‘କଟକ’ ଜିଲ୍ଲାରେ ପଶିଲେ ମାଓବାଦୀ

ନରସିଂହପୁରରେ ଲାଲବାହିନୀର ଗ୍ରାମସଭା ପରେ ସିଆରପିଏଫ୍‌-ଡିଭିଏଫ୍‌-ପୁଲିସର କମ୍ବିଂ ଅପରେସନ୍‌

କଟକ/ନରସିଂହପୁର : କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ଆରମ୍ଭ କରିଛି ଲାଲବାହିନୀ। ଆତଙ୍କ ସୃଷ୍ଟି କରିବା ପାଇଁ ଆରମ୍ଭ କରିଛି ପ୍ରୟାସ। ଗତକାଲି ରାତିରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ନରସିଂହପୁର ବ୍ଲକ୍‌ ରେଗେଡ଼ା ପଞ୍ଚାୟତର କୁଶଖଳି ଗ୍ରାମରେ ଦୀର୍ଘ ୪ଘଣ୍ଟା ଧରି ଗ୍ରାମସଭା କରିଛନ୍ତି ମାଓବାଦୀ। ଲୋକଙ୍କ ସମସ୍ୟା ସଂପର୍କରେ ପଚାରିବା ବୁଝିବା ସହ ସାତକୋଶିଆ ଅଭୟାରଣ୍ୟରୁ ଗ୍ରାମବାସୀଙ୍କୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରିବେ, ପ୍ରତି ମାସରେ ଗାଁରେ ସଭା କରିବେ, ପ୍ରଜାକୋର୍ଟରେ ଦୁର୍ନୀତିଗ୍ରସ୍ତ ଓ ଶୋଷଣକାରୀ ଅଧିକାରୀଙ୍କୁ ଦଣ୍ଡ ଦେବାକୁ ଘୋଷଣା କରିଛନ୍ତି। ଗ୍ରାମବାସୀଙ୍କ ଠାରୁ ଖାଦ୍ୟ ପଦାର୍ଥ ସଂଗ୍ରହ କରିବା ସହ ସେମାନଙ୍କ ସହ ରାତିରେ ଖାଇଛନ୍ତି। ମାଓବାଦୀଙ୍କ ଦ୍ୱାରା ଏଭଳି ଘଟଣା କଟକ ଜିଲ୍ଲାରେ ପ୍ରଥମ ଥର ଘଟିଛି।

ମାଓବାଦୀ କାର୍ଯ୍ୟକଳାପ ସଂପର୍କରେ ସୂଚନା ମିଳିବା ପରେ ସିଆରପିଏଫ୍‌, ଡିଭିଏଫ୍‌ ସହାୟତାରେ ପୁଲିସ ଅନୁଗୁଳ-ନରସିଂହପୁର ସୀମାବର୍ତ୍ତୀ ଟୁଲୁକା ଜଙ୍ଗଲ ଓ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଜଙ୍ଗଲରେ କୁମ୍ବିଂ ଅପରେସନ୍‌କୁ ଜୋରଦାର କରିଛି। କଟକ ଗ୍ରାମାଞ୍ଚଳ ଏସ୍‌.ପି ମାଧବ ଚନ୍ଦ୍ର ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ନରସିଂହପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ କୁମ୍ବିଂ ଅପରେସନ୍‌ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୮ଟା ବେଳେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା କୁଶଖଳି ଗାଁରେ ପହଞ୍ଚିଲେ ୧୧/୧୨ଜଣ ସଶସ୍ତ୍ର ମହିଳା ଓ ପୁରୁଷ। ସେମାନଙ୍କ ହାତରେ ଥିଲା ବନ୍ଧୁକ। ଦଳରେ ୨/୩ ଜଣ ମହିଳା ଥିଲେ। ନିଜକୁ ମାଓବାଦୀ ବୋଲି ପରିଚୟ ଦେଇଥିଲେ। ଗରିବଙ୍କ ସୁବିଧା ପାଇଁ ଲଢ଼ୁଛୁ ବୋଲି କହିଥିଲେ। ଗାଁ କୋଠଘରେ ବସି ଗ୍ରାମ କମିଟି ସଭାପତିଙ୍କୁ ଡକାଇଥିଲେ। ଗ୍ରାମ କମିଟି ସଭାପତି ପହଞ୍ଚିବା ପରେ ଗାଁ ଲୋକଙ୍କୁ ଡାକିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କୋଠଘରେ ବିଭିନ୍ନ ଜିନିଷ ଗଦା ହୋଇଥିବାରୁ ଜଣେ ବ୍ୟକ୍ତିଙ୍କ ଖୋଲା ଚାଳିଆରେ ସଭା ବସିଥିଲା। ଗାଁର ୬୦ଟି ପରିବାରର ସବୁ ଲୋକ ସେଠାରେ ପହଞ୍ଚିବା ପରେ ସଭା ଆରମ୍ଭ ହୋଇଥିଲା। ସେହି ଦଳରେ ଥିବା ୨ ଜଣ ମହିଳା ବିପ୍ଲବୀ ସଙ୍ଗୀତ ଗାଇବା ପରେ ଆରମ୍ଭ ହୋଇଥିଲା ଆଲୋଚନା। ସବୁ ଗ୍ରାମବାସୀଙ୍କୁ ସେମାନଙ୍କର ମୋବାଇଲ୍‌ ଫୋନ୍‌ ବନ୍ଦ କରିବାକୁ କୁହାଯାଇଥିଲା। କେହି ଯେଭଳି ପୁଲିସକୁ ଖବର ନ ଦେବେ ସେଥିପାଇଁ ସେମାନଙ୍କୁ ତାଗିଦ୍‌ କରାଯାଇଥିଲା।

ଦଳପତି ପ୍ରଥମେ ଗ୍ରାମବାସୀଙ୍କୁ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କର ପଚାରି ଥିଲେ। କୁଶଖଳି ଗାଁଟି ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବାରୁ ଗ୍ରାମବାସୀ ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ। ଅଭୟାରଣ୍ୟ ଅଞ୍ଚଳରୁ ସେମାନଙ୍କୁ ମୁକ୍ତ କରିବା ପାଇଁ ଗ୍ରାମବାସୀ କହିଥିଲେ। ସାତକୋଶିଆ ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକୁ ଅଭୟାରଣ୍ୟ ଅଞ୍ଚଳରୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରାଯିବ ବୋଲି ମାଓବାଦୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯେଉଁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ, ଅଧିକାରୀ, କୁଜି ନେତା ହଇରାଣ କରୁଛନ୍ତି ସେମାନଙ୍କର ନାଁ କୁହ, ସେମାନଙ୍କୁ ସାବାଡ଼ କରାଯିବ ବୋଲି ଦଳପତି କହିଥିଲେ। ପ୍ରାୟ ୩ ଘଣ୍ଟା କାଳ ଏ ପ୍ରକାର ଆଲୋଚନା ଚାଲିଥିଲା। ପ୍ରତି ମାସରେ ତୁମ ଗାଁକୁ ଆସିବୁ, ତୁମର ସୁବିଧା ଅସୁବିଧା ବୁଝିବୁ ବୋଲି ଦଳପତି ପ୍ରତିଶ୍ରୁତି ଦେଇଥିଲେ। ବୈଠକ ସରିବା ପରେ ମାଓବାଦୀମାନେ ଗାଁ ଲୋକଙ୍କ ଘରୁ ପଖାଳ ମଗାଇ ଖାଇଥିଲେ। ଚାଉଳ, ଡାଲି, ପରିବା, ତେଲ, ପିଆଜ, ରସୁଣ, ଲଙ୍କ, ଲୁଣ… ଇତ୍ୟାଦି ଯାହା ପାଖରେ ଯାହା ଅଛି, ଆଣି ଦେବାକୁ କହିଥିଲେ। ଗ୍ରାମବାସୀମାନେ ସେସବୁ ସାମଗ୍ରୀ ଆଣି ଦେବା ପରେ ସମସ୍ତଙ୍କ ସହ ହାତ ମିଳାଇ ରାତି ପ୍ରାୟ ୧୧ଟା ବେଳକୁ ମାଓ ଦଳ ଜଙ୍ଗଲକୁ ଚାଲି ଯାଇଥିଲେ।

ନରସିଂହପୁର ବ୍ଲକର ଜିଲିଣ୍ଡା ଅଞ୍ଚଳ ନିକଟ ସାତକୋଶିଆ ଜଙ୍ଗଲ ଭିତରେ ମାଓବାଦୀଙ୍କ ଉପସ୍ଥିତି ନେଇ ଆଗରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଭଳି ଗାଁରେ ଖୁଲମ୍‌ଖୁଲା ସଭା କରିବା ଘଟଣା ନରସିଂହପୁର ତଥା କଟକ ଜିଲ୍ଲାରେ ପ୍ରଥମ। ମାଓବାଦୀଙ୍କ ଉପସ୍ଥିତି ନେଇ ଦୁଇ ମାସ ପୂର୍ବରୁ ଯୋଡୁମ୍‌ ଫାଣ୍ଡିରେ ସୁରକ୍ଷା ପାଇଁ ଏକ ପ୍ଲାଟୁନ୍‌ ଆଇଆରବିଏନ୍‌ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଆଜିର ଘଟଣାପରେ ଯୋଡୁମ୍‌ ଫାଣ୍ଡିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ବର୍ତ୍ତମାନ ଫାଣ୍ଡି ସୁରକ୍ଷା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ, ଆଠଗଡ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ନରସିଂହପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ଅଂଚଳବାସୀ ଏହି ଘଟଣାକୁ ନେଇ ଭୟଭୀତ ନହେବା ଏବଂ ପୁଲିସକୁ ସହଯୋଗ କରିବାକୁ ଏସ୍‌ପି ଶ୍ରୀ ସାହୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର