ରାସ୍ତାକୁ ଓହ୍ଲାଇଲେ ଆଇନଜୀବୀ : କଳା ବ୍ୟାଜ ପିନ୍ଧି ଶାନ୍ତି ଶୋଭାଯାତ୍ରା

କଟକ : ଆଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାକୁ ନେଇ ଜାରି ରହିଥିବା ଅନ୍ଦୋଳନ ଆଜି ତୀବ୍ର ହୋଇଛି। ଆଇନଜୀବୀଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ହଜାରରୁ ଅଧିକ ଆଇନଜୀବୀ କଳା ବ୍ୟାଜ ପିନ୍ଧି ଏକ ଶାନ୍ତି ଶୋଭାଯାତ୍ରାରେ ଆଜି ବାହାରିଥିଲେ। ଆଜି ସକାଳୁ କଟକ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଇନଜୀବୀମାନେ ଏକତ୍ରିତ ହୋଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିକଟରୁ ଶୋଭାଯାତ୍ରାରେ ଆଇନଜୀବୀମାନେ ବାହାରି ଚାନ୍ଦିନୀଚୌକ ଛକକୁ ଯାଇଥିଲେ। ସେଠାରୁ ପୁଣି କଚେରି ଛକକୁ ଫେରି ଥିଲେ। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ସହିତ, ପ୍ରଶାସନିକ ନିଷ୍କ୍ରିୟତା ବିରୋଧରେ ବିଭିନ୍ନ ସ୍ଲେଗାନ ଦେଇଥିଲେ ଆଇନଜୀବୀମାନେ। ଆଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇ ନଥିବାରୁ ଆଇନଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଇନ ମନ୍ତ୍ରୀ, ରାଜ୍ୟପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ଅବଗତ କରାଯିବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏପରି ପରିସ୍ଥିତିରେ ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି। ସେହିଭଳି ଯଦି ଅଭିଯୁକ୍ତଙ୍କୁ ଗିରଫ କରା ନ ଯାଏ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ଓ ଆବଶ୍ୟକ ପଡିଲେ ସହର ବନ୍ଦ୍‌ ଭଳି ଚରମ ପଦକ୍ଷେପ ନିଆଯିବ ବୋଲି କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି କହିଛନ୍ତି। ଆଜିର ଶୋଭାଯାତ୍ରାରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକ, ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ ନାୟକ, ପ୍ରଦୀପ ମହାନ୍ତି, ସୁରେଶ ଜେନା, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସଂପାଦକ ପ୍ରଦୀପ କୁମାର ପରିଡା, ଯୁଗ୍ମସଂପାଦକ ବିଷ୍ଣୁପ୍ରିୟା ବେହେରା, କାମଦେବ କାନୁନଗୋ, ସୁବାସ ମହାନ୍ତି, ଲକ୍ଷ୍ମୀନାରାୟଣ ଦାସ, ଦୁଷ୍ମନ୍ତ ବିଶ୍ୱାଳ, ବିଜୟ କୁମାର ରଗଡ, କଟକ ବାରର ପୂର୍ବତନ ସଂପାଦକ କ୍ଷେତ୍ରମୋହନ ଧଳ, ନିତ୍ୟାନନ୍ଦ ବେହୁରିଆ, ଜଗନ୍ନାଥ ମହାନ୍ତି, ସଂଜୟ ଦାସ, ଗଙ୍ଗାଧର ସାମଲ, ଦିଲ୍ଲୀପ ମହାପାତ୍ର, ମଳୟ ଜେନା, ବିଭୁ ପ୍ରସନ୍ନ ମହାପାତ୍ରଙ୍କ ସହିତ କ୍ୟାଟ୍‌, ସ୍ୟାଟ୍‌, କଂଜ୍ୟୁମର ବାର୍‌ ଆସୋସିଏସନ୍‌, ଏମଭି ଲୟର୍ସ ଆସୋସିଏସନର କର୍ମକର୍ତ୍ତା, ସଦସ୍ୟ, ଅନ୍ୟ ଜିଲ୍ଲାରୁ ଆସିଥିବା ଆଇନଜୀବୀ ପ୍ରତିନିଧି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର