ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ବୈଠକ : ‘କୋଇଲା ରୟାଲିଟିରେ ସଂଶୋଧନ କରାଯାଉ’

ଡ୍ରାଫଟ ଓ୍ଵାଟର୍‌ ବିଲରେ ଅପିଲ ବ୍ୟବସ୍ଥା ନଥିବାରୁ ଆପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆଜି ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ତ୍ରୟୋଦଶ ବୈଠକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ରିଭର ବେସିନ ମ୍ୟାନେଜମେଣ୍ଟ ସଂପର୍କିତ ଡ୍ରାଫଟ ଓ୍ଵାଟର ବିଲରେ ବୈଧାନିକ ଅପିଲ କରିବାର ବ୍ୟବସ୍ଥା ନଥିବାରୁ ଆପତ୍ତି ଦର୍ଶାଇଥିଲେ।

ଶ୍ରୀ ବେହେରା କହିଲେ, ନଦୀ ପରିଷଦ ରାଜ୍ୟମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି। ୧୯୫୬ ଆଇନ ଅନୁଯାୟୀ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ ପନ୍ଥା ନିର୍ଧାରଣ ହୋଇପାରିବ। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ଡ୍ରାଫଟ ଓ୍ଵାଟର୍‌ ବିଲ ପ୍ରସ୍ତୁତ କରାଯାଇଛି, ସେଥିରେ ବୈଧାନିକ ଅପିଲ କରାଯିବାର କୌଣସି ପ୍ରବନ୍ଧ ନାହିଁ। ଏହା ରାଜ୍ୟର ସ୍ୱାର୍ଥବିରୋଧୀ ଓ ଏହା ପୁଞ୍ଚି କମିସନଙ୍କ ନୀତି ସୁପାରିସର ବିରୋଧାଚରଣ କରୁଛି।

ସେହିପରି କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ, କୋଇଲା ରୟାଲିଟି ବିଧିବ୍ୟବସ୍ଥାର ସଂଶୋଧନ ହୋଇନଥିବାରୁ ରାଜ୍ୟ ଅଜସ୍ର କ୍ଷତିର ସମ୍ମୁଖୀନ ହେଉଛି। ଏପରିକି କୋଇଲା ରୟାଲିଟି ବାବଦରେ ଦିନକୁ ପ୍ରାୟ ୫ କୋଟି କ୍ଷତି ହିସାବରେ ଓଡ଼ିଶା ଅନ୍ୟୁନ ୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବାରୁ ସେ ବୈଠକରେ ଉଦ୍‌ବେଗ ପ୍ରକାଶ କରିଥିଲେ। ତେଣୁ ଏହି ସମସ୍ୟାକୁ କମିଟି ଗୁରୁତ୍ୱର ସହ ଧ୍ୟାନ ଦେବା ପାଇଁ ସେ ଦାବି କରିଥିଲେ।

ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କେନ୍ଦ୍ର-ରାଜ୍ୟ ସଂପର୍କ ସମ୍ବନ୍ଧରେ ଗଠିତ ପୁଞ୍ଚ କମିସନ୍‌ର ରିପୋର୍ଟ ଉପରେ ବିସ୍ତତ ଭାବେ ଆଲୋଚନା ହୋଇଥିଲା।  ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ ପାଇଁ ଷ୍ଟାଣ୍ଡିଂ କମିଟିର ସୁପାରିସକୁ ଲାଗୁ ପାଇଁ ସଦସ୍ୟମାନେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର