ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଏଣିକି ରାଜ୍ୟ ସରକାର ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଦରଦାମ ବୃଦ୍ଧି ଯୋଗୁଁ ସରକାର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମଧ୍ୟାହ୍ନ ଭୋଜନର ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ ହୋଇଛି ଯେ, ପ୍ରାଥମିକ ବିଦ୍ୟାଳୟରେ ଜଣେ ପିଲାର ମଧ୍ୟାହ୍ନ ଭୋଜନ ପାଇଁ ୪ଟଙ୍କା ୯୩ ପଇସାରୁ ୫ଟଙ୍କା ୪୨ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭ଟଙ୍କା ୩୬ ପଇସାରୁ ୮ଟଙ୍କା ୧୦ ପଇସାକୁ ବୃଦ୍ଧି ହୋଇଛି । ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।

ସୂଚନାଯୋଗ୍ୟ, ଅତୀତରେ ଅନେକ ଗୁଡ଼ିଏ ବିଦ୍ୟାଳୟର ଶିକ୍ଷକମାନେ ଅଭିଯୋଗ କରିଥିଲେ ଯେ, ମଧ୍ୟାହ୍ନ ଭୋଜନ ପାଇଁ ପିଲା ପିଛା କମ ଟଙ୍କା ଟଙ୍କା ମିଳୁଥିବାରୁ ଖାଦ୍ୟର ଗୁଣବତ୍ତା ରହୁନାହିଁ । ସରକାର ଯେତିକି ଟଙ୍କା ଦେଉଛନ୍ତି, ସେଥିରେ ସବୁ କାଠ, ପନିପରିବା, ତେଲ, ପରିବହନ ଖର୍ଚ୍ଚକୁ ପହଞ୍ଚିପାରୁ ନାହିଁ । ଫଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ ଆସିଛି ।

ଅନ୍ୟପଟରେ ମଧ୍ୟାହ୍ନ ଭୋଜନର ପରିଚାଳନା ଗତ ତ୍ରୁଟି ପାଇଁ ଘୋର ଅବ୍ୟବସ୍ଥା ଦେଖାଯାଇଥିବା ନେଇ ଅଭିଭାବକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିବା, ଡାଲମାରେ ପନିପରିବା ନ ଦିଆଯିବା ଆଦି ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର