ମେଡିକାଲ କର୍ତୃପକ୍ଷ ଚାହିଁଲେନି : ୧୦ ଘଣ୍ଟା ପଡ଼ିରହିଲା ଶବ

ଚମ୍ପୁଆ : ଦୀର୍ଘ ଦଶଘଣ୍ଟା ଧରି ଡାକ୍ତରଖାନାରେ ପଡ଼ିରହିଲା ନାବାଳକର ମୃତଦେହ। କାରଣ ଆଈ ପାଖରେ ଟଙ୍କା ନଥିଲା। ଚମ୍ପୁଆ ଡାକ୍ତରଖାନାର ଏହି ଦୃଶ୍ୟ ପୁଣି ସରକାରୀ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଭଦ୍ରସାହି ଗଜରାତ ନାଏକଙ୍କ ପୁଅ ବିଶାଲ ନାଏକ (୧୦) ଅସୁସ୍ଥ ଥିବାରୁ ଦୁଇଦିନ ତଳେ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ତା’ର ଆଈ ଲିଲିମଣି ନାଏକ। ୬୪ ନମ୍ବର ଶଯ୍ୟାରେ ତାକୁ ଚିକିତ୍ସା କରାଯାଉଥିଲା। ଗତକାଲି ରାତି ପ୍ରାୟ ୩ ଟାରେ ବିଶାଲର ମୃତ୍ୟୁ ହୋଇଥିଲା। ନାତିର ମୃତ୍ୟୁ ହୋଇଥିଲେ ହେଁ ପାଖରେ ଟଙ୍କା ନଥିବାରୁ ଆଈ ଲିଲିମଣି କିଛି କରିପାରି ନଥିଲେ। ତେଣୁ ସେହି ଡାକ୍ତରଖାନା ବେଡ୍‌ରେ ହିଁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରାୟ ୧୦ ଘଣ୍ଟା ଧରି ମୃତଦେହ ପଡ଼ି ରହିଥିଲା। ଏହା ନିକଟରେ ଥିବା ରୋଗୀ ଓ ସଂପର୍କୀୟଙ୍କୁ ଘୋର ଅସ୍ବସ୍ତିରେ ପକାଇଥିଲା। ତଥାପି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଏହା ଉପରେ ପଡ଼ି ନଥିଲା କି କିଛି ଚିନ୍ତା ବି ନଥିଲା। ଡାକ୍ତରଖାନା ଅଧିକାରୀ କେବଳ ଏକ କାଗଜ ସ୍ଲିପ୍‌ ଧରାଇଦେଇ ଚୁପ୍ ରହି ଯାଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଯିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା। ଏହାପରେ ତୁରନ୍ତ ଏନ୍ଏସି ନିର୍ବାହୀ ଅଧିକାରୀ ସପନ କୁମାର ସାହୁଙ୍କୁ ଯୋଗାଯୋଗ କରି ଏକ ଆମ୍ବୁଲାନ୍ସରେ ମୃତଦେହକୁ ତାଙ୍କ ଗାଁକୁ ପଠା ଯାଇଥିଲା। ସେତେବେଳକୁ ଦିନ ପ୍ରାୟ ଦୁଇଟା ବାଜି ସାରିଥିଲା।

ଏ ବାବଦରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସା ଅଧିକାରୀ କର୍ଣ୍ଣରାମ ମହାନ୍ତଙ୍କୁ ପଚାରିବାରୁ କାଗଜପତ୍ର ହେବାରେ ବିଳମ୍ବ ହେଲା ବୋଲି ସଫେଇ ଦେଇଛନ୍ତି। ଅପରପକ୍ଷେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପଯାଏ କାହିଁକି ଶବ ଉଠିନଥିଲା ଏବଂ ସେମାନେ ଯାଇନଥିଲେ ‌ତାହା ସେମିତି କେତେ ସମୟ ପଡ଼ିରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି। ‘ଦାନ ମାଝି’ ପ୍ରକରଣରୁ ସରକାରୀ କର୍ମଚାରୀମାନେ କିଛି ଶିକ୍ଷା ଲାଭ କରିନଥିବା ଏଥିରୁ ସ୍ପଷ୍ଟ ହୋଇଥିଲାବେଳେ ସେମାନଙ୍କ ସମ୍ବେଦନଶୂନ୍ୟତା ସାଧାରଣ ଲୋକଙ୍କ ପାଇଁ ଘାତକ ହେଉଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର