ନିଖୋଜ ଜେଲ୍‌ ୱାର୍ଡରଙ୍କ ଝୁଲନ୍ତା ଶବ ଉଦ୍ଧାର

କରଞ୍ଜିଆ : କରଞ୍ଜିଆ ସବ୍‌ଜେଲ୍‌ର ନିଖୋଜ ୱାର୍ଡର ସୁକାନ୍ତ ବେହେରାଙ୍କ ଝୁଲନ୍ତା ମୃତଦେହ ଆଜି ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତ ୱାର୍ଡର ସୁକାନ୍ତ ହେଉଛନ୍ତି ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଡାକଟା ଗାଁର ଯଦୁମଣି ବେହେରାଙ୍କ ପୁଅ। ଗତ ୧୮ ତାରିଖ ରାତିରୁ ସେ ନିଖୋଜ ଥିଲେ। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ମଧ୍ୟ ପୁଲିସ ଏନେଇ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଗତ ୧୬ ତାରିଖରେ କଏଦୀ ଭଗବାନ ଟୁଡୁ ଜେଲ୍‌ରୁ ଫେରାର ହୋଇ ଯାଇଥିଲା। ଏହି ଘଟଣା ପାଇଁ ବିଭାଗୀୟ ଅଧିକାରୀ ୱାର୍ଡର ସୁକାନ୍ତ ବେହେରାଙ୍କ ଉପରେ ଦୋଷ ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ୧୮ ତାରିଖ ରାତିରେ ସୁକାନ୍ତ କୁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏନେଇ ସୁକାନ୍ତଙ୍କ ପତ୍ନୀଙ୍କ ଏତଲା ଆଧାରରେ କରଞ୍ଜିଆ ଥାନା ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା। ତେବେ ଆଜି କାଳିକାପୁର ଜଙ୍ଗଲରେ ଏକ ଗଛରେ ସୁକାନ୍ତଙ୍କ ଶବ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। କରଞ୍ଜିଆ ଥାନା ପୁଲିସ ଶବ ଉଦ୍ଧାର କରିଥି‌ଲା। ଏନେଇ କରଞ୍ଜିଆ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା? ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର