ନିରଂଜନ ରଣାଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅର୍ଥ ବିଭାଗକୁ ଚିଠି
ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ଠକେଇ
ଭୁବନେଶ୍ୱର : ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ୍ ଠକେଇ ଘଟଣାରେ କମିସନରେଟ୍ ପୁଲିସ ମୁଖ୍ୟ ଅଭିଯୁକ୍ତ ନିରଂଜନ ରଣାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅର୍ଥ ବିଭାଗକୁ ଚିଠି ଲେଖିଛି। ଖୁବ୍ ଶୀଘ୍ର ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି ହେବ। ରଣାଙ୍କ ଏହି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୫ ଲକ୍ଷ ୧୩ ହଜାର ଟଙ୍କା ହେବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କମିସନର ଶ୍ରୀ ଖୁରାନିଆଙ୍କ ସୂଚନା ଅନୁଯାୟୀ, ୨୦୧୬ରେ ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ୍ ନାମରେ ହୋଇଥିବା ଜମି ଠକେଇ ମାମଲାର ତଦନ୍ତ କରି ପୁଲିସ ଜାଣିବାକୁ ପାଇଥିଲା କି ସାଧାରଣ ଲୋକଙ୍କ ଟଙ୍କା ଏହି ସଂସ୍ଥାରେ ବିନିଯୋଗ ହୋଇଛି। ପୁଲିସ ଓପିଆଇଡି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହା ପରେ ପୁଲିସ ସେହି ଅନୁଯାୟୀ ନିରଂଜନ ରଣାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦେଇଥିଲା।
ଏବେ ପୁଲିସ ନିରଂଜନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପକ୍ରିୟା ଆରମ୍ଭ କରିଛି। ଯେଉଁଥିରେ ରହିଛି ନିରଂଜନଙ୍କ ଟୋୟଟା ଫର୍ଚୁନର୍ କାର, ଏକ କଳାରଙ୍ଗର ବୁଲେଟ୍, ଭୁବନେଶ୍ୱର ଓ କଟକରେ ଥିବା କେତେକ ଜମି, ଫ୍ଲାଟ୍ ଓ ବ୍ୟାଙ୍କରେ ଥିବା ଟଙ୍କା।
ଏଠାରେ ପ୍ରକାଶଥାଉକି, ସହିଦନଗର ଥାନା ପୁଲିସ ୨୦୧୬ ଜୁନ୍ ମାସ ୩ ତାରିଖରେ ନିରଂଜନଙ୍କୁ ଗିରଫ କରିଥିଲା। ନିରଂଜନ ସାଧାରଣ ଲୋକଙ୍କ ଜମି ଦେବା, ଟଙ୍କା ଦୁଇ ଗୁଣିତ କରିବା ଭଳି ପ୍ରତିଶ୍ରୁତି କୋଟି କୋଟି ଟଙ୍କାର ଠକେଇ କରିଥିଲେ। ପରେ ସେହି ଟଙ୍କାରେ ନିରଂଜନ ଏକାଧିକ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।