ବିଜେପିକୁ ନବୀନଙ୍କ ଖୋଲା ଆହ୍ଵାନ : ଦରଦ ଥିଲେ କାମ ବନ୍ଦ କରାଅ
ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନ ଉଦ୍ଯାପିତ, କେବଳ ପାଣି ନୁହେଁ, ମହାନଦୀ ବଞ୍ଚିବା ପାଇଁ ବି ସଂଗ୍ରାମ କରୁଛୁ
ଜଗତସିଂହପୁର : ସମସ୍ତ ଓଡ଼ିଶାବାସୀ ମହାନଦୀର ସୁରକ୍ଷା ପାଇଁ ଆଜି ଏକାଠି ହୋଇଛନ୍ତି। ମହାନଦୀ ଏବେ ଆଉ ରାଜନୈତିକ ପ୍ରସଙ୍ଗ ହୋଇ ରହିନାହିଁ। ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଛତିଶଗଡ଼ ସରକାର ମହାନଦୀ ପାଣିକୁ ରୋକି ଓଡ଼ିଶାର କୋଟିକୋଟି ଲୋକଙ୍କ ଜୀବନଜୀବିକା ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣର ଜବାବ ଖୁବ୍ଶୀଘ୍ର ଦିଆଯିବ ବୋଲି ଆଜି ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନର ଉଦ୍ଯାପନୀ ସମାରୋହରେ ଯୋଗଦେଇ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାରାଦୀପର ବିଜୁ ମଇଦାନରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଆଉ ଏଠାକୁ ଆସି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନଙ୍କର ଦୋ’ମୁହାଁ ନୀତି ଲୋକେ ଜାଣିସାରିଲେଣି। ଯଦି ସତରେ ଓଡ଼ିଶା ପ୍ରତି ସେମାନଙ୍କର ଦରଦ ଅଛି, ସେମାନେ ଛତିଶଗଡ଼ ସରକାର ମହାନଦୀ ଉପରେ ଚଳାଇଥିବା ନିର୍ମାଣକାର୍ଯ୍ୟକୁ ବିରୋଧ କରନ୍ତୁ ଓ ବନ୍ଦ କରାନ୍ତୁ। ସେମାନେ ଛତିଶଗଡ଼଼ର ବିଜେପି ସରକାରକୁ ବିରୋଧ କରିପାରିବେ କି ବୋଲି ନବୀନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ହିଁ ସୁପ୍ରିମ କୋର୍ଟ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆମେ ଆନ୍ଦୋଳନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ସମାବେଶରେ ଉଦ୍ବୋଧନ ଦେଇ ବିଧାୟକ ଡାକ୍ତର ରାଉତ କହିଥିଲେ ଯେ, ଛତିଶଗଡ଼ ମହାନଦୀ ଉପରମୁଣ୍ଡରେ ଅତ୍ୟନ୍ତ ଅନ୍ୟାୟ ଭାବେ ଛଅଟି ବ୍ୟାରେଜ୍ ନିର୍ମାଣ କରିଛି। ମହାନଦୀରେ ଯଦି ପାଣି ନ ଆସେ ତେବେ ୧୫ ଜିଲ୍ଲାବାସୀ ତଳିତଳାନ୍ତ ହେବେ। ଅନ୍ୟପଟେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଏତେ ଅହଂକାରୀ ହୋଇଯାଇଛି ଯେ କେବଳ ନିଜର ସ୍ୱାର୍ଥ ପ୍ରତି ଧ୍ୟାନ ଦେଉଛି। ଏହି ଦଳ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି ଶ୍ରୀ ରାଉତ କହିଥିଲେ। ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ମହାନଦୀକୁ ରାଜ୍ୟର ଦୁଇ ତୃତୀୟାଂଶ ଲୋକଙ୍କର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ଛତିଶଗଡ଼ ସରକାର ଓଡ଼ିଶା ପ୍ରତି ଛଳନା କରିଛି, ମନମାନୀ ଏବଂ ଦାଦାଗିରି ଚଳାଇଛି ବୋଲି ଆକ୍ଷେପ କରିଥିଲେ।
ବିଧାୟକ ସଂଜୟ ଦାସବର୍ମା ମହାନଦୀ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଛନ୍ତି ବୋଲି କହିବା ସହ ଆସନ୍ତାକାଲି କଟକର ମହାନଦୀ କୂଳରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀକୁ ନେଇ ସ୍ପଷ୍ଟ ଚିତ୍ର ରଖନ୍ତୁ ବୋଲି ମତ ଦେଇଥିଲେ। ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟିକା ପ୍ରମିଳା ମଲ୍ଲିକ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଚାଷ, ଚାଷୀ ଓ ପାଣି ପାଇଁ ଚାଲିଥିବା ଏହି ସଂଗ୍ରାମରେ ମନ୍ କି ବାତ୍ ଶୁଣାଉଥିବା ପ୍ରଧାନମନ୍ତ୍ରୀ ମହାନଦୀ ସଂକ୍ରାନ୍ତରେ ନିଜ ମନର କଥା ଶୁଣାନ୍ତୁ ବୋଲି ଆହ୍ଵାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପସ୍ଥିତ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ବିଧାୟିକା ରାଜଶ୍ରୀ ମଲିକ, ଓ ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେବା ପୂର୍ବରୁ ହେଲିକପ୍ଟରରେ ପାରାଦୀପରେ ପହଞ୍ଚି ପ୍ରଥମେ ବେଳାଭୂମି ରାସ୍ତାରେ ନିର୍ମାଣ କରାଯାଇଥିବା ସାଇନ୍ସ ପାର୍କକୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ, ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ସାଂସଦ କୁଳମଣି ସାମଲ ଓ ବିଧାୟକ ଡା. ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏ ନେଇ ରାଜ୍ୟ ପରିକ୍ରମା କରୁଥିବା ସଚେତନତା ରଥକୁ ଜଗତସିଂହପୁର ଜିଲ୍ଲାର ପ୍ର୍ରତ୍ୟେକ ଛକରେ ବିଜେଡି କର୍ମୀମାନେ ସ୍ୱାଗତ କରିଥିଲେ। କୁଜଙ୍ଗରେ ପୂର୍ବ ଭାରତ ତୈଳ ବିଶୋଧନାଗାର ସଂଘ ପକ୍ଷରୁ ଏହି ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା। ସଂଘର ସଭାପତି ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି କର୍ମୀ ଏହି ରଥକୁ ସ୍ୱାଗତ କରିିଥିଲେ।
ସୂଚନାଯୋଗ୍ୟ,୧୬ ତାରିଖରେ ମହାନଦୀ ସୁରକ୍ଷା ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାର ସୁଖାଶୋଡା ଓ ବରଗଡ଼ ଚିଖିଲିରୁ ଉଦ୍ଘାଟନ କରିଥିଲେ। ମହାନଦୀ କୂଳରେ ଥିବା ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲା ଦେଇ ସୁରକ୍ଷା ଅଭିଯାନର ଶୋଭାଯାତ୍ରା ଦଶ ଦିନ ଧରି ୫୦୦ କିଲୋମିଟର ବୁଲିବା ସହ ଆଜି ପାରାଦୀପରେ ପହଞ୍ଚିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଇଥିଲେ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ମନଇଚ୍ଛା ବ୍ୟାରେଜ ନିର୍ମାଣ କରୁଥିବା ଯୋଗୁଁ ମହାନଦୀ ଶୁଷ୍କ ହେଉଛି। ତେଣୁ ମହାନଦୀର ସୁରକ୍ଷା ପାଇଁ ବିଜେଡି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି।