ନୃସିଂହ ମନ୍ଦିରରୁ ଲୁଟିଲେ ୨ କୋଟିର ସମ୍ପତ୍ତି

ଦୁର୍ବୃତ୍ତ ନେଇଗଲେ ଅଷ୍ଟଧାତୁ ମୂର୍ତ୍ତିି, ୩୦ ଭରି ସୁନା ଓ ୧୦ କେଜି ରୁପା ସହ ଦାନବାକ୍ସ

ବ୍ରହ୍ମଗିରି/ପୁରୀ: ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ଗତ ରାତିରେ ପୁରୀ ସଦର ଥାନା ଅଧୀନ(ବ୍ରହ୍ମଗିରି ବ୍ଲକ) ରେଣ୍ଢାସ୍ଥିତ ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରୁ ଶ୍ରୀବିଗ୍ରହଙ୍କ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତିି ଚୋରି ହୋଇଛି। ଏହା ସହିତ ଅଷ୍ଟଧାତୁର ଶ୍ରୀଲକ୍ଷ୍ମୀ, ରାଧାକୃଷ୍ଣ ଯୁଗଳ ମୂର୍ତ୍ତିି ସମେତ ମୋଟ ୭ଟି ଅଷ୍ଟଧାତୁ ମୂର୍ତ୍ତିି ସହ ବିଗ୍ରହଙ୍କର ଦୁଇଟି ସୁନା କିରୀଟ ଓ ରୁପା ଗହଣା ଦୁର୍ବୃତ୍ତ ଲୁଟି ନେଇଛନ୍ତିି। ଏହି ସବୁ ଚୋରି ସୁନା ଗହଣାର ଓଜନ ୩୦ ଭରି ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ୧୦ କିଲୋଗ୍ରାମ ଓଜନର ରୁପାର ଆଭା ଯେଉଁଠାରେ ପ୍ରଭୁ ବିଜେ ହୋଇଥିଲେ ତାକୁ ମଧ୍ୟ ଦୁର୍ବୃତ୍ତ ଛାଡ଼ି ନାହାନ୍ତିି। ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭା ପାଉଥିବା ସୁନା ପଦକ, ଦୁଇ ସୁନା ତୁଳସୀପତ୍ର ପ୍ରଭୃତି ଚୋରି ହୋଇଛି। ତା’ ଛଡ଼ା ମନ୍ଦିରର ଦାନବାକ୍ସକୁ ମଧ୍ୟ ତାଡ଼ି ନେଇଛନ୍ତି। ଏଥିରେ ୫ ଲକ୍ଷରୁ ଊଦ୍ଧ୍ଵର୍ ଟଙ୍କା ଥିବା ଅନୁମାନ କରାଯାଉଛି। ଫଳରେ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ମୁଖ୍ୟ କବାଟ ତାଡ଼ି ଚୋର ଏହି କାଣ୍ଡ ଭିଆଇଛି। ଆଜି ସକାଳେ ପୂଜକ ପହଞ୍ଚିବା ପରେ ଏଭଳି ଅବସ୍ଥା ଦେଖି ପୁରୀ ସଦର ଥାନାକୁ ଅବଗତ ଜଣାଇଥିଲେ। ପୁଲିସ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ତେବେ ରାତିସୁଦ୍ଧା ଚୋର କିମ୍ବା ଚୋରି ସାମଗ୍ରୀ ସଂପର୍କରେ କୌଣସି ସୁରାକ ମିଳିପାରି ନାହିଁ।

ପୁରୀ-ସାତପଡ଼ା ମୁଖ୍ୟ ରାଜପଥରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଏହି ରାସ୍ତାରେ ପାଟ୍ରୋଲିିଂ ପାଇଁ ସ୍ୱତନ୍ତ୍ର ଟୁରିଷ୍ଟ ପୁଲିସ୍‍ ରହିଛନ୍ତି। ହେଲେ ସମସ୍ତ ବ୍ୟବସ୍ଥାକୁ ଚାଲେଞ୍ଜ କରିଛନ୍ତି ଚୋର। ପାଖାପାଖି ୪ଶହ ବର୍ଷ ତଳର ପୁରୁଣା ଓ ବିରଳ ମୂର୍ତ୍ତିିକୁ ଚୋରାଇ ନେଇଛି। ଆଜି ସକାଳେ ମୁଖ୍ୟ ପୂଜକ ଗଙ୍ଗାଧର ପଣ୍ଡା ପୂଜା କରିବା ପାଇଁ ଆସିବା ପରେ ୪ ଦ୍ଵାର ଖୋଲା ରହିଥିବା ଦେଖିଥିଲେ। ତା ସହିତ ମନ୍ଦିରର ଲାଇଟ୍‍ ମଧ୍ୟ ଜଳୁଥିବା ପରିଲକ୍ଷିତ ହୋଇଥିଲା। ମନ୍ଦିର ଭିତରେ ପ୍ରବେଶ କରିବା ପରେ ଏଭଳି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଅନ୍ୟ ପୂଜକମାନଙ୍କୁ ଡାକିବା ସହ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ପୁଲିସ୍‍ରେ ଖବର ଦେବାପରେ ସଦର ଥାନା ପୁଲିସ୍‍ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ଓଳାଇବା, ପାଣି ଦେବା, ବାସନ ମାଜିବା ଓ ମାଳି କାମ ଲାଗି ନିୟୋଜିତ ୪ ଜଣ ମନ୍ଦିର ପରିସରରେ ରହୁଛନ୍ତି। ସେମାନଙ୍କୁ ଡାକି ପୁଲିସ୍‍ ପଚରାଉଚରା କରିଛି। ଯେଉଁ ଢ଼ଙ୍ଗରେ ଚୋରି ହୋଇଛି ତାହା ଜଣେ ଜଣାଶୁଣା ବ୍ୟକ୍ତି କରିଥିବା ପୁଲିସ୍‍ ସନ୍ଦେହ କରୁଛି। ଏ ଯାବତ୍‍ କାହାରିକୁ ଗିରଫ କରାଯାଇନଥିଲେ ମଧ୍ୟ ଖୁବଶୀଘ୍ର ଚୋର ପାଖରେ ପହଞ୍ଚିବ ବୋଲି ସଦର ଥାନା ପୁଲିସ୍‍ କହିଛି।

ଏହା ଏକ ସର୍ବପୁରାତନ ଓ ପ୍ରସିଦ୍ଧ ମନ୍ଦିର। ଏଠାରେ ଅଷ୍ଟଧାତୁରେ ନିର୍ମିତ ଶ୍ରୀଲକ୍ଷ୍ମୀ, ଶ୍ରୀନୃସିଂହ, ରାଧାକୃଷ୍ଣ, ପତିତପାବନ, ଶାଳଗ୍ରାମ ପ୍ରଭୃତି ପୂଜା ପାଉଛନ୍ତି। ଗତ ରାତିରେ ମୁଖ୍ୟ ପୂଜକ ଗଙ୍ଗାଧର ପଣ୍ଡା ପୂଜା ବଢ଼ାଇ ଘରକୁ ଯାଇଥିଲେ। ଆଜି ଭୋର୍‍ରୁ ପହିଲିଭୋଗ ନୀତି କରିବା ପାଇଁ ମନ୍ଦିର ଆସିଥିବା ବେଳେ ସେ ଏହି ଅଘଟଣ ଘଯିଥିବା ଦେଖି ଥିଲେ। ମଙ୍ଗଳବାର ଓ ଶନିବାର ପ୍ରବଳ ଭିଡ଼ ହୋଇଥାଏ। ଆଜି ମଙ୍ଗଳବାର ଥିବାରୁ ସକାଳୁ ସକାଳୁ ଭକ୍ତଙ୍କର ଭିଡ଼ ହୋଇଥିଲା। ଭକ୍ତମାନେ ସମସ୍ୟାରେ ପଡ଼ିଲେ ଏଠାକୁ ଆସି ସମାଧାନର ବାଟ ପାଇଥାନ୍ତି। କିନ୍ତୁ ତାଙ୍କୁ ହିଁ ଚୋର ଉଠାଇ ନେବା ଘଟଣାକୁ ଭକ୍ତମାନେ ବିଶ୍ୱାସ କରି ପାରିନାହାନ୍ତି। ମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ଜେନା, ସଦାଶିବ ପଲାଇ ପ୍ରମୁଖ ତୁରନ୍ତ ତଦନ୍ତ କରି ଚୋରକୁ ଗିରଫ କରିବାକୁ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର