ରିମ କୋର୍ଟ ମନା କରିବା ପରେ ବି କିପରି ଏଠାରେ ପ୍ରକଳ୍ପ ସ୍ଥାପନ ହେଲା ବୋଲି ଯୁକ୍ତି ଦର୍ଶାଇଥିଲେ।

ଏ ସଂପର୍କରେ ଆଇନଜୀବୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ଲିମିଟେଡ ପକ୍ଷରୁ କୌଣସି କମ୍ପାନୀ ଲାଞ୍ଜିଗଡ଼ରେ କାର୍ଯ୍ୟ କରିବା ସୁପ୍ରିମ କୋର୍ଟଙ୍କ ନିର୍ଦେଶର ଉଲଂଘନ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରି ପାଇଁ ଏଠାରେ କୌଣସି ସାମ୍ବିଧାନିକ କମିଟି ଗଠନ କରାଯାଇନାହିଁ। ଏହା ପରେ ବି ସରକାର ଓ ଜିଲ୍ଲା ପ୍ରଶାସନ କଂପାନିକୁ କାର୍ହିକି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର