ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କଲା ନାଲ୍‌କୋ

ନାଲକୋର ଆଲୁମିନା ବିକ୍ରି ଟେଣ୍ଡର ମାମଲା

ନୂଆଦିଲ୍ଲୀ: ନାଲ୍‌କୋ ଆଲୁମିନା ନିଲାମରେ ବେଦାନ୍ତ ଭାଗ ନେଇପାରିବ ବୋଲି ଗତ ମାସ ୨୬ରେ ଓଡ଼ିଶା ହାଇକୋର୍ଟ ବେଦାନ୍ତକୁ ଅନୁମତି ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ଅନୁମତିକୁ ଆଜି ନାଲ୍‌କୋ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରିଛି। ନାଲ୍‌କୋ ଦ୍ବାରା ସୁପ୍ରିମ୍‌ କୋର୍ଟରେ ଏନେଇ ସ୍ବତନ୍ତ୍ର ଲିଭ୍ ପିଟିସନ (ଏସଏଲ୍‌ପି) ଦାଖଲ କରାଯାଇଛି। ସୁପ୍ରିମକୋର୍ଟରେ ନାଲ୍‌କୋ ଦ୍ବାରା ଦାଖଲ କରାଯାଇଥିବା ଏସଏଲ୍‌ପିରେ କୁହାଯାଇଛି ଯେ ପଲିସି ଅନ୍ତର୍ଗତ ଆଲୁମିନା ରପ୍ତାନିର ଟେଣ୍ଡର ଦରିଆପାରି କମ୍ପାନି (ଓଭରସିଜ୍ କମ୍ପାନି)ଙ୍କୁ ଦିଆଯାଇଥାଏ। ଅତଏବ ବେଦାନ୍ତକୁ ନାଲକୋ ସହିତ ପଞ୍ଜୀକୃତ କରାଯାଇ ପାରିବ ନାହିଁ। ୨୦୦୫ରେ ନାଲକୋ ଦ୍ବାରା ସମସ୍ତ ସ୍ଥିତି ଗୁଡ଼ିକୁ ବିଚାର କରି ଆଲୁମିନାକୁ ଓଭରସିଜ୍ କମ୍ପାନିକୁ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ ନାଲକୋ ପକ୍ଷରୁ ମେଟାଲୁର୍ଜିକାଲ ଗ୍ରେଡ୍ କାଲସିନାଇଡ୍ ଆଲୁମିନା ବିକ୍ରି ପାଇଁ ଆହ୍ବାନ କରାଯାଇଥିବା ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ମାର୍ଚ୍ଚ ୨୬ରେ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ୨୦୧୯ ଫେବ୍ରୁଆରୀ ୧ରେ ୩୦ ହଜାର ଏମ୍‌ଟି ମେଟାଲୁର୍ଜିକାଲ ଗ୍ରେଡ୍ କାଲସିନାଇଡ୍ ଆଲୁମିନା ବିକ୍ରି ପାଇଁ ନାଲକୋ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। କେବଳ ଓଭରସିଜ୍ କମ୍ପାନି ଯାହାର ଆନ୍ତର୍ଜାତିକ ଟ୍ରେଡିଙ୍ଗରେ ଅଭିଜ୍ଞତା ଥିବ ଏହି ଟେଣ୍ଡରରେ ଅଂଶ ଗ୍ରହଣ କରିପାରିବ ବୋଲି ସର୍ତ୍ତ ରଖାଯାଇଥିଲା। ତେବେ ଏପରି ସର୍ତ୍ତକୁ ଚାଲେଞ୍ଜ କରି ଝାରସୁଗୁଡ଼ାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଥିବା ବେଦାନ୍ତ ଲିମିଟେଡ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଜାଭେରି ଓ ଜଷ୍ଟିସ୍ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଦାନ୍ତର ଆବେଦନକୁ ଶୁଣାଣି କରି ଏହି ଟେଣ୍ଡର ପ୍ରକ୍ରିୟାରେ ଆବେଦନକାରୀ ଅଂଶ ଗ୍ରହଣ କରିପାରିବେ ବୋଲି ରାୟ ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ଟେଣ୍ଡରର ଅନ୍ୟ ସର୍ତ୍ତ ଅପରିବର୍ତ୍ତିତ ରହିବ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର