୭୨ ବର୍ଷରେ ନବୀନ

ଭୁବନେଶ୍ୱର : ୭୨ ବର୍ଷରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଥିଲା ନବୀନଙ୍କ ଜନ୍ମଦିନ। ନବୀନ ନିବାସରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋସିଆଲ୍‌ ମିଡିଆରେ ବି ଛାଇ ଯାଇଥିଲେ ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ସମସ୍ତେ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଥିଲେ।

ଜନ୍ମଦିନ ପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ଥିଲା ନବୀନ ନିବାସ। ଗହଳି ଜମିଥିଲା ନେତା ଓ କର୍ମୀଙ୍କର। ନବୀନ ନିବାସ ଫାଟକ ଖୋଲିଯାଇଥିଲା ସମସ୍ତଙ୍କ ପାଇଁ। ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଇଥିଲା। ଏକ ପ୍ରକାର ପ୍ରତିଯୋଗିତା ଚାଲିଥିଲା, କିଏ ନବୀନଙ୍କୁ ଆଗେ ଫୁଲତୋଡ଼ା ଦେବ। ଶୁଭେଚ୍ଛା ଓ ଫୁଲତୋଡ଼ା ଗ୍ରହଣ କରିବା ପାଇଁ ନବୀନ ବାହାରକୁ ଆସିବା ପୂର୍ବରୁ ଲୋକାରଣ୍ୟ ହୋଇଯାଇଥିଲା ନବୀନ ନିବାସ ପରିସର।

ନବୀନ ବାହାରକୁ ଆସିବା ମାତ୍ରେ ଫୁଲତୋଡ଼ା ଦେବାକୁ ଠେଲାପେଲା ହୋଇଥିଲା। ନିରାପତ୍ତା ରକ୍ଷୀମାନେ ନାକେଦମ୍‌ ହୋଇଥିଲେ। ନବୀନ ନିବାସରେ ଫୁଲ ପାହାଡ଼ ସୃଷ୍ଟି ହୋଇଥିଲା। ଏହି ସମୟରେ ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। କିଛି ମହିଳା କର୍ମୀ ଗୋଲାପ ଫୁଲ ଆଣି ଦେଉଥିବା ଦେଖାଯାଇଥିଲା। ପୋର୍ଟିକୋ ନିକଟରେ ମନ୍ତ୍ରୀ, ନେତା ଓ କର୍ମୀଙ୍କ ଗହଣରେ ନବୀନ କେକ୍‌ କାଟିଥିଲେ।

ନବୀନ ନିବାସରେ ଜନ୍ମଦିନ ପାଳନ ପରେ ନବୀନ ସିଧା ଯାଇଥିଲେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ। ସେଠାରେ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର। ବିଜେଡିର ଯୁବ ଓ ଛାତ୍ର ବାହିନୀ ଏହାକୁ ଆୟୋଜନ କରିଥିଲେ। ନବୀନ ସେଠାରେ ବୁଲି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରେ ବି କେକ୍‌ କାଟିଥିଲେ। ରାଜ୍ୟର ଅନ୍ୟ ସ୍ଥାନରେ ବି ନବୀନଙ୍କ ଜନ୍ମଦିନ ଅବସରରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଦଳୀୟ କାର୍ଯ୍ୟାଳୟରୁ ନବୀନ ଯାଇଥିଲେ ସଚିବାଳୟ। ଚାମ୍ବର୍‌ରେ ପହଞ୍ଚିଲା ପରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ପହଞ୍ଚିଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ଶୁଭେଚ୍ଛା ଜଣାଇବା ପାଇଁ ସଙ୍ଗେ ସଙ୍ଗେ ତୃତୀୟ ମହଲାର ସାହାଣ ମେଲା କରାଯାଇ ନ ଥିଲା। ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ କିଛି ସମୟ ଏକ ବୈଠକ କଲେ। ବୈଠକରୁ ବାହାରି ସେ ବିଜେପୁର ଭୂତଳ ଜଳସେଚନ ପ୍ରକଳ୍ପ ନେଇ ଗଣମାଧ୍ୟମକୁ ସୂଚନା ଦେଲେ। ତାହା ପରେ ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତାମାନେ ତୃତୀୟ ମହଲାକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍‌ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର