ପୁଲ୍‌ୱାମା ପରେ…ନୌସେନା ବି ଆକ୍ରମଣ ପ୍ରସ୍ତୁତି କରିଥିଲା

୨୧ ଦିନ ପରେ ଠାବ ହୋଇଥିଲା ପାକ୍‌ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରି କଡ଼ା ଜବାବ ଦେଇଥିଲା । ତେବେ ଏହି ସମୟରେ ଭାରତ ସମୁଦ୍ରରେ ବି ପାକିସ୍ତାନକୁ ଶିକ୍ଷା ଦେବାପାଇଁ ବଡ଼ ପ୍ରସ୍ତୁତି କରିଥିଲା। ପାକିସ୍ତାନ ଜଳ ସୀମା ନିକଟରେ ଭାରତ ପରମାଣୁ ବୁଡ଼ା ଜାହାଜ ଆଇଏନ୍‌ଏସ୍‌ ଚକ୍ର ମୁତୟନ କରିଥିବା ବେଳେ ଆକ୍ରମଣ ପାଇଁ ଅନେକ ବୁଡ଼ା ଜାହାଜକୁ ତୟାର ରଖାଯାଇଥିଲା। ବୁଡ଼ା ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର ଏବଂ ଅନ୍ୟ ଯୁଦ୍ଧାସ୍ତ୍ର ସହ ଭାରତୀୟ ନୌସେନାର ପ୍ରସ୍ତୁତି ପାକିସ୍ତାନର ନିଦ ହଜାଇ ଦେଇଥିଲା। ଭାରତ ଯେ କୌଣସି ମୁହୂର୍ତ୍ତରେ ଜଳ କ୍ଷେତ୍ରରେ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରି ପାକିସ୍ତାନ ତା’ର ରଣନୀତିରେ ପରିବର୍ତ୍ତନ ଆଣିଥିଲା। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ସବୁଠାରୁ ଉନ୍ନତ କୁହାଯାଉଥିବା ପିଏନ୍‌ଏସ୍‌ ସାଦ୍‌ ବୁଡ଼ାଜାହାଜ ଅଚାନକ ଜଳ କ୍ଷେତ୍ରରୁ ଗାଏବ ହୋଇଯିବା ପରେ ଭାରତର ଚିନ୍ତା ବଢ଼ିଥିଲା । ଏହି ବୁଡ଼ା ଜାହାଜର ଅବସ୍ଥିତି ଜାଣିବା ପାଇଁ ଭାରତୀୟ ନୌସେନା ଅଭିଯାନ ଆରମ୍ଭ କରିଥିଲା।

ପାକିସ୍ତାନର ପିଏନ୍‌ଏସ୍‌ ସାଦ୍‌ ବୁଡ଼ାଜାହାଜ ଗାଏବ ହେବା ପୂର୍ବରୁ କରାଚି ନିକଟରେ ରହିଥିବା ଖବର ଭାରତୀୟ ନୌସେନା ପାଖରେ ଥିଲା। କିନ୍ତୁ ଏହା ଗାଏବ ହେବାପରେ ଏହାର ପତ୍ତା ପାଇବା ମୁସ୍କିଲ ହୋଇପଡ଼ିଥିଲା। ପାକିସ୍ତାନର ଏହି ଶକ୍ତିଶାଳୀ ବୁଡ଼ାଜାହାଜ ଗୁଜରାଟ କିମ୍ବା ମହାରାଷ୍ଟ୍ର ତଟ ଅଂଚଳକୁ ଆସିଥିବା ଆଶଙ୍କାରେ ବ୍ୟାପକ ତଲାସି କରାଯାଇଥିଲା। ତେବେ ଏହାର କୌଣସି ସନ୍ଧାନ ମିଳିନଥିଲା। ଦୀର୍ଘ ୨୧ ଦିନର ତଲାସୀ ପରେ ଏହି ବୁଡ଼ା ଜାହାଜ ପାକିସ୍ତାନର ପଶ୍ଚିମ ତଟରେ ଯାଇ ରହିଥିବା ଉପଗ୍ରହ ତଥ୍ୟ ମାଧ୍ୟମରେ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର