ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ବୃଦ୍ଧି କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଳୟଙ୍କରୀ ବାତ୍ୟା ଏବଂ ବିଗତ ବର୍ଷ ମାନଙ୍କରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଅନୁଭୂତି ଭିତ୍ତିରେ ଆଗାମୀ ଦିନ ପାଇଁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପାଢ଼ୀ ଏହା କହିଛନ୍ତି।

ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ନିମନ୍ତେ ମାନବ ସମ୍ବଳକୁ ଅଧିକ ପ୍ରଶିକ୍ଷିତ କରିବା ଏବଂ ଯେଉଁ ପ୍ରକାରର ଯନ୍ତ୍ରପାତି ଗୁଡ଼ିକ ବିଶେଷ ସହାୟକ ହେଉଛି ସେସବୁକୁ ଅଧିକ ପରିମାଣରେ ଓସ୍‌ଡେମା, ପୁଲିସ ଏବଂ ଅଗ୍ନିଶମ ସର୍ଭିସ ଷ୍ଟେସନ ମାନଙ୍କରେ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜରୁରୀକାଳୀନ ଉଦ୍ଧାର ସୁରକ୍ଷା ପାଇଁ ଥିବା ଯନ୍ତ୍ରପାତି ଗୁଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ନିର୍ଭରଯୋଗ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ତ୍ରତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ରାଜ୍ୟରେ ଥିବା ମାନବ ଓ ସରଂଜାମ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ବିଗତ ଦିନ ମାନଙ୍କରେ ଆସ୍କା ଲାଇଟ୍‌ ପରି ଫୁଲାଯାଇ ପାରୁଥିବା ଟାଓ୍ଵାର ଲାଇଟ୍‌ ଅଧିକ ସହାୟକ ହୋଇଥିବାରୁ ଅଧିକ ୨୦୦ଟି ଲାଇଟ୍‌ କିଣି ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର