ଡରାଇଲାଣି ମହାନଦୀ : ୫୨ସହରରେ ପାଣି ସଙ୍କଟ, ଆଗକୁ ହାହାକାର ପରିସ୍ଥିତି ସୃଷ୍ଟି ଆଶଙ୍କା

ଭୁବନେଶ୍ୱର (ବିଶ୍ୱଜିତ ଦାଶ): ରାଜ୍ୟର ୫୨ଟି ସହରାଞ୍ଚଳରେ ଏବେଠୁ ପାଣି ସଙ୍କଟ ଦେଖା ଦେଲାଣି। କେଉଁଠି ଦିନକୁ ଦୁଇ ଘଣ୍ଟା ଜାଗାରେ ଘଣ୍ଟାଏ ପାଣି ଯୋଗାଣ ହେଉଛି ତ କେଉଁଠ ଓଳିଏ ଆସିଲେ ଆର ଓଳିକୁ ବନ୍ଦ। ରାଜ୍ୟରେ ଏଭଳି ସ୍ଥିତି କେବେ ଦେଖା ଯାଇ ନ ଥିଲା। ମହାନଦୀ ଉପରେ ନିର୍ଭର କରୁଥିବା ୫୨ସହରର ସ୍ଥିତି ଏବେ ସାଂଘାତିକ ରୂପ ନେଲାଣି। ଅକ୍ଟୋବରରୁ ମହାନଦୀ ଓ ଏହାର ଶାଖା ନଦୀ ଶୁଖିଯାଇଥିବାରୁ ଭୂତଳ ଜଳସ୍ତର ବି କମିଗଲାଣି। ନଗର ଉନ୍ନୟନ ବିଭାଗ ପକ୍ଷରୁ ବୋରେଓ୍ଵଲ୍‌ ମାଧ୍ୟମରେ ପାଣି ଯୋଗାଣ ହେଉଥିଲେ ବି ଏହା ପର୍ଯ୍ୟାପ୍ତ ହେଉନି। ଫଳରେ ୩୦ଲକ୍ଷ ଲୋକଙ୍କୁ କିପରି ପାନୀୟ ଜଳ ଯୋଗାଣ ହେବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଲାଣି।

ମହାନଦୀ ଭବିଷ୍ୟତ ନେଇ ଓଡ଼ିଶାବାସୀ ଆଶା ଆଶଙ୍କାରେ ଥିବାବେଳେ ଏହା ଉପରେ ନିର୍ଭର କରୁଥିବା ସହରରେ ଜଳ ସଙ୍କଟ ଦେଖାଯିବା ନେଇ ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଏବେ ସରକାରଙ୍କ ନିଦ ହଜାଇ ଦେଇଛି। ବିଭାଗୀୟ ସୂଚନା ଅନୁଯାୟୀ, ରାଜ୍ୟରେ ୧୧୨ଟି ସହରାଞ୍ଚଳରେ ଦିନକୁ ପ୍ରାୟ ୬୫ଲକ୍ଷ ଲୋକଙ୍କୁ ୧୦୧୮ନିୟୁତ ଲିଟର ପାଣି ଯୋଗାଣ ହୋଇଥାଏ। ଏମଧ୍ୟରୁ ମହାନଦୀ ଉପରେ ନିର୍ଭର କରୁଥିବା ୫୨ଟି ସହରରେ ୫୮୧ନିୟୁତ ଲିଟର ପାଣି ଯୋଗାଣ ହେଉଛି। ଏବେ ମହାନଦୀ ଜଳସଙ୍କଟ ପରିପ୍ରେକ୍ଷୀରେ ଏସବୁ ଅଞ୍ଚଳକୁ କିଭଳି ଜଳଯୋଗାଣ ହେବ,ତାହା ସବୁ ମହଲକୁ ଆନ୍ଦୋଳିତ କଲାଣି।

ମହାନଦୀ ଓ ଏହାର ଶାଖା ନଦୀ ଉପରେ ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଅନୁଗୁଳ, ଜଗତସିଂହପୁର, ଝାରସୁଗୁଡା, ନୟାଗଡ଼, କନ୍ଧମାଳ ଆଦିର ଜୀବନ ଜୀବିକା ନିର୍ଭର କରୁଛି। ଖରାଦିନେ ଏସବୁ ଅଞ୍ଚଳର ୩୦ଲକ୍ଷ ଲୋକଙ୍କୁ କିପରି ପାଣି ଯୋଗାଣ ହେବା ସେ ଚିନ୍ତା ଘାରିଲାଣି। ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟର ପ୍ରାୟ ସମସ୍ତ ନଦୀରେ ପାଣି ଶୁଖି ଯାଇଥିବାରୁ ଖରାଦିନେ ଯେପରି ଜଳସଙ୍କଟ ଦେଖା ନଯିବ ସେଥିପାଇଁ ଭୂତଳ ଜଳ ଯୋଗାଣ କରିବାକୁ ଯୋଜନା ହୋଇଛି। ପ୍ରାୟ ୭୬୦ଟି ପାନୀୟ ଜଳ ପ୍ରକଳ୍ପ ଏବେ ନିର୍ମଣାଧୀନ। ଏଥିରୁ ପ୍ରାୟ ସମସ୍ତ ପ୍ରକଳ୍ପରେ ବୋରେଓ୍ଵଲ୍‌ରୁ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ଆସନ୍ତା ବର୍ଷକ ମଧ୍ୟରେ ଏହି ସବୁ ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। କିନ୍ତୁ ଏହା ଦୀର୍ଘସ୍ଥାୟୀ ନୁହେଁ। ଭୂତଳ ଜଳକୁ ବ୍ୟବହାର କରି ଆସନ୍ତା ୫ରୁ ୭ବର୍ଷ ଜଳ ଯୋଗାଣ କରିହେବ। ହେଲେ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ହେଲେ ନଦୀ ଜଳ ଉପରେ ନିର୍ଭର କରିବାକୁ ପଡ଼ିବ।

ଜନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏବେ ମହାନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରୁଥିବା ଭୁବନେଶ୍ୱରକୁ ଦିନକୁ ୨୬୦ ନିୟୁତ ଲିଟର ପାଣି ଯୋଗାଣ ହେଉଛି। ଏଥିପାଇଁ ଯଦିଓ ମହାନଦୀରୁ ପାଣି ଆସୁଥିବା ନରାଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ପ୍ରଭାବ ପଡ଼ିନି କିନ୍ତୁ କୁଆଖାଇ ନଦୀ ଉପରେ ନିର୍ଭର କରୁଥିବା ପଳାଶୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଦୟା ନଦୀ ଉପରେ ନିର୍ଭର କରୁଥିବା ଭୁଆସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରଭାବିତ ହୋଇଛିି। ଏବେଠାରୁ ପ୍ରତି ଦିନ ଆବଶ୍ୟକୀୟ ପାଣି ଯୋଗାଇବା କଷ୍ଟକର ହୋଇଗଲାଣି। ଅଧା ରାଜଧାନୀରେ ପାଣି ଯୋଗାଣ ହୋଇପାରୁଥିବାବେଳେ ପୂରା ରାଜଧାନୀକୁ ଜଳ ଯୋଗାଣ କଲେ ଜଳକଷ୍ଟ ଆହୁରି ବଢ଼ିଯିବ।

ସେହିପରି କଟକରେ ଏବେ ଦିନକୁ ଅତି କମ୍‌ରେ ୧୧୦ ନିୟୁତ ଲିଟର ପାଣି ଆବଶ୍ୟକ ପଡ଼ୁଥିବାବେଳେ ଏତିକି ପାଣି ବି ଯୋଗାଇବା ସବୁବେଳେ ସମ୍ଭବ ହେଉନି। ଦିନେ ଦିନେ ୧୦୩ନିୟୁତ ଲିଟର ପାଣି ଯୋଗାଣ କରାଯାଇପାରୁଛି। ହେଲେ କଟକ ପାଇଁ ଏହା ଯଥେଷ୍ଟ ହେଉନି। ତେଣୁ କଟକ ପାଇଁ ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେଉଛି। ଯୋବ୍ରା ନିକଟରେ ଏନେଇ ଇନଟେକ୍‌ ଓ୍ଵଲ୍‌ ହେଉଛି।

ମହାନଦୀ ଉପରେ ନିର୍ଭର କରୁଥିବା ସମ୍ବଲପୁର ଅବସ୍ଥା ବି ସେୟା। ଏଠାରେ ୫୭ ନିୟୁତ ଲିଟର ପାଣି ଆବଶ୍ୟକ ପଡ଼ୁଥିବାବେଳେ ପ୍ରତ୍ୟେକ ଦିନ ଆବଶ୍ୟକୀୟ ପାଣି ଯୋଗାଇବା ସମ୍ଭବ ହେଉନି। ଏଠାରେ ସର୍ବାଧିକ ୬୨ନିୟୁତ ଲିଟର ପାଣି ଯୋଗାଇ ଦିଆଯାଇପାରୁଛି। ହେଲେ ସମ୍ବଲପୁରର ସବୁ ଅଞ୍ଚଳକୁ ପାଣି ଯୋଗାଇବା ସମ୍ଭବ ହେଉନି। ବହୁ ଅଞ୍ଚଳରେ ଏବେ ବି ପାଣି ପାଇପ୍‌ ପଡ଼ିନି। ପୂରା ସମ୍ବଲପୁର ସହର ଏବଂ ଏହା ଆଖପାଖ ଅଞ୍ଚଳକୁ ପାଣି ଯୋଗାଣ କରିବା ପାଇଁ ନୂଆ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ହେଉଛି।

ଏହି ତିନିଟି ମହାନଗର ନିଗମ ତୁଳନାରେ ପୁରୀ, ଜଗତସିଂହପୁର, ଅନୁଗୁଳ, କେନ୍ଦ୍ରାପଡ଼ା, ବଡ଼ଗଡ଼, ଦେଓଗଡ଼, କନ୍ଧମାଳ ଓ ନୟାଗଡ଼ ଭଳି ଜିଲ୍ଲାରେ ସ୍ଥିତି ଆହୁରି ସଙ୍ଗିନ। ଜନସ୍ୱାସ୍ଥ୍ୟ ବିଭାଗ ପ୍ରାୟ ସମସ୍ତ ସହରାଞ୍ଚଳରେ ଅଧାରୁ କମ୍‌ ଅଞ୍ଚଳରେ ପାଣି ଯୋଗାଉଥିଲେ ହେଁ ତାହା ବି ପର୍ଯ୍ୟାପ୍ତ ହେଉନି। ଏଭଳି ସ୍ଥିତିରେ ବିନା ମହାନଦୀରେ ସବୁ ଅଞ୍ଚଳକୁ ପାଣି ଯୋଗାଇବା ଅସମ୍ଭବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜନସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାକୁ ମହାନଦୀରୁ ପାଣି ଯୋଗାଣ ହେଉଥିବାବେଳେ ଏଠାରେ ଜଳ ସଙ୍କଟ ବାରମ୍ବାର ଦେଖାଯିବାରୁ ଏବେ ତେଲ୍‌ ନଦୀରୁ ପାଣି ଯୋଗାଣ ହେଉଛି। ମହାନଦୀରୁ ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିଲେ ଏହି ଜିଲ୍ଲାରେ ପାନୀୟ ଜଳ ସଙ୍କଟ ଦେଖାଯିବନାହିଁ।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମହାନଦୀରେ ପାଣି ଯେତିକି ରହିବା କଥା ସେତିକି ନ ଥିବାରୁ ଆମକୁ ପାନୀୟ ଜଳ ଯୋଗାଣରେ ଅସୁବିଧା ହେଉଛି। କିପରି ମହାନଦୀରେ ପାଣି ଅଧିକ ମହଜୁଦ୍‌ ରହିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଆମେ ଜଳ ସମ୍ପଦ ବିଭାଗକୁ ଜଣାଇଛୁ। ଯଦି ମହାନଦୀରେ ବର୍ଷତମାମ୍‌ ଆବଶ୍ୟକୀୟ ପାଣି ପ୍ରବାହ ନେଇ ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ କିଛି ମାସ ପରେ ସହରାଞ୍ଚଳରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ।

ଉଲ୍ଲେଖଯୋଗ୍ୟ, ମହାନଦୀ ଓ ଶାଖା ନଦୀରୁ ଦିନକୁ ୫୮୧ନିୟୁତ ଲିଟର ପାଣି ଆଣି ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବାବେଳେ ୨୦୫୧ ମସିହାରେ ଏହା ୧୩୧୩ ନିୟୁତ ଲିଟର ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏଥିପାଇଁ ମହାନଦୀ ଉପରେ ୧୦ରୁ ଅଧିକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ଅଛି। ହେଲେ ଏବେଠୁ ଯେମିତି ପାଣି ସଙ୍କଟ ଦେଖାଦେଲାଣି ସେଥିରେ ମହାନଦୀକୁ ଭରସା କରିବାକୁ ସାହସ ପାଉନି।

ସମ୍ବନ୍ଧିତ ଖବର