ଅଜଣା ରୋଗରେ ବାଙ୍କି ଯାଉଛି ଅଣ୍ଟା

ବର୍ଷକରେ ମଲେଣି ଦୁଇ,  ଗାଁ ଛାଡିଲେ ୨ ପରିବାର

ଆନନ୍ଦପୁର : ହଠାତ ଯନ୍ତ୍ରଣା ହେବା ପରେ ଅଣ୍ଟା ବଙ୍କା ହୋଇଯାଉଛି। ପରେ ଆଉ ଭଲ ଭାବେ ଚଲାବୁଲା କରି ହେଉନାହିଁ କି କାମଧନ୍ଦା କରିବା ସମ୍ଭବ ହେଉନାହିଁ। ଏମିତି ରୋଗରେ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଧ୍ୱ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଘସିପୁରା ବ୍ଳକ ରାଧିକାଦେଇପୁର ପଞ୍ଚାୟତ ଖଇଳ ଗ୍ରାମର ଦଲକି ସାହିରେ ଏଭଳି ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଏହି ଗାଁ’ଟି ଆଦିବାସୀବହୁଳ। ସମସ୍ତେ ଗରିବ ଶ୍ରେଣୀର ତଥା ଶ୍ରମଜୀବୀ ଅଟନ୍ତି। ଗତ ଏକ ବର୍ଷ ହେଲା ଅଜଣା ରୋଗ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି। ରୋଗଗ୍ରସ୍ତଙ୍କୁ ପ୍ରବଳ ଯନ୍ତ୍ରଣା ହେବାର କିଛିଦିନ ମଧ୍ୟରେ ଅଣ୍ଟା ବଙ୍କା ହୋଇଯାଉଛି। ବର୍ତମାନ ଗ୍ରାମ୧ର ସମ୍ଭାରୀ ବିନ୍ଧାଣୀ (୩୫), ମିନୁ ସୋରେନ୍‌, ପାଖି ଟୁଡୁ (୪୦), ରୁପେଇ ହାଁସଦା (୫୫), କଲ୍ୟାଣ ହାଁସଦା (୫୦), ଟୋଲଗ କିସ୍କୁ (୭୦), ବୁଢା ହାଁସଦା (୩୫) ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଜୀବନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ସମସ୍ତେ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି। ରୋଗ ବ୍ୟାପିବା ଆଶଙ୍କାରେ ଦୁଇଟି ପରିବାର ଗାଁ ଛାଡି ଅନ୍ୟତ୍ର ପଳାଇଛନ୍ତି।

ସମ୍ବନ୍ଧିତ ଖବର