ମହିମାଗାଦିରେ ନବାନ୍ନ ଉତ୍ସବ

ଯୋରନ୍ଦା : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମାଗାଦିର ଦ୍ୱିତୀୟ ପ୍ରମୁଖ ସମାରୋହ ନବାନ୍ନ ଉତ୍ସବ ଆଜି ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ, ଭକ୍ତ ମହିମାଗାଦିରେ ପହଞ୍ଚି ନବାନ୍ନ ପ୍ରସାଦ ସେବନ କରିଥିଲେ।

ବଳ୍କଳଧାରୀ ମହିମା ସମାଜ, କୌପୀନଧାରୀ ମହିମା ସମାଜ, ତାଳମୂଳ କାଶୀବାବା ଆଶ୍ରମ, ଜାମୁଶରା ଆଶ୍ରମ, ଦଧିସିଙ୍ଗା ଆଶ୍ରମ ପ୍ରଭୃତିରେ ନବାନ୍ନ ପ୍ରସ୍ତୁତ କରି ବିତରଣ କରାଯାଇଥିଲା। ଭୋର ସାଢ଼େ ୪ଟାବେଳେ ଅହ୍ମଣିଆ ମଣ୍ଡପରେ ୭ ଜଣ ତ୍ୟାଗୀ ୭ଟି ମାଟି ହାଣ୍ଡିରେ ପ୍ରସ୍ତୁତ ନବାନ୍ନ ପ୍ରସାଦ ମହିମା ସ୍ୱାମୀଙ୍କୁ ଅର୍ପଣ କରିଥିଲେ। ସନାତନ ବୈରାଗୀ ଅହ୍ମଣିଆ ଆଟିକା ପ୍ରଭୁଙ୍କୁ ଅର୍ପଣ କରିଥିଲେ। ସେହିପରି ‌େକୗପୀନଧାରୀ ମହିମା ସମାଜ ପକ୍ଷରୁ ପ୍ରାତଃ ସାଢ଼େ ୪ଟାବେଳେ ମାହାଳମୂଳ ବତିମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିରରେ ମହିମା ସ୍ୱାମୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା। ପୂର୍ବାହ୍ଣ ୯ଟାବେଳେ ବଳ୍କଳଧାରୀ ମହିମା ସମାଜ ଭିକ୍ଷା ମଣ୍ଡପରେ ହଜାର ହଜାର ସାଧୁଭକ୍ତଙ୍କୁ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।

ପରମ୍ପରା ମୁତାବକ ଆଠଗଡ଼ କୁଲେଇଲ ନିକଟ ତରସିଂ ଗାଁର ମଙ୍ଗୁଳୁ ଭୋଇ ନବାନ୍ନ ପାଇଁ ନୂଆଚୁଡ଼ା ଯୋଗାଇ ଦେଇଥିଲେ। ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହେଉଛି। ଯୋରନ୍ଦା ମହିମାଗାଦିରେ ଦୀର୍ଘ ୭୭ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଏହି ଉତ୍ସବ ପାଳିତ ହୋଇଆସୁଛି।

ସମ୍ବନ୍ଧିତ ଖବର