ବ୍ରହ୍ମପୁରରେ ଅଭିନବ ଅନ୍‌ଲାଇନ୍‌ ମଦ ବିକ୍ରି : ଫୋନ୍‌ କରି ବୋହିନେଲେ ବୋତଲ

ବ୍ରହ୍ମପୁର : ବିଧିବଦ୍ଧ ଭାବେ ମଦ ଦୋକାନ ଖୋଲିନି, ଅଥଚ ଦୋକାନ ଆଗରେ ଲମ୍ବା ଲାଇନ୍‌ ଲାଗିଛି। ‌ଭିଡ଼ ଜମାଇଥିବା ଲୋକେ ଦୋକାନୀଙ୍କୁ ଫୋନ୍‌ କରୁଛନ୍ତି। ଆଉ ଜଣେ ପରେ ଜଣେ ଦୋକାନକୁ ପଶି ମଦ ଧରି ଫେରୁଛନ୍ତି। ମଦ ଦୋକାନୀଙ୍କୁ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ଅନୁମତି ଦିଆଯାଇଥିବା ବେଳେ କିଛି ଦୋକାନୀ ତାହା ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଦୃଶ୍ୟ ଆଜି ସମସ୍ତଙ୍କୁ ବିସ୍ମିତ କରି ଦେଇଛି।

ବ୍ରହ୍ମପୁରରେ ଅନ୍‌ଲାଇଇନ୍‌ରେ ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଆଜି ସହରରେ ଏଭଳି ଅଭିନବ ଉପାୟରେ ଅନ୍‌ଲାଇନ୍‌ ମଦ ବିକ୍ରି ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଖବର ପାଇ ଅବକାରୀ ବିଭାଗ ଟ୍ରେକର୍‌ ଷ୍ଟାଣ୍ଡ୍‌ରେ ପହଞ୍ଚି ନିକଟରେ ଥିବା ବିଦେଶୀ ମଦ ଦୋକାନ ଆଗରେ ଛିଡ଼ା ହୋଇଥିବା ଲୋକଙ୍କୁ ଘଉଡ଼ାଇଥିଲା। ସେହିପରି ଟାଟାବେଞ୍ଜ ଛକରେ ଥିବା ବିଦେଶୀ ମଦ ଦୋକାନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଥିବା ଦେଖିବାକୁ ମିଳିଥିଲା। ଗ୍ରାହକ ଦୋକାନ ନିକଟରେ ଛିଡ଼ା ହୋଇ ଫୋନ୍‌ରେ ବରାଦ୍‌ କରି ସଙ୍ଗେ ସଙ୍ଗେ ମଦ ନେଇ ଯାଉଥିବା ଦେଖିବାକୁ ମିଳିଥିଲା।

କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ପ୍ରାୟ ୨ମାସ ହେଲା ମଦ ଦୋକାନ ସିଲ୍‌ ରହିଥିଲା। ତଥାପି ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି କରାଯାଉଥିଲା। ପୁଲିସ ଓ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଭଳି କାରବାର ଠାବ କରିଥିଲା। ତେବେ ଶେଷରେ ସରକାର ଗତକାଲିଠାରୁ ମଦ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଗତକାଲି ଅବକାରୀ ବିଭାଗ ସହରର ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନର ଷ୍ଟକ୍‌ ଯାଞ୍ଚ କରିଥିଲା। ଆଜି ମଧ୍ୟ ‌କେତେକ ଦୋକାନର ଷ୍ଟକ୍‌ ଯାଞ୍ଚ କରାଯାଇଥିଲା। ଷ୍ଟକ୍‌ ଯାଞ୍ଚ ପରେ ବ୍ୟବସାୟୀମାନେ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ସର୍ତ୍ତ ରଖାଯାଇଥିଲା। ହେଲେ ଏହାକୁ ବ୍ରହ୍ମପୁରର ମଦ ବ୍ୟବସାୟୀମାନେ ବିରୋଧ କରି ଅନ୍‌ଲାଇନ୍‌ ସହିତ କାଉଣ୍ଟର୍‌ରେ ମଦ ବିକ୍ରି କରିବାକୁ ଦାବି କରିଥିଲେ। ଏପରିକି ଅନ୍‌ଲାଇନ୍‌ ମଦ ବିକ୍ରିକୁ ବିରୋଧ କରି ସେମାନେ ଦୋକାନ ଖୋଲିବେ ନାହିଁ ବୋଲି କହିଥିଲେ। କିନ୍ତୁ ଆଜି ଦିନ ୧୧ଟା ବେଳେ ସହରର ବିଭିନ୍ନ ମଦ ଦୋକାନ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା। ଗୋଇଲୁଣ୍ଡିରେ ଥିବା ମଦ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଟାଟାବେଞ୍ଜ ଛକ, ଟ୍ରେକ୍‌ର୍‌ ଷ୍ଟାଣ୍ଡ୍‌ ଓ ପୁରୁଣା ବସ୍‌ଷ୍ଟାଣ୍ଡ୍‌ରେ ଥିବା ମଦ ଦୋକାନ ଆଗରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। କିଛି ଲୋକ ଦୋକାନ ନିକଟରେ ଛିଡ଼ା ହୋଇ ଦୋକାନୀଙ୍କୁ ଫୋନ୍‌ କରି ଟଙ୍କା ଦେଇ ବୋତଲ ବୋତଲ ମଦ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୋକାନୀଙ୍କୁ କେବଳ ଅନ୍‌ଲାଇନ୍‌ ମଦ ବିକ୍ରି କରିବାକୁ ଅନୁମତି ଦିଆଯାଇଥିବା ବେଳେ ସେମାନେ ଅଫ୍‌ଲାଇନ୍‌ରେ କିପରି ମଦ ବିକ୍ରି କଲେ ସେ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର