ଓଏଏସ୍ ସ୍ତରରେ ଅଦଳବଦଳ : ୭ ମାସ ପରେ ପୂରଣ ହେଲା ଆୟୁଷ ନିର୍ଦ୍ଦେଶକ ପଦବି
ବରିଷ୍ଠ ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ମିଳିଲା ଦାୟିତ୍ବ
ଭୁବନେଶ୍ବର : ଦୀର୍ଘ ୭ ମାସ ପରେ ଆୟୁଷ୍ ନିର୍ଦ୍ଦେଶକ ପଦବି ସରକାର ପୂରଣ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଯୋଜନା ଓ ସଂଯୋଜନ ବିଭାଗରେ ସ୍ବତନ୍ତ୍ର ଶାସନ ସଚିବ ଥିବା ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆୟୁଷ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୯ ମସିହା ଅଗଷ୍ଟ ମାସରେ ଆୟୁଷ୍ ନିର୍ଦ୍ଦେଶକ ଭାବେ ବରିଷ୍ଠ ଓଏଏସ୍ ଅଶ୍ବିନୀ ମିଶ୍ରଙ୍କ ବଦଳି ହେବା ଦିନଠାରୁ ଏହି ପଦବି ଖାଲି ପଡ଼ିଥିଲା। ଏହାସହିତ ବରିଷ୍ଠ ଓଏଏସ୍ ସ୍ତରରେ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜ୍ଞପ୍ତି ଅନୁଯାୟୀ, ଭୁବନାଜସ୍ବ ବିଭାଗର ଅତିରିକ୍ତ ରିଭିଜନାଲ କୋର୍ଟ-୨ରେ ଅତିରିକ୍ତ କମିସନର ଥିବା ବରିଷ୍ଠ ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ବର ଚକବନ୍ଦୀ କମିସନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ବିଜ୍ଞାନ ଓ ବୈଷୟିକ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଲକ୍ଷ୍ମୀଧର ଦାସଙ୍କୁ ବାଲେଶ୍ବର ଭୂ-ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିବା ରେମିଶ୍ କେରକାଟ୍ଟାଙ୍କୁ ବ୍ରହ୍ମପୁରର ଭୂ-ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ଭାବେ ଅବସ୍ଥାପିତ କରାଯାଇଛି।
ମୟୂରଭଞ୍ଜ ସାରସକଣା ବିଡିଓ ଥିବା ସୁନାକର ଶର୍ମାଙ୍କୁ କରଞ୍ଜିଆ ଆଇଟିଡିଏର ପିଏ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବିଜନ୍ କୁମାର ତହମ୍ବାଙ୍କୁ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି(ପ୍ରଶାସନ) ଭାବେ ଦାୟିତ୍ବ ଦିଆଯାଇଛି। ଶ୍ରୀ ତହମ୍ବାଙ୍କୁ ପୂର୍ବରୁ କନ୍ଧମାଳ ବାଲିଗୁଡ଼ା ଆଇଟିଡିଏର ପିଏ ଅଧିକାରୀ ଭାବେ ବଦଳି କରାଯାଇଥିଲା। କିନ୍ତୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ ପୂର୍ବ ଆଦେଶକୁ ରଦ୍ଦ କରାଯାଇଥିବା ଦର୍ଶାଯାଇଛି।