ଆଜିଠୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ବର : ରାଜ୍ୟ ସରକାର ସାରା ରାଜ୍ୟରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେବା ପରେ କ୍ରୁଟ୍‌ କର୍ତ୍ତୃପକ୍ଷ ମଙ୍ଗଳବାରଠାରୁ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ‘ମୋ ବସ୍‌’ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସମସ୍ତ କ୍ୟାପଟେନ୍‌ ଓ ଗାଇଡ୍‌ ପାଇଁ ପିପିଇ କିଟ୍, ମାସ୍କ ଆଦି ନଥିବାରୁ ଏବଂ ଯାତ୍ରୀ ଚଳାଚଳ ନେଇ ଏସ୍‌ଓପି ପ୍ରସ୍ତୁତ ହୋଇନଥିବାରୁ କେବଳ ୭ଟି ରୁଟ୍‌ରେ ‘ମୋ ବସ୍‌’ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଅଧିକ ରୁଟ୍‌ରେ ବସ୍‌ ଚଲାଇବା ନେଇ ନିଷ୍ପତ୍ତି ହେବ।

କ୍ରୁଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ୭ଟି ରୁଟ୍‌ରେ ‌ପ୍ରାୟ ୪୦ଟି ବସ୍‌ ଚାଲିବ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହି ବସ୍‌ ସେବା ଉପଲବ୍ଧ ହେବ। କିନ୍ତୁ ଏବେ କେବଳ ବିନା ଶୀତତାପ ନିୟନ୍ତ୍ରିତ (ନନ୍‌ ଏସି) ବସ୍‌ ଚାଲିବ। ମୋ ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନଥିଲେ ଯାତ୍ରୀଙ୍କୁ ଉଠାଯିବନି। ସେହିପରି ଯେତିକି ସିଟ୍‌ ଥିବ ସର୍ବାଧିକ ସେତିକି ଯାତ୍ରୀ ଯାତ୍ରା କରିପାରିବେ। କେହି ଛିଡ଼ା ହୋଇ ଯିବେନି ବୋଲି କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି।

ଏବେ ରୁଟ୍‌ ନଂ ୧୦ରେ ବିମାନବନ୍ଦରରୁ ସିଡିଏ, କଟକ, ରୁଟ୍‌ ୧୧ରେ ନନ୍ଦନବିହାରରୁ ଲିଙ୍ଗିପୁର, ରୁଟ୍‌ ୧୬ରେ ମାଷ୍ଟରକ୍ୟାଣ୍ଟିନରୁ ସିଡିଏ, କଟକ, ରୁଟ୍‌ ୨୦ରେ ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, ରୁଟ୍‌ ୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌ ୨୫ରେ ଡୁମଡୁମାରୁ ମଞ୍ଚେଶ୍ବର, ରୁଟ୍‌ ୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍‌ସ ପର୍ଯ୍ୟନ୍ତ ବସ୍‌ ଚାଲିବ। ପ୍ରତି ରୁଟ୍‌ରେ ୩୦ମିନିଟ୍ ବ୍ୟବଧାନରେ ଗୋଟିଏ ବସ୍‌ ଚାଲିବ।

ମୋ ବସ୍‌ରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ଟିକେଟ୍‌ର ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ଅନୁରୋଧ କରାଯାଇଛି। ଖୁବ୍‌ଶୀଘ୍ର ଟ୍ୟାପ୍‌, ପେ କାର୍ଡ ଓ କ୍ୟୁଆର୍‌ କୋଡ୍‌ ସେବା ଆରମ୍ଭ ହେବ। ଡିଜିଟାଲ ଟିକେଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ। ପ୍ରତି ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର