ନର୍ସ ନିହାରିକା ହତ୍ୟା ଘଟଣା : ପ୍ରେମିକ କିଶୋରଙ୍କ ଆତ୍ମସମର୍ପଣ; ଅଜ୍ଞାତ ସ୍ଥାନରେ ଜେରା, ଡିଏନ୍ଏ ଟେଷ୍ଟ୍ ପାଇଁ ନିହାରିକା ମା’ଙ୍କ ରକ୍ତ ନମୁନା ସଂଗ୍ରହ
ଜଗତସିଂହପୁର ଟାଉନ୍/ବିରିଡ଼ି/ବାଲିଅନ୍ତା : ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କିଶୋର ଚନ୍ଦ୍ର ଆଞ୍ଚଲ ଆଜି ବିରିଡ଼ି ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ତିନି ଦିନ ଧରି ଅନ୍ଧାରରେ ବାଡ଼ି ବୁଲାଉଥିବା ପୁଲିସକୁ କିଶୋରଙ୍କ ଆତ୍ମସମର୍ପଣ ପରେ ଆଜି କିଛିଟା ଆଶ୍ବସ୍ତି ମିଳିଛି। କିଶୋର ଆତ୍ମସମର୍ପଣ କରିବା ପରେ କଟକ ଓ ବିରିଡ଼ି ପୁଲିସର ମିଳିତ ଟିମ୍ ତାଙ୍କୁ ଅଜଣା ସ୍ଥାନକୁ ନେଇ ଜେରା କରୁଛି। ଅନ୍ୟପଟେ ପୁଲିସ ଆଜି ଡିଏନ୍ଏ ଟେଷ୍ଟ୍ ପାଇଁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ମୃତ ନିହାରିକାଙ୍କ ମା’ ପ୍ରତିମା ପାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ଦେବାକୁ ନିହାରିକାଙ୍କ ବାପା ଗଗନ ପାତ୍ର ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିହାରିକାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ତାଙ୍କ ଫେରାର୍ ପ୍ରେମିକା କିଶୋରଙ୍କୁ ଖୋଜୁଥିଲା। ଆଜି କିଶୋର ପୁଲିସ ହାତରେ ଧରା ଦେବାପରେ ପୁଲିସ ଅନେକ ପରିମାଣରେ ଆଶ୍ବସ୍ତ ହୋଇଥିବାବେଳେ ପଚରାଉଚରା ପରେ ସମଗ୍ର ଘଟଣା ନୂଆ ମୋଡ଼ ନେଇପାରେ ବୋଲି କୁହାଯାଉଛି।
ଗତ ୮ ତାରିଖ ଦିନ ନିହାରିକା କାମ କରୁଥିବା କଟକର ନର୍ସିଂହୋମ୍ରୁ ତାଙ୍କ ପ୍ରେମିକ କିଶୋର ଡାକି ନେଇଥିଲେ ବୋଲି ନର୍ସିଂହୋମ୍ କର୍ତ୍ତୃପକ୍ଷ ପୁଲିସ ନିକଟରେ କହିଥିଲେ। ଏହାପରେ ନିହାରିକା ଆଉ ଫେରି ନଥିଲେ ତଥା ଦୁହିଁଙ୍କ ମୋବାଇଲ୍ ବି ବନ୍ଦ ଥିଲା। ଏହାକୁ ନେଇ ପରିବାର ଓ ନର୍ସିଂହୋମ୍ ପକ୍ଷରୁ କଟକର ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେବଳ ଅଭିଯୋଗର ଷ୍ଟେସନ୍ ଡାଏରୀ କରି ଚୁପ୍ ରହି ଯାଇଥିବା ବେଳେ ୯ଦିନ ପରେ ଗତ ୧୭ ତାରିଖ ଦିନ ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ଅଖା ଭିତରୁ ନିହାରିକାଙ୍କ ହାତଗୋଡ଼ ବନ୍ଧା ଗଳିତ ମୃତଦେହ ମିଳିଥିଲା। କିଶୋର ଫେରାର୍ ଥିବାରୁ ସମସ୍ତ ସନ୍ଦେହ ତାଙ୍କ ଉପରକୁ ଯାଇଥିଲା। କିଶୋର ହିଁ ନିହାରିକାଙ୍କୁ ହତ୍ୟା କରିଥିବା ନେଇ ମା’ ପ୍ରତିମା ପୁଲିସ ଆଗରେ ଅଭିଯୋଗ କରିଥିଲେ। ଜଗତସିଂହପୁର ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି କିଶୋରଙ୍କୁ ଖୋଜିଥିଲା। କିଶୋର ମିଳିଲେ ସବୁ ଘଟଣାର ଗୁମର ଖୋଲିବ ବୋଲି ଆଶା କରିବା ସହ କିଶୋରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ତାଙ୍କ ବାପା, ମା ଓ ଭାଇଙ୍କୁ ଅଟକ ରଖି ଜେରା କରିଥିଲା। ଅବଶ୍ୟ, ପରେ ସେମାନଙ୍କୁ ଛାଡ଼ି ଦେଇଥିଲା। ପରିବାର ଲୋକଙ୍କୁ ଛାଡ଼ି ହାଜିପୁରର ରାକେଶ ବେହେରା, ସୁଜିତ୍ ବେହେରା, ରାଜେଶ ନନ୍ଦୀ ଓ ପପୁ ପରିଡ଼ାଙ୍କୁ ମଧ୍ୟ ପୁଲିସ ଥାନାରେ ପଚରାଉଚରା କରି ଛାଡ଼ି ଦେଇଥିଲା।
ହେଲେ, ପୁଲିସ ପୁଣି ଥରେ ରାଜେଶ ନନ୍ଦୀଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ହାଜିପୁର ବଜାରର ଚା’ ଦୋକାନୀ କାହ୍ନୁ ବେହେରାଙ୍କ ଦୁଇ ପୁଅ ରିକି ଓ ଭିକିଙ୍କୁ ବି ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ତର ସୁରାକ୍ ପାଇଥିବା କୁହାଯାଉଛି। ସେପଟେ, କିଶୋର ଆଜି ଆତ୍ମ ସମର୍ପଣ କରିବା ପରେ କଟକ ଓ ବିରିଡ଼ ପୁଲିସ ତାଙ୍କୁ କୌଣସି ଗୋପନ ସ୍ଥାନକୁ ନେଇ ପଚରାଉଚରା କରୁଛି। ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ତ ଘଟିଛି ତଥା ପ୍ରେମିକ କିଶୋର ଆଞ୍ଚଲ ନିହାରିକାଙ୍କୁ ହତ୍ୟା କରିଥିବାର ସନ୍ଦେହ ସମସ୍ତଙ୍କ ମନରେ ରହିଛି। ତେବେ, ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନ ପରସ୍ପର ସହ ଗୁଡ଼େଇ ତୁଡ଼େଇ ହେଉଛି। ଯଦି କିଶୋର ଓ ନିହାରିକା ପରସ୍ପରକୁ ଭଲ ପାଉଥିଲେ ଏବଂ ଘରେ ଦୁହିଁଙ୍କ ବିବାହ ପାଇଁ ରାଜି ଥିଲେ ତେବେ ସେ କାହିଁକି ନିହାରିକାଙ୍କୁ ମାରିଲେ? ଯଦି ସେ ନିହାରିକାଙ୍କୁ ହତ୍ୟା କରିବା କାରଣରୁ ଫେରାର୍ ହୋଇ ଯାଇଥିଲେ ତେବେ ଆଜି ଆତ୍ମ ସମର୍ପଣ କଲେ କାହିଁକି? ଅନ୍ୟ କେହି ଏହି ହତ୍ୟାକାଣ୍ଡ ରଚି ନାହିଁ ତ? ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ସେପଟେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଅଧିକ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।