ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଳସୁ ପଞ୍ଚାୟତ ନୂ୍ଆକମସରଗଡ଼ ଗ୍ରାମ କାଜୁ ଜଙ୍ଗଲରୁ ଆଜି ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଅଳସୁ ବଡ଼ହରିଜନ ସାହିର ଚଣ୍ଡାଳ ନାଇକଙ୍କ ପୁଅ ପୀତବାସ ନାଇକ (୧୯) ଓ ଖଇରପୁଟି ଗ୍ରାମର ସ୍ବର୍ଗତ ବୈକୁଣ୍ଠ ନାଇକଙ୍କ ଝିଅ ସରସ୍ବତୀ ନାଇକ (୧୮)। ଗାଁ ଲୋକଙ୍କ ଟାହିଟାପରା ଓ ସେମାନଙ୍କ ପ୍ରତି ବନ୍ଧୁ ପରିଜନଙ୍କ ଅସନ୍ତୋଷ ମନୋଭାବକୁ ସହି ନପାରି ଉଭୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

ପୀତବାସ ଓ ସରସ୍ବତୀ ପରସ୍ପରକୁ ଭଲ ପାଉଥିଲେ। ଉଭୟ ଗୋଟିଏ ଜାତିର ହୋଇ ଥିଲେ ବି ସେମାନଙ୍କ ପରିବାର ସଦସ୍ୟ ଶୀଘ୍ର ବିବାହ ପାଇଁ ରାଜି ହେଉ ନଥିଲେ। ଶେଷରେ ଜିଦରେ ଅଟଳ ପୀତବାସ କିଛି ମାସ ତଳେ ସରସ୍ବତୀଙ୍କୁ ଜବରଦସ୍ତ ଆଣି ତାଙ୍କ ଘରେ ରଖିଥିଲେ। ଯାହାକୁ ନେଇ ଉଭୟଙ୍କ ପରିବାର ଲୋକେ ଅସନ୍ତୁଷ୍ଟ ଥିବା ସହ ଗାଁ ଲୋକଙ୍କ ଟାହିଟାପରା ବି ସହିବ‌ାକୁ ପଡ଼ିଥିଲା। ଆଜି ସକାଳେ ପୀତବାସ ଓ ସରସ୍ବତୀଙ୍କ ଝୁଲନ୍ତା ଶବ କାଜୁଜଙ୍ଗଲ ଗଛରେ ଦେଖିବାକୁ ମିଳିଥିଲା।

ଏନେଇ ଜଗନ୍ନାଥପ୍ରସାଦ ଥାନାରେ କେସ ନମ୍ବର ୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳ‌ୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ବାସୁଦେବ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର