ଓଡ଼ିଶା ଉପରେ ‘ଲିକୁଇଡ୍‌ ଗ୍ୟାଙ୍ଗ୍‌’ର ଆଖି: ଠକିନେଲେ ୮୭ ଲକ୍ଷ

ଦୁଇ ବିହାରୀ ଗିରଫ, ୧୦ ବିଦେଶୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ

କଟକ: କଳା ରଙ୍ଗରେ ବୋଳା କାଗଜରେ ଲିକୁଇଡ୍ ଢାଳିଦେଲେ ନୋଟ ପରିବର୍ତ୍ତନ ହେଇଯାଇଛି। ଏମିତି କାରସାଦିରେ ଦେଢ଼ କୋଟି ଟଙ୍କା ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ବାରିପଦାର ଜଣେ ଠିକାଦାରଙ୍କୁ ଠକିଦେଲେ ସୁଇଜରଲାଣ୍ତର ‘ଲିକୁଇଡ୍‌ ଗ୍ୟାଙ୍ଗ’। ଫେସ୍‌ବୁକ୍‌ରେ ଅରୁଣାଚଳ ପ୍ରଦେଶର ଯୁବତୀଙ୍କ ମାଧ୍ୟମରେ ସମ୍ପର୍କ ଯୋଡ଼ି ୮୭ ଲକ୍ଷ ଟଙ୍କା ଲୁଟିନେଇଥିବା ଏହି ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ। ଦୁଇଜଣ ହେଲେ, ବିହାର ଜାହାନାବାଦ୍‌ ଜିଲ୍ଲାର ବିନୋଦ କୁମାର ସି˚ହ ଏବ˚ ବୈଶାଳୀ ଜିଲ୍ଲାର ସଞ୍ଜିବ କୁମାର।
ବାରିପଦା ମଧୁବନ ଅଞ୍ଚଳର ଠିକାଦାର ତପନ କୁମାର ଦାସ କ୍ରାଇମ୍‌ବ୍ରାଞ୍ଚରେ ୨୦୧୮ ଡିସେମ୍ବର ୨୨ ତାରିଖରେ ୮୭ ଲକ୍ଷ ଟଙ୍କା ଠକେଇ ସମ୍ପର୍କିତ ଏତଲା ଦେଇଥିଲେ। ଗତ ସେପ୍ଟେମ୍ବରରେ ସୁଇଜର‌୍‌ଲ୍ୟାଣ୍ତର ଖ୍ରୀଷ୍ଟି ଡସନ୍‌ ନାମ୍ନୀ ମହିଳାଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା ଯୋଡ଼ିଥିଲେ। ଖ୍ରୀଷ୍ଟି ସୁଇଜରଲ୍ୟାଣ୍ତରେ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟ କରୁଥିବା ବେଳେ ଭାରତରେ ମଧ୍ୟ କାମ କରିବାକୁ ଆଗ୍ରହୀ ଥିବା ତପନଙ୍କୁ କହିଥିଲେ। ସେପ୍ଟେମ୍ବର ୨୬ ତାରିଖରେ ଖ୍ରୀଷ୍ଟି ଭାରତ ଆସୁଥିବା କହିବାରୁ ୨୮ ତାରିଖରେ ଦିଲ୍ଲୀ ବିମାନବନ୍ଦରର କଷ୍ଟମ୍‌ ଅଫିସର‌୍‌ରୁ ଜଣେ ମହିଳାଙ୍କ ଫୋନ୍‌ କଲ୍‌ ଆସିଥିଲା। ବିମାନବନ୍ଦରରେ ଖ୍ରୀଷ୍ଟି ୩ ଲକ୍ଷ ପାଉଣ୍ତ ସହିତ ଅଟକ ଥିବାରୁ ଟଙ୍କା ଦେଲେ ସେ ମୁକୁଳିବା ବୋଲ କହିଥିଲେ। ଅଫିସରଙ୍କ କଥା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୬ ଲକ୍ଷ ଟଙ୍କା ପଠାଇଥିଲେ। ପରେ ଦକ୍ଷିଣ ଆଫ୍ରିକାର ଜନ୍‌ ସ୍କୋଟନ୍‌ ନାମକ ଏଜେଣ୍ଟ ଧାର ଟଙ୍କା ସୁଝିବାକୁ ଭୁବନେଶ୍ବର ବାପୁଜୀନଗରରେ ଥିବା ଏକ ହୋଟେଲ୍‌କୁ ଆସିଥିଲେ। ବାକ୍ସରେ ଆଣିଥିବା କଳା ରଙ୍ଗର କାଗଜ ଲିକୁଇଡ୍‌ ଢାଳି ନୋଟ୍‌ରେ ପରିବର୍ତ୍ତନ କରିଥିଲେ। କିନ୍ତୁ ଲିକୁଇଡ୍‌ ସରିଯାଇଥିବାରୁ ଅଧ ଲିଟର‌୍‌ ଲିକୁଇଡ୍‌ ଆଣିବାକୁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ପହଞ୍ଚି ଲିକୁଇଡ୍‌ ବାବଦ ୩୧ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟର‌୍‌ ପଠାଇବାକୁ କହିବାରୁ ତପନ ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ପଠାଇଥିଲେ। କିନ୍ତୁ ତପନ ଠକେଇର ଶିକାର ହୋଇଥିବା ଜାଣିପାରି କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତିକରି ଗତ ୧ ତାରିଖରେ ବିନୋଦ କୁମାର ସି˚ହ ଏବ˚ ସଞ୍ଜିବ କୁମାରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ, ଖ୍ରୀଷ୍ଟି ଡସନ୍‌ ନାମକ କେହି ବିମାନବନ୍ଦରରେ ଅଟକ ନଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର