ମାହାଙ୍ଗା ଆବାସ କେଳେଙ୍କାରୀ : କାହା ଛତ୍ରଛାୟା‌ରେ ଲଳିତଗିରି ଜିଆରଏସ ?

ସମାନ ଅଭିଯୋଗରେ ଜଣେ ବହିଷ୍କୃତ ହୋଇଥିଲେ, ଲଳିତଗିରି ଜିଆର୍‌ଏସ୍‌ଙ୍କ ବଦଳି ନିର୍ଦ୍ଦେଶ ବି ବଦଳିଲା

କଟକ : ମାହାଙ୍ଗା ବ୍ଲକ୍‌ରେ ହୋଇଥିବା ଆବାସ ଯୋଜନାର କେଳେଙ୍କାରୀ ନୂଆ ନୂଆ ରୂପରେ ସାମନାକୁ ଆସୁଛି। ଯେଉଁ ପ୍ରକାର ଅଭିଯୋଗରେ ଜଣେ ଜିଆରଏସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି, ସମାନ ଧରଣର ଅଭିଯୋଗରେ ଆଉ ଜଣେ ଜିଆରଏସଙ୍କୁ କେବଳ ବଦଳି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ବି ବଦଳାଇ ଦିଆଯାଇଛି। ଏହାକୁ ନେଇ ଏବେ ଗ୍ରାମବାସୀ ଏବଂ ବଦଳି ହୋଇଥିବା କିଛି ଜିଆରଏସ୍‌ ପ୍ରଶ୍ନ ଉଠାଇଛନ୍ତି। ମ‌ାହାଙ୍ଗା ବ୍ଲକ୍‌ର ଲଳିତଗିରି ପଞ୍ଚାୟତରେ ଜିଆରଏସ୍‌ ବିଶ୍ବ ପ୍ରତାପ ନାୟକଙ୍କ ବାପା ଧନେଶ୍ବର ନାୟକ ପୂର୍ବରୁ ଆବାସ ଯୋଜନାରେ ଘର ପାଇଥିଲେ। ପୁଣି ତାଙ୍କ ନାମ ୨୦୧୯-୨୦ରେ ଆବାସ ତାଲିକାରେ ଚୂଡ଼ାନ୍ତ ହେବା ସହ ତାଲିକା ପ୍ରକାଶ ପାଇଥିଲା। ଏ ନେଇ ଅଭିଯୋଗ ହେବାପରେ ତାଙ୍କ ନାମକୁ ତାଲିକାରୁ ବାଦ୍‌ ଦିଆଗଲା।

ବିଶ୍ବପ୍ରତାପଙ୍କୁ ନିଆଳି ବ୍ଲକ ସିଠାଳୋ ପଂଚାୟତକୁ ବଦଳି କରାଗଲା। କିନ୍ତୁ ପୂର୍ବ ନିର୍ଦ୍ଦେଶକୁ ବାତିଲ କରାଯାଇ ବିଶ୍ବପ୍ରତାପଙ୍କୁ ଏବେ ନିଶ୍ଚିନ୍ତକୋଇଲି ବ୍ଳକ୍ ଇଷାନୀ ବ୍ରହ୍ମପୁର ପଞ୍ଚାୟତକୁ ବଦଳି କରାଯାଇଛି। ବିଶ୍ବପ୍ରତାପଙ୍କ କ୍ଷେତ୍ରରେ ପ୍ରଶାସନର ଏଭଳି ଅନୁକଂପାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କାହା ଛତ୍ରଛାୟାରେ ରହି ବିଶ୍ବପ୍ରତାପ ପ୍ରଶାସନର ସୁରକ୍ଷା ପାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ମାହାଙ୍ଗା ବ୍ଲକ ନୃତ୍ତାଙ୍ଗ ପଞ୍ଚାୟତରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭିକାରି ଚରଣ ସ୍ବାଇଁଙ୍କ ଭାଇ ତ୍ରିଲୋଚନ ସ୍ବାଇଁଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ରହିଥିଲା। ଅଭିଯୋଗ ସାମନାକୁ ଆସିବା ପରେ ଏହାକୁ ନେଇ କଟକ ଡିଆର୍‌ଡିଏ ପିଡିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ କରାଯିବା ସହ ନୃତ୍ତାଙ୍ଗ ପିଇଓ ଓ ଜିଆରଏସ୍‌ଙ୍କୁ କୈଫିୟତ୍‌ ତଲବ୍‌ କରାଯାଇଥିଲା। ପରେ ଜିଆରଏସ୍‌ ଦୈତାରୀ ସାମଲଙ୍କୁ ବହିଷ୍କାର କରାଯାଇଥିଲା। ମାହାଙ୍ଗାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭିକାରି ଚରଣ ସ୍ବାଇଁଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ସମାନ ଅଭିଯୋଗ ଥାଇ ବି ଲଳିତଗିରି ଜିଆରଏସ କିଭଳି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଲେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏଭଳି କେଳେଙ୍କାରୀ ପରିପ୍ରେକ୍ଷୀରେ ଜିଲ୍ଲାରେ ଜିଆରଏସ୍ ମାନେ ନିଜ ପଞ୍ଚାୟତରେ ରହିପାରିବେନି ବୋଲି ନିଷ୍ପତ୍ତି ନିଆଯାଇ ୨୧୧ଜଣ ଜିଆରଏସ୍‌ଙ୍କ ବଦଳି କରାଯାଇଥିଲା। ସେଥିରେ ଲଳିତଗିରି ଜିଆରଏସ୍‌ ବିଶ୍ବପ୍ରତାପ ନାୟକଙ୍କୁ ମଧ୍ୟ ବଦଳି କରାଯାଇଥିଲା। କିନ୍ତୁ ୨୧୧ ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ବିଶ୍ବପ୍ରତାପ ଓ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କ ବଦଳି ନିର୍ଦ୍ଦେଶ ବଦଳିଛି। ବିଶ୍ବପ୍ରତାପଙ୍କୁ ନିଶ୍ଚିନ୍ତକୋଇଲି ଅଣା ଯାଇଥିବା ବେଳେ ସୂର୍ଯ୍ୟକାନ୍ତଙ୍କୁ ଆଠଗଡ଼ ବ୍ଳକ୍‌ର ଅନନ୍ତପୁରକୁ ବଦଳି କରାଯାଇଛି। ଏହାକୁ ନେଇ ଏବେ ଅସନ୍ତୋଷ ଦାନା ବାନ୍ଧୁଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ୨୧୧ଜଣ ଜିଆରଏସ୍‌ଙ୍କ ବଦଳି ହୋଇଥିଲେ ବି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଏଯାଏ ସେମାନଙ୍କ ନୂତନ ସ୍ଥାନରେ ଯୋଗ ଦେଇନାହାନ୍ତି।

ସମ୍ବନ୍ଧିତ ଖବର