ନୀଳଗିରି ଜେଲ୍‌ ଏବେ ସ୍ୱାମୀ ସ୍ତ୍ରୀଙ୍କ ଜେଲ୍ ପାଲଟି ଥିବା ନେଇ ଚର୍ଚ୍ଚା : ପତ୍ନୀ ଜେଲରେ ସୁପରିଟେଣ୍ଡେଂଟ୍ ହେଲେ ଦାୟିତ୍ବ ବୁଝୁଛନ୍ତି ତାଙ୍କ ସ୍ୱାମୀ!

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କାରାଗାରରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ଏହି ଜେଲ୍‌ଟି ଏବେ ସ୍ୱାମୀ ସ୍ତ୍ରୀଙ୍କ ଜେଲ୍ ପାଲଟି ଥିବା ନେଇ ଚର୍ଚ୍ଚା ଚାଲିଛି। ଏହା ପଛର କାରଣ ହେଲା ନୀଳଗିରି ଉପଖଣ୍ଡ କାରାଗାର ଜେଲରେ ଜେଲରଙ୍କ ଦାୟିତ୍ୱ ବୁଝୁଛନ୍ତି ଜେଲରଙ୍କ ସ୍ୱାମୀ । ଜେଲର ଅଛନ୍ତି ମମତା ମହାପାତ୍ର, ହେଲେ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ସବୁ ଦାୟିତ୍ୱ ବୁଝୁଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ଦେଖି ଲୋକେ କହୁଛନ୍ତି ବାଃ ବାଃରେ ସ୍ୱାମୀ ସ୍ତ୍ରୀଙ୍କ ଜେଲ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କାରାଗାର ଜେଲର ଚେୟାରରେ ବସିଥିବା ଏହି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ । ଟେବୁଲ ଉପରେ ନଥିପତ୍ର ଓ କାମରେ ବାବୁ ବ୍ୟସ୍ତ ଅଛନ୍ତି । ଜେଲରଙ୍କ ଚୌକିରେ ବସିଥିବା ଏହି ବାବୁ ଜଣକ ପ୍ରକୃତରେ ଜେଲର ନୁହଁନ୍ତି, ସେ ଜେଲରଙ୍କ ସ୍ୱାମୀ । ଅସଲରେ ଏହି ବାବୁଙ୍କ ପତ୍ନୀ ମମତାବାଳା ମହାପାତ୍ର ନୀଳଗିରି ଜେଲରେ ସୁପରିଟେଣ୍ଡେଂଟ୍ ଅଛନ୍ତି । ହେଲେ ପତ୍ନୀଙ୍କ ସ୍ଥାନରେ ଜେଲ’ର କାଗଜ ପତ୍ର ଠାରୁ ଆରମ୍ଭ କରି ଜେଲ’ ର ସବୁ ଦାୟିତ୍ୱ ବୁଝୁଛନ୍ତି ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ।

ଏପରିକି କଏଦୀ କଣ ଖାଇବେ ତାର ମେନ୍ୟୁ ମଧ୍ୟ ସେ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ନୀଳଗିରି ଉପଖଣ୍ଡ କାରାଗାରର ସୁପରିଟେଣ୍ଡେଂଟ୍ ମମତାବାଳା ମହାପାତ୍ର ପ୍ରାୟ ଅଫିସ ଆସନ୍ତି ନାହିଁ । ତାଙ୍କ ସ୍ୱାମୀ ସୁପରିଟେଣ୍ଡେଂଟ୍ ଚେୟାରରେ ବସି ଦାୟିତ୍ୱ ତୁଳାଇଥାନ୍ତି । ଗତ ୨ବର୍ଷ ହେଲା ଏହି ଜେଲର ଦାୟିତ ତୁଳାଇ ଆସୁଛନ୍ତି, ମମତାବାଳାଙ୍କ ସ୍ୱାମୀ ମାଧବାନନ୍ଦ । ଆଉ ଲୋକେ କହୁଛନ୍ତି ବାଃ ବାଃରେ ସ୍ୱାମୀ ସ୍ତ୍ରୀଙ୍କ ଜେଲ ।

ସମ୍ବନ୍ଧିତ ଖବର