ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ
ଭର୍ତ୍ତୃହରି ମହତାବ୍ଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ
ଭୁବନେଶ୍ବର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଭୁବନେଶ୍ବରସ୍ଥ ଜୟଦେବ ଭବନ ପରିସରରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ୨୨ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ କରାଯାଇଛି। ସେହିଭଳି ୬ଟି ସମ୍ବାଦପତ୍ରର ସଂପାଦକ ଯଯାତି କୁମାର ଦାସ, ସନ୍ତୋଷ କୁମାର ପାଣ୍ଡେ, ନାତାସା ପଟେଲ୍, ବିନୟ କୁମାର ଦାସ, ପୁରୁଷୋତ୍ତମ ଶର୍ମା ଏବଂ ରାଜେନ୍ଦ୍ର ନାଥ ଝାଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ନାନ୍ସି ଅଗ୍ରୱାଲଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ’, ସଂସ୍କୃତି ବିଶ୍ବବିଦ୍ୟାଳୟର ଛାତ୍ରୀ ପ୍ରାଚୀପ୍ରଭା ମହାପାତ୍ରଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ’, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ଲୋହିତା ରାଉଲୋଙ୍କୁ ‘ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନର ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ନୈତିକ ମୂଲ୍ୟବୋଧ ଓ ଦାୟିତ୍ବ ସଂପର୍କରେ ଆଲୋକପାତ କରିଥିଲେ। ଏହା ପରେ ଦ୍ବିତୀୟ ଅଧିବେଶନ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉଭୟ କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀ, ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥ, ଚିଟ୍ଫଣ୍ଡ କମିସନ୍ର ଅଧ୍ୟକ୍ଷ ଜଷ୍ଟିସ ମଦନ ମୋହନ ଦାଶ, ଉନ୍ନୟନ କମିସନର ଆର୍. ବାଲାକ୍ରିଷ୍ଣନ୍, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆକାଶବାଣୀର ଉପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଦୂରଦର୍ଶନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ପ୍ରକାଶ ଦାସ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଦିଲ୍ଲୀପ ଶତପଥୀ, ଉତ୍କଳ ସାମ୍ବାଦିକ ୟୁନିୟନ୍ର ସଭାପତି ବିଭୂତି ଭୂଷଣ କର, ଲୋକସେବକ ମଣ୍ଡଳର ସଦସ୍ୟ ପ୍ରଭାସ ଆଚାର୍ଯ୍ୟ, ଦୁର୍ଗାଶଙ୍କର ସେନାପତି, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଆହ୍ବାନ ସଂପର୍କରେ ନିଜନିଜର ମତବ୍ୟକ୍ତ କରିଥିଲେ।