ଶ୍ରୀମନ୍ଦିରର ପତିତପାବନ ବାନା ଛିଣ୍ଡାଇଲେ, ବାନ୍ଧିଲେ ଗାମୁଛା

ଠାକୁରଙ୍କର ହେଲା ମାଜଣା, ମହାସ୍ନାନ

ପୁରୀ : ଶନିବାର ସମସ୍ତଙ୍କ ଆଖିରେ ଧୂଳି ଦେଇ ଶ୍ରୀମନ୍ଦିର ଉପରକୁ ଚଢିଥିଲେ ଜଣେ ନାବାଳକ। ପତିତପାବନ ବାନାକୁ ଚିରି ସେଠାରେ ତାଙ୍କ ଗାମୁଛା ବାନ୍ଧି ଦେଇଥିଲେ। ତଳକୁ ଓହ୍ଲାଇବା ବେଳେ ପୁଲିସ ତାଙ୍କୁ ଧରି ନେଇ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦେଇଛି। ସମ୍ପୃକ୍ତ ନାବାଳକ ଜଣକ ଭଦ୍ରକ ଅଞ୍ଚଳର ବୋଲି ଜଣାଯାଇଛି। ପତିତପାବନ ସ୍ଥାନରେ ଗାମୁଛା ବନ୍ଧା ଯାଇଥିବାରୁ ଠାକୁରଙ୍କର ମାଜଣା ସହ ମହାସ୍ନାନ ନୀତି କରାଯାଇଛି।

ଆଜି ସକାଳ ପ୍ରାୟ ୮ଟା ୧୫ ବେ‌ଳକୁ ବଡ଼ଦେଉଳ ଉପରକୁ  ଏହି ନାବାଳକ ଚଢ଼ିଯାଇଥିଲେ।  ସେ ନୀଳଚକ୍ରରୁ ଜଗମୋହନକୁ ବନ୍ଧାଯାଇଥିବା ବାନା ମାଳକୁ ଧରିଥିଲେ। ସେଠାରେ ଥିବା ଏକ ବାନାକୁ ଛିଣ୍ଡାଇବା ପରେ ନୀଳଚକ୍ର ତଳକୁ ଥିବା ଅଁଳାବେଢା ଆର୍ଥିଂ ତାରରେ ନିଜ ଗାମୁଛା ଖୋଲି ସେଠାରେ ବାନ୍ଧି ଦେଇଥିଲେ। ଏହା ପରେ ବାନା ଖଣ୍ଡିକୁ ଧରି ତଳକୁ ଓହ୍ଳାଇଥିଲେ।

ପତିତପାବନ ବାନା ଛିଣ୍ଡାଇ କେହି ଜଣେ ସେହି ସ୍ଥାନରେ ନିଜ ଗାମୁଛା ବାନ୍ଧିଥିବା ସଂପର୍କରେ ଖବର ପାଇଥିଲା ପୁଲିସ। ଫଳରେ, ଶ୍ରୀମନ୍ଦିରରେ ହଇଚଇ ହୋଇଉଠିଥିଲା। ତୁରନ୍ତ ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ ମନ୍ଦିର ଉପରକୁ ଉଠିଥିଲେ। ଅଧାବାଟରୁ ନାବାଳକଙ୍କୁ ଧରିଥିଲେ। ସାଙ୍ଗରେ ଧରି ତଳକୁ ଓହ୍ଲାଇବା ପରେ ସିଂହଦ୍ବାର ଥାନାକୁ ନେଇଥିଲେ। ଥାନାରେ ପୁଲିସ ତାଙ୍କୁ ଗୁଡେଇତୁଡେଇ ପଚରାଉଚରା କରିଥିଲା। ପୁଲିସ ଜେରା ସମୟରେ ନିଜ ନାମ ରବି ମହନ୍ତ (ଛଦ୍ମନାମ), ଘର ଭଦ୍ରକ ବୋଲି କହିବା ବ୍ୟତୀତ ନାବାଳକ ଜଣକ ଆଉ କିଛି କହିନଥିଲେ। ତାଙ୍କ ପାଟି ଲାଗୁଥିଲା। ସେ ଖନେଇ ଖନେଇ କହୁଥିଲେ। ପୁଲିସ ୫ ଥର ପଚାରିଲେ, ମାତ୍ର ଥରଟିଏ ଉତ୍ତର ଦେଉଥିଲେ। କିଛି ସମୟ ଅଟକ ରଖିବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା।

ତେଣେ ପତିତପାବନ ବାନା ସ୍ଥାନରେ ଗାମୁଛା ବନ୍ଧାଯାଇଥିବାରୁ ଏହା ଠାକୁରଙ୍କ ନୀତିକୁ ପ୍ରଭାବିତ କରିଥିଲା। ବଡ଼ଦେଉଳରେ ଠାକୁରଙ୍କର ମାଜଣା ନୀତି ସାଙ୍ଗକୁ ମହାସ୍ନାନ ହୋଇଥିଲା।

ତେବେ ସମସ୍ତଙ୍କ ନଜରକୁ ଧୋକା ଦେଇ ନାବାଳକ ଜଣକ ବଡ଼ଦେଉଳ ଉପରକୁ ଉଠିଲେ କେମିତି ବୋଲି ସେବାୟତମାନେ ପ୍ରଶ୍ନ କରିଥିଲେ। ପଚରାଉଚରା ବେଳେ ସମ୍ପୃକ୍ତ ନାବାଳକ ଜଣକ ଏଏସ୍‌ଆଇ ପକ୍ଷରୁ ମରାମତି ପାଇଁ ଲଗାଯାଇଥିବା ଶିଡ଼ି ବାଟେ ମନ୍ଦିରକୁ ଚଢିଥିବା ଜଣାପଡ଼ିଥିଲା। ଏଏସ୍‌ଆଇ ପକ୍ଷରୁ ମନ୍ଦିର ଦକ୍ଷିଣିଘର ପଛପଟକୁ ଏହି ଶିଡ଼ି ଲାଗିଛି। ଏବେ ଶ୍ରୀମନ୍ଦିର ମରାମତି କାମ ହେଉନଥିବା ବେଳେ ଶିଡ଼ିଟି ସେମିତି ଲାଗି ରହିଛି। ଏହାକୁ ଜଗିବା ପାଇଁ କିଛି ବ୍ୟବସ୍ଥା ବି ନାହିଁ। ଏସ୍‌ଆଇ କିମ୍ବା ପୁଲିସ୍‌ର ଏଥିପ୍ରତି ନିଘା ନାହିଁ। ଯାହା ଶ୍ରୀମନ୍ଦିର ସୁରକ୍ଷା ପାଇଁ ମାରାତ୍ମକ ବୋଲି ସେବାୟତମାନେ କହିଛନ୍ତି।

ସମ୍ବନ୍ଧିତ ଖବର