ନୂଆପଡ଼ା ଏନ୍‌ଏସି ନିର୍ବାଚନ ପ୍ରସଙ୍ଗ : ଜବାବ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ୧୦ ଦିନ ମହଲତ

କଟକ : ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗକୁ ନେଇ ରୁଜୁ ମାମଲାରେ ଜବାବ ଦାଖଲ ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ହାଇକୋର୍ଟ ୧୦ ଦିନ ମହଲତ ପ୍ରଦାନ କରିଛନ୍ତି। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜିଲ୍ଲାପାଳଙ୍କ ତରଫରୁ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୧୦ ଦିନ ଭିତରେ ନୂଆପଡା ଜିଲ୍ଲାପାଳ ଜବାବ ଦାଖଲ କରିବେ ଓ ଏହା ପରେ ୩ ଦିନ ଭିତରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

୨୦୧୮, ମାର୍ଚ୍ଚ ୬ ତାରିଖରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଅନ୍ୟପକ୍ଷରେ ଅତାବିରା ଓ ହିନ୍ଦୋଳ ଏନଏସିର ନିିିର୍ବାଚନ ସରିଥିବା ବେଳେ ଏ ସଂପର୍କିତ ମାମଲାର ଶୁଣାଣି ଚାଲିବାର କୌଣସି ପ୍ରସାଂଗିକତା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏପରି ପରିସ୍ଥିତିରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ସଂପର୍କିତ ୩ଟି ମାମଲାର ଆଜି ହାଇାକୋର୍ଟରେ ଅନ୍ତ ଘଟିଛି। ନୂଆପଡା ମାମଲାର ଆବେଦନକାରୀ ମହେଶ କୁମାର ନିଆଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ ଏବଂ ନିର୍ବାଚନ କମିସନଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ଓ ରାଜ୍‌ ଭୂଷଣ ଦାଶ ମାମଲା ପରିଚାଳାନା କରୁଛନ୍ତି।

ସମ୍ବନ୍ଧିତ ଖବର