ଲୋକସେବା ପୋର୍ଟାଲରେ ପଞ୍ଜୀକୃତ ହେବେ ନିର୍ମାଣ ଶ୍ରମିକ

ପକ୍କା ଘର ଯୋଜନା ଲାଗି ହ୍ରାସ ପାଇଲା ଯୋଗ୍ୟତା

ଭୁବନେଶ୍ୱର: ପୂର୍ବରୁ ପ୍ରଚଳିତ ନିର୍ମାଣ ଶ୍ରମିକମାନଙ୍କ ଅନ୍‌ଲାଇନ୍‌ ପଞ୍ଜୀକରଣ ସୁବିଧା ବର୍ତମାନ ଲୋକସେବା ପୋର୍ଟାଲରେ ମିଳିପାରିବ। ଘର ପାଖରେ ଏହି ସୁବିଧା ମିଳିପାରିବ। ଶ୍ରମିକମାନଙ୍କୁ ଆଉ ଅଯଥା ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଶ୍ରମିକମାନେ ହେଉଛନ୍ତି ବିକାଶର ଆଧାର। ଓଡ଼ିଶାର ବିକାଶରେ ଶ୍ରମିକଙ୍କର ତ୍ୟାଗ ରହିଛି। ବିଜୁ ଏକ୍ସପ୍ରେସ୍‌ େଓ୍ଵ, ନୂଆ ମେଡିକାଲ କଲେଜର ନିର୍ମାଣ ଅଥବା ଉତ୍କଳ ଗୌରବ ମଧୁସୂଦନ ସେତୁର ନିର୍ମାଣ ପ୍ରକଳ୍ପରେ ଶ୍ରମିକଙ୍କର କଠିନ ପରିଶ୍ରମ ରହିଛି। ଶ୍ରମିକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ପାଲଟିଛି। ବର୍ତମାନ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ୧୧ଲକ୍ଷରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ପ୍ରାୟ ୮୦୦କୋଟି ଟଙ୍କାର ସହାୟତା ଦିଆଯାଇଛି। ଗରିବ ଶ୍ରମିକଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ପାଇଁ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ। ନିର୍ମାଣ ଶ୍ରମିକ ପକ୍‌୍‌କା ଘର ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଆବଶ୍ୟକ ଯୋଗ୍ୟତା ୩ ବର୍ଷରୁ କମାଇ ଏକ ବର୍ଷକୁ ହ୍ରାସ କରାଯାଇଛି। ପ୍ରତ୍ୟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟର ସୁବିଧା ଯୋଗାଇ ଦିଆଯିବ। ନିର୍ମାଣ ଶ୍ରମିକଙ୍କ ଘର ପାଖରେ ୭୦୦୦ରୁ ଅଧିକ ନାଗରିକ ସେବା କେନ୍ଦ୍ରରେ ପଞ୍ଜୀକରଣ ସୁବିଧା ପାଇଁ ଲୋକସେବା ଅଧିକାର ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ନିର୍ମାଣ ଶ୍ରମିକ ପିଲାଙ୍କୁ ବୈଷୟିକ ଶିକ୍ଷା ପାଇଁ ଆଇଟିଆଇ ଓ ଡିପ୍ଲୋମା କଲେଜରେ ପାଠପଢ଼ା ପାଇଁ ପୂର୍ବରୁ ଦିଆଯାଇଥିବା ସହାୟତା ଏବେ ଲୋକସେବା ପୋର୍ଟାଲ ମାଧ୍ୟମରେ ଆବେଦନ ଲାଗି ବ୍ୟବସ୍ଥା କରାଯାଇଛି। ଶ୍ରମ ଅଧିକାରୀଙ୍କ ଦୃଢ଼ ପଦକ୍ଷେପ ଫଳରେ ସହାୟତା ରାଶି ଏହି ବର୍ଷ ପାଇଁ ୩୯୬ କୋଟି ଟଙ୍କାରେ ପହଞ୍ଚିଛି ବୋଲି ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ। କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନିର୍ମାଣ ଶ୍ରମିକମାନଙ୍କୁ ଶିକ୍ଷାବୃତ୍ତି, ବିବାହ ସହାୟତା, ପ୍ରସୂତି ସହାୟତା, ନିରାପତ୍ତା ଉପକରଣ, ମୃତ୍ୟୁ କାଳୀନ ସହାୟତା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ଦୁର୍ଘଟଣା ସହାୟତା, ଗ୍ରାମୀଣ କ୍ଷେତ୍ରରେ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ଗୃହ ଆଦି ଯୋଗାଇ ଦିଆଯାଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସ୍ୱତନ୍ତ୍ର ପରିଚୟ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିବା କଲ୍ୟାଣ ବୋର୍ଡ ଲୋଗୋ ଓ ‘ସୂଚନା ପୁସ୍ତିକା’ ଉନ୍ମୋଚିତ ହୋଇଥିଲା। ଏହି ଯୋଜନାର ପ୍ରଚାର ପ୍ରସାର ପାଇଁ ନିର୍ମାଣ ଶ୍ରମିକ ରଥ ଉଦ୍‌ଘାଟିତ ହୋଇଥିବା ବେଳେ ଶ୍ରମିକମାନଙ୍କୁ ସାଇକେଲ୍‌ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରମ କମିସନର୍‌ ସଚିନ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର