ମୋଦି ଓଡ଼ିଶା ଆସିବାର ନୈତିକ ଅଧିକାର ହରାଇଛନ୍ତି: ପ୍ରସନ୍ନ ଆଚାର୍ଯ୍ୟ

କଟକ ଛାଡ଼ିଲା ‘ମହାନଦୀ ସୁରକ୍ଷା ଅଭିଯାନ’ ଶୋଭାଯାତ୍ରା

କଟକ : ମହାନଦୀର ଜୀବନ ରେଖାକୁ ମୋଦି ସରକାର ବନ୍ଦ କରି ଦେଇଛନ୍ତି। ହେଲେ ଏହାର ପ୍ରତିବାଦରେ ଜାଗ୍ରତ ଓଡ଼ିଶାବାସୀଙ୍କ ବିରୋଧ ଧାରାକୁ ବିଜେପି ବନ୍ଦ କରିପାରିବନାହିଁ। ନିକଟ ଅତୀତରେ ଘଟିଯାଇଥିବା ଘଟଣା ଏବଂ ଓଡ଼ିଶା ବାସୀଙ୍କ ପ୍ରତି ଚକ୍ରାନ୍ତ ଯୋଗୁଁ ନୈତିକତା ଦୃଷ୍ଟିରୁ ମୋଦି ଓଡ଼ିଶା ଆସିବାର ଅଧିକାର ହରାଇ ସାରିଛନ୍ତି ବୋଲି ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। କଟକରେ ଶେଷ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ଉପଲକ୍ଷେ ଦୋଳମୁଣ୍ଡାଇଠାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧ ଦେବାବେଳେ ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ଏହା କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨୬ ତାରିଖରେ କଟା ଘା’ରେ ଚୂନ ଲଗାଇବାକୁ ମୋଦି କଟକ ଆସୁଛନ୍ତି। ଯଦି ସତ୍‌ ସାହସ ଅଛି, ତାହେଲେ ଓଡ଼ିଶାବାସୀଙ୍କ ପ୍ରତ୍ୟେକ ପ୍ରଶ୍ନର ଜବାବ ରଖିବାକୁ ମନ୍ତ୍ରୀ ଉକ୍ତ ସଭାରେ ଆହ୍ଵାନ ଦେଇଛନ୍ତି।

ଗତକାଲିଠୁ କଟକରେ ଆରମ୍ଭ ହୋଇଥିବା ‘ମହାନଦୀ ସୁରକ୍ଷା ଅଭିଯାନ’ ଆଜି ସହରରୁ ବିଦାୟ ନେଇଛି। ଦୁଇ ଭାଗରେ ଆସୁଥିବା ଶୋଭାଯାତ୍ରାରୁ ଗୋଟିଏ ସକାଳେ ଗଡ଼ଗଡିଆ ମନ୍ଦିରରେ ଦୀପ ଆଳତି କରାଯାଇ ଯାତ୍ରା ଆରମ୍ଭ ହୋଇଥିଲା। ଏଠାରୁ ବାହାରି ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ହାତୀପୋଖରୀ, ହରିପୁର, ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ଆସିଥିଲା। ମନ୍ତ୍ରୀ ଉଷା ଦେବୀ, ବିଧାୟକ ଦେବାଶିଷ ସାମନ୍ତରାୟ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ମେୟର ମିନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକଙ୍କ ସହିତ ଅନ୍ୟ ବିଜେଡି ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ହୋଇଥିଲା। ସିଏମ୍‌ସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଂଜନ ବିଶ୍ୱାଳଙ୍କ ପୌରହିତ୍ୟରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ବଜ୍ରକବାଟିରୋଡ୍‌ ପାଖରୁ ବାରବାଟୀ-କଟକର ସମର୍ଥକମାନେ ଶୋଭାଯାତ୍ରାକୁ ବିଦାୟ ଜଣାଇଥିଲାବେଳେ ରାଣୀହାଟ ଛକଠାରୁ ଚୌଦ୍ୱାର-କଟକ ଅଞ୍ଚଳର ସମର୍ଥକମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ଚୌଦ୍ୱାର କଟକ ବିଜେଡି ସାଧାରଣ ସମ୍ପାଦକ ଆରତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶୋଭାଯାତ୍ରାକୁ ଏଠାରୁ କଲେଜଛକ, ଯୋବ୍ରା, ଶିଖରପୁର, ମଧୁପାଟଣା ଛକ, ପ୍ରେସ୍‌ ଛକ ଦେଇ ଶୋଭାଯାତ୍ରା ଭୁବନେଶ୍ୱର ଅଭିମୁଖେ ଯାଇଥିଲା। ଏଥିରେ ଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତମାନେ ସାମିଲ ଥିଲେ। ଫୁଲନଖରା ନିକଟରେ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଦର ବିଧାୟକ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଏଠାରେ ଉପସ୍ଥିତ ଥିଲେ।

ଆଠଗଡ଼ରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ପରେ ଏହି ଶୋଭାଯାତ୍ରା ଧବଳେଶ୍ୱରରେ ପହଞ୍ଚି ସେଠାରେ ସମୂହ ଦୀପ ଦାନ କରାଯାଇଥିଲା। ଶୋଭାଯାତ୍ରା ଚୌଦ୍ୱାର, ଟାଙ୍ଗୀ, ମଙ୍ଗୁଳି ଦେଇ ଆଜି ଜାରକାରେ ଅଟକିଛି। ଚୌଦ୍ୱାର ଅଞ୍ଚଳରେ ଆରତ ରଂଜନ ବିଶ୍ୱାଳ, ଟାଙ୍ଗୀ ଅଞ୍ଚଳରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର