ମହିଳା ପାଇଁ ପରିବାର ଲଜ୍ଜିତ : ଗର୍ଭ ନଷ୍ଟ କରି ଶିଶୁ ଚୋରି

ବଲାଙ୍ଗୀର/କଣ୍ଟାବାଞ୍ଜି/ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ଡାକ୍ତରଖାନା ଶିଶୁ ଚୋରି ଘଟଣାରୁ ଆଉ ଏକ ସଙ୍ଗୀନ ତଥ୍ୟ ସାମ୍‌ନାକୁ ଆସିଛି। ଅଭିଯୁକ୍ତ ମହିଳା ନିଜ ଗର୍ଭ ନଷ୍ଟ କରି ଏହି ଶିଶୁକୁ ଚୋରି କରିଛନ୍ତି। ଏଥିପାଇଁ ସୁଚିନ୍ତିତ ଯୋଜନା କରିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଏହି ଘଟଣା କୌଣସି ଚଳଚ୍ଚିତ୍ର କାହାଣୀଠାରୁ ବି କୌଣସି ଗୁଣରେ କମ୍‌ ନୁହେଁ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସା‌ର, ଅଭିଯୁକ୍ତ ମହିଳା ସବିତା ସାହୁ ୭ ମାସ ହେବ ଗର୍ଭବତୀ ଥିଲେ। ତାଙ୍କର ୨ ବର୍ଷର ଝିଅଟି ଥିଲେ ମଧ୍ୟ ଏଥର ପୁଅଟି ପାଇଁ ଭାରି ଆଶାବାଦୀ ଥିଲେ। ଏଥିରେ ସମଭାଗୀ ଥିଲେ ଅନ୍ୟତମ ଅଭିଯୁକ୍ତ ତାଙ୍କ ସ୍ବାମୀ ଶୁକଦେବ ସାହୁ। ଗତ ୬ ତାରିଖ ଦିନ ଉଭୟ ସ୍ବାମୀ-ସ୍ତ୍ରୀ ଚେକ୍‌ଅପ୍‌ ପାଇଁ କଣ୍ଟାବାଞ୍ଜି ଆସିଥିଲେ। ଅଲ୍‌ଟ୍ରାସାଉଣ୍ଟ ପରେ ଗର୍ଭରେ କନ୍ୟା ସନ୍ତାନ ଥିବା ଜଣାପଡ଼ିଥିଲା। ଯଦି ଝିଅ ରହିଥିବା ଜଣାପଡ଼େ, କ’ଣ କରିବେ ତାହାକୁ ନେଇ ପୂର୍ବରୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ଶେଷରେ, ତାହା ହିଁ ହେଲା। କନ୍ୟା ସନ୍ତାନ ଜଣାପଡ଼ିବା ପରେ ସବିତା ନିଜର ଗର୍ଭ ନଷ୍ଟ କରିଥିଲେ। ଏବଂ, କଣ୍ଟାବାଞ୍ଜିରୁ ପାଟଣାଗଡ଼ରେ ପହଞ୍ଚି ଶିଶୁକୁ ଚୋରି କରି ଆଣିଥିଲେ।

ଅଭିଯୁକ୍ତ ସବିତାଙ୍କ ଭାଇ ରୁଦ୍ର ସାହୁ କହିଛନ୍ତି ଯେ, ‘ମୋ ଭଉଣୀ ଏହି କାମ କରିଛି ବୋଲି ଏବେ ମଧ୍ୟ ବିଶ୍ୱାସ କରି ପାରୁ ନାହିଁ। ମୋତେ ୬ ତାରିଖ ଦିନ ଫୋନ କରି କଂଟାବାଞ୍ଜି ଡାକ୍ତରଖାନରେ ପୁଅ ହୋଇଛି ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ତାର ଓଜନ ଦୁଇ କେଜି ଅଛି। ମୁଁ ସାଙ୍ଗେ ସାଙ୍ଗେ କଣ୍ଟାବାଞ୍ଜି ଆସୁଥିବାବେଳେ ସିନ୍ଧେକେଲା ପାଖ ସାଲେଭଟା ଛକରେ ମୋ ଭଉଣୀ ଏବଂ ଭିଣୋଇଙ୍କୁ ଭେଟିଥିଲି। ସେତେବେଳେ ଭଉଣୀ ଏବଂ ନବଜାତ ଶିଶୁ ଗୋଟିଏ ଭ୍ୟାନରେ ଥିଲେ ଓ ମୋ ଭିଣୋଇ ଶୁକଦେବ ବାଇକରେ ଆସୁଥିଲେ। ତାପରେ ସାଙ୍ଗ ହୋଇ ଘରକୁ ଆସିଥିଲୁ।’ ‘ପରେ ମତେ ଏବଂ ମୋ ପରିବାର ମା’, ବାପାଙ୍କୁ ସମସ୍ତଙ୍କୁ ସନ୍ଦେହ ହୋଇଥିଲା। ଛୁଆ ଯଦି ୨ କେଜିର ଥିଲା ଏ ପର୍ଯ୍ୟନ୍ତ ନାହି ପଡିନି ଓ ଛୁଆ ଯଦି ନେଇ ଆସିଛନ୍ତି, ତେବେ ଡାକ୍ତରୀ କାଗଜ ପତ୍ର କାହିଁକି ସାଙ୍ଗରେ ଆଣିଲେନି। ତାପରେ ମୁଁ ବହୁତ ପଚାରିବାରୁ ମଧ୍ୟ ମୋ ଭଉଣୀ ଏବଂ ଜ୍ୱାଇଁ କିଛି କହି ନଥିଲେ। ପୁଲିସ ଘରକୁ ଆସି ପଚରାଉଚରା କଲା ପରେ ସବୁ କଥା ସତ କହିଥିଲେ,’ ବୋଲି କହିଛନ୍ତି ରୁଦ୍ର।

ଅନ୍ୟପକ୍ଷରେ, ବାପା- ମା’ ଜେଲ୍‌ ଯିବା ପରେ ଏକା ହୋଇଯାଇଛି ସବିତାଙ୍କ ଦୁଇ ବର୍ଷର ଝିଅ। କାହା ସାଙ୍ଗରେ କଥା ହେଉନି, କିଛି ବୁଝି ବି ପାରୁନି। ଦୁଇ ବର୍ଷର ଝିଅକୁ ନେଇ ଏବେ ଚିନ୍ତିତ ପରିବାର ବର୍ଗ। ଅଭିଯୁକ୍ତ ସବିତାଙ୍କ ବାପା କହିଛନ୍ତି, ‘ ଝିଅ ଯାହା ସବୁ କରିଗଲା ସେଥିପାଇଁ ମୁଁ ଲଜ୍ଜିତ। ମୋ ଝିଅର ଗୋଟିଏ ୨ ବର୍ଷୀୟା ଝିଅ ଅଛି। ସେ ଏବେ କଣ କରିବ ବୁଝି ପାରୁନି। ମୋତେ ହିଁ ତାର ଭରଣପୋଷଣ କରିବାକୁ ପଡ଼ିବ। ଝିଅ ଓ ଜ୍ୱାଇଁ ତାଙ୍କ ଭୁଲ ପାଇଁ ଦଣ୍ଡିତ ହେବେ,’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର