୨୫ ଯାଏ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ବର : ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ୨୫ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି। ହେଲେ ଏହା ପ୍ରଭାବରେ ଅଗଷ୍ଟ ୨୨ରୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ୫ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ମହାନଦୀର ଜଳସ୍ତର ପୁଣି ବଢ଼ିବ। ମହାନଦୀର ଜଳସ୍ତର ବଢ଼ିଲେ ରାଜ୍ୟରୁ ବନ୍ୟା ସ୍ଥିତି ଏବେ ହଟିବାର ନାହିଁ ବୋଲି ଜଣାପଡ଼ିଗଲାଣି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ। ଏହି ଅଞ୍ଚଳରେ ସାଧାରଣ ଭାବେ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବି ଅଛି। ତେବେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଏହି ଦୁଇ ଦିନରେ ବର୍ଷାର ସମ୍ଭାବନା କମ୍। କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବାକୁ ଥିବାବେଳେ କାଁ ଭାଁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ।

ହେଲେ ୨୧ରୁ ବର୍ଷା ବଢ଼ିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଝାଡଖଣ୍ଡରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ ଛତିଶଗଡ଼ରେ ୨୨ରୁ ୫ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବିସ୍ତୃତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଝାଡଖଣ୍ଡ ସଂଲଗ୍ନ ଅଞ୍ଚଳ ପରେ ବିହାର ଏବଂ ଉତ୍ତର ପ୍ରଦେଶ ଉପରେ ରହିବ। ତେବେ ପରବର୍ତ୍ତୀ ସମୟରେ ଏହା ଛତିଶଗଡ଼ ଓ ମଧ୍ୟପ୍ର‌େଦଶ ଉପରେ ରହିବ। ତାହା ଲମ୍ବି ଓଡ଼ିଶା ସମେତ ଉତ୍ତର ବଙ୍ଗୋପସାଗରରେ ବି ରହିବ। ଯାହା ପ୍ରଭାବରେ ୨୧ ଓ ୨୨ତାରିଖରୁ ବର୍ଷା ବଢ଼ିବ।

ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟର ସମୁଦାୟ ବର୍ଷା ସ୍ବାଭାବିକ ଠାରୁ ୨୫% ଅଧିକ ରହିବାକୁ ଥିବାବେଳେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସୋମବାର କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାରେ ୧୧୫.୬ମିମିରୁ ୨୦୪.୪ମିମି ପର୍ଯ୍ୟନ୍ତ ବର୍ଷା ‌େହାଇପାରେ।

ସମ୍ବନ୍ଧିତ ଖବର