ବିଧିବଦ୍ଧ ସୂଚନା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ : ଆଜି ଓକିଲ ସଂଘ ବୈଠକରେ ନିଷ୍ପତ୍ତି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ପୂର୍ବ ଘୋଷଣା ଅନୁଯାୟୀ, ବୁଧବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଚାର ବିଭାଗୀୟ ଅଦାଲତ ବନ୍ଦ କରାଯାଇଥିଲା। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ଠୋସ ପଦକ୍ଷେପ ନେଇନଥିବା ଦର୍ଶାଇ ଓକିଲ ସଂଘ ୫ ତାରିଖ ଠାରୁ ବିଧାନସଭା ଅଧିବେଶନ ଶେଷ ହେବା ଯାଏ କାର୍ଯ୍ୟବନ୍ଦ କରିବ ବୋଲି ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଆଜିଠୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ, କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ନେଇ ପୁନର୍ବାର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପତ୍ର ଦେଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ଏକ ନକଲ ଉପଜିଲ୍ଲାପାଳ ଓକିଲ ସଂଘ ସଭାପତିଙ୍କୁ ଦେଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ର ନେଇ ସୂଚନା ଦେବାର ଏଭଳି ମାଧ୍ୟମକୁ ଓକିଲ ସଂଘ ଅଗ୍ରାହ୍ୟ କରିଛି। ସିଏସି ଆବାହକ କିମ୍ବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ଯେ ପର୍ଯ୍ୟନ୍ତ ସୂଚନା ଦିଆନଯାଇଛି, ସେ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ୬ ତାରିଖ (ଗୁରୁବାର)ବୈଠକ ପରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଓକିଲ ସଂଘର ବରିଷ୍ଠ ସଦସ୍ୟ ସୁରେଶ୍ୱର ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, ଅଗଷ୍ଟ ୬ ତାରିଖରେ ୪ଟି ପ୍ରସଂଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ଉପଜିଲ୍ଲାପାଳ ଦେଖାଉଥିବା ପତ୍ରକୁ ବିଶ୍ୱାସ କରାଗଲେ ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ର କେବଳ ରିମାଇଣ୍ଡର ଲେଟର ଭଳି ହୋଇଛିି। ଦ୍ୱିତୀୟତଃ ଆଇନ ଏବଂ ସମ୍ବିଧାନ ବିଶେଷଜ୍ଞଙ୍କୁ କମିଟି ଗଠନ କରାଯାଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହିତ ଏହାର ସମାଧାନ ରାସ୍ତା ବାହାର କରାଯିବ। ଆଇନ ମନ୍ତ୍ରୀ କିମ୍ବା ଚାଚସ୍ପତି ଏହାର ନେତୃତ୍ୱ ନେବେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିଯୋଗୁଁ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସକାଳେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱରେ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୬ ତାରିଖରେ ପୂର୍ବ ଘୋଷଣା ଅନୁସାରେ, ରାଜସ୍ୱ ଅଦାଲତ ଠପ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ।

ସମ୍ବନ୍ଧିତ ଖବର