ଓଡ଼ିଆ ବିଶ୍ବବିଦ୍ୟାଳୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ : ବିନା ଗଛକଟାରେ ହେବ ନିର୍ମାଣ କାର୍ଯ୍ୟ

ଜମି ଅଧିଗ୍ରହଣରେ ଅର୍ଥ ସାଜିଛି ବାଧକ, ଆବଶ୍ୟକ ୩୦ କୋଟି, ମଞ୍ଜୁର ହୋଇଛି ୫ କୋଟି

ପୁରୀ : ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣକାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିନା ଗଛକଟାରେ ପାଚେରି ଓ ଗୃହ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ସ୍ଥିରୀକୃତ ହୋଇଥିବା ଜାଗାର ମୂଲ୍ୟ ୩୦ କୋଟି ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟ‌େର ୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବକୁଳବନରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଅଗ୍ରଗତି ସଂପର୍କିତ ସମୀକ୍ଷା ବୈଠକ ରବିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ୍ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରାଥମିକ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ପାଇଁ ପାଚେରି, ପ୍ରଶାସନିକ କାର୍ଯ୍ୟାଳୟ ଓ ‌ଷ୍ଟାଫ୍ କ୍ବାର୍ଟସ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଅଟକଳ ରିପୋର୍ଟ ଦେବା ଲାଗି ପୂର୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ତେବେ ବିଶ୍ବବିଦ୍ୟାଳୟ ନିର୍ମାଣରେ ଜାଗା ମାଲିକାନା ପରିବର୍ତନ ପ୍ରତିବନ୍ଧକ ସାଜିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଆଇନଗତ ବିଚାରବିମର୍ଶ ପରେ ଜମିର ମାଲିକାନା ପରିବର୍ତନ ହେବ ଓ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ବକୁଳବନର ସୌନ୍ଦର୍ଯ୍ୟ ଓ ପୂର୍ବ ଗାରିମାକୁ ବଞ୍ଚାଇ ରଖିବା ପାଇଁ ସ୍ଥିରୀକୃତ ଜାଗାରେ ବିନା ଗଛକଟାରେ ପାଚେରି ଓ ଗୃହ ନିର୍ମାଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବକୁଳବନଠାରେ ୨୮.୭୪ ଏକର ଜାଗାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ୯ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ଲାଗି ଆବଶ୍ୟକ ଜମି ଉଚ୍ଚଶିକ୍ଷା ବିଭାଗ ନାଁରେ ପଞ୍ଜୀକରଣ ଆବଶ୍ୟକ ଥିବାବେଳେ ଆଜି ପର୍ଯ୍ୟନ୍ତ ଜାଗାର ମାଲିକାନା ପରିବର୍ତନ ହୋଇ ପାରିନାହିଁ। ଏ ପରିପ୍ରେକ୍ଷୀରେ ଯଥାଶୀଘ୍ର ଜମି ମାଲିକାନା ପରିବର୍ତନ ପ୍ରକ୍ରିୟା ସାରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସ୍ଥିରୀକୃତ ଜାଗାର ମୂଲ୍ୟ ବର୍ତମାନ ପ୍ରାୟ ୩୦ କୋଟି ଟଙ୍କା ହୋଇଥିବାବେଳେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଏଥି ପାଇଁ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୂରା ଟଙ୍କା ମଞ୍ଜୁର ପରେ ଜମିର ମାଲିକାନା ପରିବର୍ତନ ହେବ ହେବ ବୋଲି ଜଣାପଡ଼ିଛି। ତଥାପି ବିଶ୍ବବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ପୂର୍ବରୁ ଏହାର ପରିସୀମା ଅଧିଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ଖର୍ଚ୍ଚ ଅଟକଳ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଆବଶ୍ୟକ ଅର୍ଥ ଯୋଗାଇ ଦେବ ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ଗୌରବମୟ ପ୍ରଧାନ, ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର