ସରିଲା ମାଟ୍ରିକ୍ ଖାତା ମୂଲ୍ୟାୟନ : ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷା ଫଳ!

ଅନିଶ୍ଚିତତାରେ ୮୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆଜି ସମାପ୍ତ ହୋଇଛି। ଏବେ ମାର୍କ ପୋଷ୍ଟିଂ ସମେତ ମାର୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୫ଦିନ ମଧ୍ୟରେ ଏହା ଶେଷ ହେବାକୁ ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। କିନ୍ତୁ ସମୂହ କପି ପାଇଁ ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା କେନ୍ଦ୍ର ଓ ଗଣିତ ଓଏମ୍‌ଆର୍‌ ହଜିଥିବା ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଏବେ ଚୂଡାନ୍ତ ହୋଇନାହିଁ। ପରୀକ୍ଷା ଫଳ ଅନ୍ତିମ ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା କମିଟି ଦ୍ବାରା ଏହି ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବାକୁ ସ୍ଥିର ହୋଇଛି।

ବୋର୍ଡ ପକ୍ଷରୁ ମାର୍ଚ୍ଚ ୨୫ରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ ୧୬ହଜାର ୩୦ଜଣ ପରୀକ୍ଷକ ନିୟୋଜିତ ହୋଇଥିଲେ। ମୂଲ୍ୟାୟନ କାର୍ଯ୍ୟ ରାଜ୍ୟର ୬୦ଟି କେନ୍ଦ୍ର ଚାଲିଥିଲା। ଅନ୍ୟପକ୍ଷରେ ମାଟ୍ରିକ୍‌ର ଇଂରାଜୀ ପରୀକ୍ଷାରେ ମାସ୍‌ କପି ପାଇଁ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲାର ପି.ଆର.ହାଇସ୍କୁଲ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ ମୋଟ ୬୭୫ଜଣ ପରୀକ୍ଷାର୍ଥୀ ସମେତ ମାଲକାନାଗିରିର ଏସ୍‌ଏସ୍‌ଡି ହାଇସ୍କୁଲ କେନ୍ଦ୍ରରେ ଗଣିତ ଓଏମ୍‌୍ଆର୍‌ ହଜିଥିବା ୧୦୮ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ଏଯାଏ ଆଲୋଚନା ହୋଇନାହିଁ। ବୋର୍ଡ ପକ୍ଷରୁ ମାର୍ଚ୍ଚରେ ପରୀକ୍ଷା କମିଟି ବୈଠକ ବସିଥିଲେ ହେଁ, ୮୮୩ଜଣ ପରୀକ୍ଷାର୍ଥୀ ବିଷୟରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ଏବିଷୟରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ କହିଛନ୍ତି ଯେ, ପରୀକ୍ଷା ଖାତା ମୂଲ୍ୟାୟନ ଆଜି ‌େ‌ଶଷ ହୋଇଛି। କିନ୍ତୁ ମାର୍କ ପୋ‌ଷ୍ଟିଂ ଓ ମାର୍କ ଯାଞ୍ଚ ପ୍ରକ୍ରିୟା ଆଉ ୧୫ଦିନ ଲାଗିବ। ପରେ ପରୀକ୍ଷା ଫଳ ପ୍ରକାଶ ବିଷୟରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଇଂରାଜୀ ପରୀକ୍ଷା ବାତିଲି ହୋଇଥିବା ଓ ଓଏମ୍‌୍୍ଆର୍‌ ହଜିଥିବା ପରୀକ୍ଷାର୍ଥୀଙ୍କ ବିଷୟରେ ପରୀକ୍ଷା କମିଟିରେ ନିଷ୍ପତ୍ତି ନିଆଯିବା ପରେ ସେମାନଙ୍କ ବିଷୟରେ ଆଲୋଚନା ହେବ। କିନ୍ତୁ ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ହେବ ବୋଲି ସଭାପତି ଡକ୍ଟର ବେଗମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର