ଭବାନୀପାଟଣାରେ ଦୋହରାଇଲେ ମୋଦୀ: ବିକାଶ ଆଣିବ ଡବଲ ଇଞ୍ଜିନ

ଗରିବଙ୍କୁ ଧୋକ୍‌କା ଦେଇଛନ୍ତି ବିଜେଡି, କଂଗ୍ରେସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ମଙ୍ଗଳବାର ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡବଲ ଇଞ୍ଜିନ କଥା ଦୋହରାଇଛନ୍ତି। ଡବଲ ଇଞ୍ଜିନ ଅର୍ଥାତ୍‌ ଉଭୟ କେନ୍ଦ୍ର ଓ ରାଜ୍ୟରେ ସମାନ ଦଳର ସରକାର ହିଁ ବିକାଶ ଆଣିବ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ବଖାଣିବା ସହ ସେ କହିଛନ୍ତି, କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରର ବିପୁଳ ଅର୍ଥ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁ ନଥିବା ଯୋଗୁଁ ରାଜ୍ୟବାସୀ ଏହାର ସୁଫଳ ପାଇପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନାର ଉଦାହରଣ ଦେଇ କେନ୍ଦ୍ରର ଏହି କଲ୍ୟାଣକାରୀ ଯୋଜନା ଓ ରାଜ୍ୟବାସୀଙ୍କ ମଧ୍ୟରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଥିବା କହିଛନ୍ତି। ଆଜି ପୂର୍ବାହ୍ନ ସାଢେ ୧୧ଟାରେ ପ୍ରଧାନମନ୍ତ୍ରୀ ରାୟପୁରରୁ ବାୟୁସେନାର ହେଲିକପ୍ଟର ଯୋଗେ ଭବାନୀପାଟଣା ଆସିଥିଲେ। ପ୍ରାରମ୍ଭରେ ସେ ଭବାନୀପାଟଣା ଓ କଳାହାଣ୍ଡିବାସୀଙ୍କୁ ମୋର ଜୁହାର ଓ ଆପଣମାନେ କେନ୍ତା ଅଛନ୍‌ ବୋଲି ସମ୍ବୋଧନ କରିଥିଲେ। କହିଥିଲେ, ଗତ ୫ବର୍ଷରେ ୮ଲକ୍ଷ ଗରିବ ପରିବାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଘର ଦିଆଯାଇଛି। ୨୪ ଲକ୍ଷ ପରିବାରଙ୍କୁ ମାଗଣାରେ ବିଜୁଳି ସେବା ପ୍ରଦାନ କରାଯାଇଛି। ୩ ହଜାର ଗାଁକୁ ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରାଯାଇଛି। ୪୦ ଲକ୍ଷ ଗରିବ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି। ୧ କୋଟି ୪୦ ଲକ୍ଷ ଗରିବ ଲୋକଙ୍କ ବ୍ୟାଙ୍କରେ ଖାତା ଖୋଲାଯାଇଛି। ୫୦ଲକ୍ଷ ପରିବାରରେ ଶୌଚାଳୟ ନିର୍ମାଣ କରି ମହିଳା ମାନଙ୍କୁ ସ୍ବାଭିମାନରେ ବଞ୍ଚିବା ପାଇଁ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏକ ନୂଆ ମନ୍ତ୍ରାଳୟ ଖୋଲାଯାଇଛି। ଏହା ଦ୍ବାରା ମତ୍ସ୍ୟଜୀବୀ ପରିବା‌ର ଉପକୃତ ହେବେ। ବାଉଁଶ ଆଇନକୁ ସଂ‌ଶୋଧନ କରାଯାଇଛି। ଯାହା ଦ୍ବାରା ବାଉଁଶ ଚାଷ ଓ ବିକ୍ରି ନେଇ ସ୍ବାଧୀନତା ମିଳିଛି। ଧାନ ଓ କପାର ସହାୟକ ମୁଲ୍ୟ କେନ୍ଦ୍ର ବୃଦ୍ଧି କରିଛି କିନ୍ତୁ ରାଜ୍ୟ ସରକାର ଏହି ମୂଲ୍ୟ ଚାଷୀଙ୍କୁ ଦେଇପାରୁ ନାହିଁ। ଭାରତ ଆୟୁଷ୍ମାନ ଯୋଜନାରେ ଗରିବ ଲୋକେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପାଇପାରନ୍ତେ କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁ ନାହାନ୍ତି।

ପୂର୍ବ ସାଂସଦ ସୁବ‌ାସ ନାୟକ, ପୂର୍ବ ବିଧାୟକ ଯୋଗୀରାମ ବେହେରା, ପ୍ରବୀଣ ଭଞ୍ଜଦେଓ, ପ୍ରମୋଦ ପଟ୍ଟନାୟକ, ଶରତ ନାଏକ ବିଜେପିରେ ଯୋଗଦେଲେ

ବାଜପେୟୀଙ୍କ ଅମଳରେ ପ୍ରଥମ ଥର ପାଇଁ ଆଦିବାସୀ ମନ୍ତ୍ରାଳୟ ଖୋଲା ଯାଇଥିଲା। ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୪୦୦ଟି ଏକଲବ୍ୟ ମଡେଲ ସ୍କୁଲ ଖୋଲା ସରିଛି। ଗରିବଙ୍କୁ ଭୋଟବ୍ୟାଙ୍କର ଆଧାର ଭାବି ଭୋଟ ହାତେଇ ପରେ ଉଭୟ କଂଗ୍ରେସ ଓ ବିଜେଡି ସେମାନଙ୍କୁ ଧୋକା ଦେଉଛନ୍ତି। ଯାହା ଫଳରେ ଆମ୍ବୁଲାନ୍ସ ନ ପାଇ ଦାନ ମାଝୀ ଭଳି ଆଦିବାସୀ ଯୁବକଙ୍କୁ ନିଜ ସ୍ତ୍ରୀର ମୃତଦେହ କାନ୍ଧେଇ ନେବାକୁ ପଡ଼ିଛି। ୭୦ ବର୍ଷ ଧରି କଂଗ୍ରେସ ଗରିବଙ୍କୁ ଆୟୁଧ କରି ନିର୍ବାଚନ ଲଢିଛି। ନିର୍ବାଚନ ଆସିଲେ ଗରିବ ଗରିବ ବୋଲି ମାଳା ଜପି ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚେଷ୍ଟା କରୁଛି। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗ‌ାନ୍ଧୀ କଳାହାଣ୍ଡି ଜିଲ୍ଲାକୁ ୧ ଟଙ୍କା କେନ୍ଦ୍ର ଅନୁଦାନ ଆସିଲେ ମାତ୍ର ୧୫ ପଇସା ଖର୍ଚ୍ଚ ହେଉଛି ବୋଲି କହିଥିଲେ। ଯଦି ସେ ରୋଗର କାରଣ ଜାଣିଥିଲେ, ଏହାର ନିଦାନ ପାଇଁ କାହିଁକି ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ଖଣି ମାଫିଆ, ଚିଟଫଣ୍ଡ ଭଳି ଦୁର୍ନୀତିରେ ଲିପ୍ତ ହୋଇ ଲୋକଙ୍କ ଅର୍ଥକୁ ହଡ଼ପ କରିଛନ୍ତି। ୧୯ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ତ୍ରିପୁରା ଭଳି ପରିବର୍ତ୍ତନ ହେବ ବୋଲି କହିଥିଲେ। ବିକାଶର ତ୍ବରାନ୍ବିତ କରିବା ପାଇଁ ଦେଶ ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି କହିଥିଲେ। ତେଣୁ ଆଗାମୀ ଦିନରେ ବିଜେପିକୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ନି‌ବେଦନ କରିଥିଲେ। କହିଥିଲେ ପୂର୍ବରୁ ସରକାର ଗରିବ ଲୋକଙ୍କ ପାଇଁ ପଠାଉଥିବା ଅର୍ଥ ବାଟମାରଣା ହେଉଥିଲା। ଏବେ ସେହି ବାଟମାରଣା କରିବାର ବାଟ ବନ୍ଦ କରି ଦେଇଛି ଚୌକିଦାର। ତେଣୁ ବାଟମାରଣାକାରୀମାନେ ଚୌକିଦାର ହଟାଅ ନାରା ଦେଉଛନ୍ତି। ତେଣୁ ଉପସ୍ଥିତ ଜନତାଙ୍କୁ ସେ ମେଁ ଭି ଚୌକିଦାର ନାରା ପାଇଁ କହିଥିଲେ।

ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଚାର କମିଟିର ବରିଷ୍ଠ ନେତା ଡା. ଦାମ‌ୋଦର ରାଉତ, ଜିଲ୍ଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ, ପୂର୍ବ ମନ୍ତ୍ରୀ ହିମାଂଶୁ ଶେଖର ମେହେ‌ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟ ବିଜେପି ସଭାପତି ତଥା ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ନର୍ଲା ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ, ଖରିଆର ପ୍ରାର୍ଥୀ ରୀତାରାଣୀ ବଗର୍ତ୍ତୀ, ନୂଆପଡା ପ୍ରାର୍ଥୀ ହୋମସିଂ ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ନୂଆପଡ଼ା ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବେଶରେ ପୂର୍ବ ସାଂସଦ ସୁବାସ ଚନ୍ଦ୍ର ନାୟକ ମୋଦୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ସେ କିଛି ଦିନ ତଳେ ବିଜେଡି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେହିଭଳି ପ୍ରବୀଣ ଭଞ୍ଜଦେଓ, ପୂର୍ବ ବିଧାୟକ ଯୋଗୀରାମ ବେହେରା, ପୂର୍ବ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ଓ ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତଚନ୍ଦ୍ର ନାଏକ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର