୪୮ ଘଣ୍ଟିଆ ମହାବନ୍ଦ : ଦ୍ବିତୀୟ ଦିନ ସ୍ବତଃସ୍ଫୂର୍ତ୍ତ
ସୁନ୍ଦରଗଡ଼ ସମେତ ୫ ଜିଲ୍ଲାରେ ଜୀବନଯାତ୍ରା ଠପ୍, ଆଜିଠୁ ପୁଣି ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ
ସମ୍ବଲପୁର : ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଡାକାରାରେ ହୋଇଥିବା ପଶ୍ଚିମ ଓଡ଼ିଶା ମହାବନ୍ଦକୁ ମହାସଫଳତା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଓ ଶୁକ୍ରବାର ଦୁଇଦିନ, ଦୁଇ ରାତି ଧରି ୪ ଟି ଜିଲ୍ଲା ସମ୍ବଲପୁର, ସୋନପୁର, ଦେବଗଡ଼ ଓ ଝାରସୁଗୁଡ଼ା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବୌଦ୍ଧ ଓ ବରଗଡ଼ ଜିଲ୍ଲାରେ ଆଂଶିକ ବନ୍ଦ ହୋଇଥିଲାବେଳେ ରାଉରକେଲା ସହରକୁ ବାଦ୍ ଦେଇ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ବି ଠପ୍ ହୋଇଯାଇଛି। ଗୁରୁବାର ଭଳି ଶୁକ୍ରବାର ବି ସମ୍ବଲପୁରରେ ସମସ୍ତ ଅଫିସ, କଚେରି, ବ୍ୟାଙ୍କ, ଦୋକାନ, ବଜାର, ଯାନବାହନ ସହ ରେଳ ଚଳାଚଳ ବି ବନ୍ଦ ରହିଥିଲା।
ଶୁକ୍ରବାର ମହାବନ୍ଦର ଦ୍ବିତୀୟ ଦିନରେ ବି ଆଇନ୍ଜୀବୀ ଓ ଆନ୍ଦୋଳନରେ ସାମିଲ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ଛକ ଜାଗା ଗୁଡ଼ିକରେ ବସି ରହିଥିଲେ। ରେଳ ଷ୍ଟେସନ ଗୁଡ଼ିକରେ ବି ପୂର୍ବ ନିର୍ଧାରିତ ଡ୍ୟୁଟି ଅନୁଯାୟୀ ଓକିଲ ଓ ଆନ୍ଦୋଳନକାରୀମାନେ ବସି ରହିଥିଲେ। ଶୁକ୍ରବାର ଅପରାହ୍ନରେ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ହାଇକୋର୍ଟ ଆନ୍ଦୋଳନକୁ ସମର୍ଥନ କରା ଯାଇଥିଲା। ସେମାନେ ଏକ ବାଇକ୍ ରାଲିରେ ନେଲସନ ମଣ୍ଡେଲା ଛକରୁ କ୍ଷେତରାଜପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ।
ମହାବନ୍ଦ କାରଣରୁ ଗୁରୁବାର ସକାଳୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ରାଜପଥ ଉପରେ, ଛକ ସ୍ଥାନ ମାନଙ୍କରେ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଶୁକ୍ରବାର ବିଳମ୍ବିତ ରାତି ଯାଏଁ ବି ସେହିଭଳି ଛିଡ଼ା ହୋଇ ରହିଥିଲା। ଗୁରୁବାର ସକାଳୁ ସମ୍ବଲପୁର ଜଂସନ, ସମ୍ବଲପୁର ସିଟି ଷ୍ଟେସନ ଆଦିରେ ଅଟକି ଥିବା ଯାତ୍ରୀବାହି ଓ ମାଲବାହୀ ଟ୍ରେନ୍ ଗୁଡ଼ିକ ବି ସେମିତି ଅଟକି ରହିଛି।