ଗୃହରେ ଚାରା ଦୁର୍ନୀତି ଝଡ଼ : ପ୍ରଶ୍ନକାଳ ପୁଣି ଉଡ଼ିଗଲା, ପ୍ରଥମାର୍ଦ୍ଧ ୬ ମିନିଟ୍‌ରେ ସୀମିତ ରହିଲା

ଗୃହରେ ମୁହୂର୍ତକ ପାଇଁ କୋରମ୍‌ ଅଭାବ , ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବାହାରେ ଶାସକ ଦଳ ବିଧାୟକ ଦାମୋଦର ରାଉତ ଚାରା ଦୁର୍ନୀତି କଥା ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ସେହି ଦୁର୍ନୀତି ଆଜି ବିଧାନସଭା ଭିତରେ ଝଡ଼ ରୂପ ରୂପ ନେଇଥିଲା। ଝଡ଼ର ବେଗ ଏତେ ପ୍ରଖର ଥିଲା ଯେ ପ୍ରଥମାର୍ଦ୍ଧ ଅଚଳ ହୋଇଗଲା। ଲଗାତର ଷଷ୍ଠ ଦିନ ପାଇଁ ପ୍ରଶ୍ନକାଳ ଉଡ଼ିଗଲା। ଝଡ଼ ସାମ୍ନାରେ ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ନିଷ୍ପ୍ରଭ ହୋଇଗଲା। ମାତ୍ର ୬ ମିନିଟ୍‌ରେ ସୀମିତ ରହିଲା ପ୍ରଥମାର୍ଦ୍ଧ।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇପଡ଼ିଲେ। କୃଷି ବିଭାଗର ଚାରା ଦୁର୍ନୀତି ସାଂଘାତିକ ବୋଲି ଆରୋପ ଲଗାଇଥିଲେ। ଆଖି ପିଛୁଳାକେ ସେମାନେ ଗୃହର ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେପି ସଭ୍ୟ ବି ମଧ୍ୟ ଭାଗକୁ ଆସିଗଲେ। ଚାରା ଦୁର୍ନୀତିରେ କୃଷି ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ସଭ୍ୟ ଦାବି କରିଥିଲେ। ଓମ୍‌ଫେଡ୍‌ ଓ ସମବାୟ ସ୍କାମ୍‌ କଥା ଉଠାଇ ବିଜେପି ସଭ୍ୟ ନାରାବାଜି କରିଥିଲେ। ମାତ୍ର ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ।

୧୧ଟା ୩୦ରେ ପୁଣି ସମାନ ସ୍ଥିତି ସୃଷ୍ଟି ହେଲା। କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାରଙ୍କ ବିରୋଧରେ ଗର୍ଜଲେ। ଚାରା ଘୋଟାଲା କଲା କିଏ, କୃଷି ମନ୍ତ୍ରୀ ଆଉ କିଏ…, ରାଜ୍ୟ ସରକାର ହାଏ ହାଏ…ଏମିତି ନାରାରେ ଗୃହ କମ୍ପିଲା। ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତି ଶୂନ୍ୟକାଳ ଆରମ୍ଭ କରି ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମାଙ୍କୁ କହିବାକୁ ସୁଯୋଗ ଦେଲେ। ସେ ଅଭିଯୋଗ କରିଥିଲେ, ବିଜେପି ସଭ୍ୟମାନେ ଶିଳ୍ପାୟନ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶିଳ୍ପ କରିଡର୍‌ରେ ଓଡ଼ିଶାର ସ୍ଥାନ ନାହିଁ। ତୁରନ୍ତ ଓଡ଼ିଶାକୁ ସେଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ଦାବି କରିଥିଲେ।

ତେବେ ବିରୋଧୀଙ୍କ ହୋହଲ୍ଲା ଏତେ ତୀବ୍ର ଥିଲା ଯେ ସଞ୍ଜୟଙ୍କ କଥା ଗୃହରେ ଶୁଣାଯାଇ ନ ଥିଲା। ତାଙ୍କ ପରେ ଶାସକ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ କହିବା ପାଇଁ ଠିଆ ହୋଇଥିଲେ ବି ତାଙ୍କ କଥା ବି ଶୁଣାଯାଇ ନ ଥିଲା। ବାଚସ୍ପତି ଗୃହ କାର୍ଯ୍ୟ ଚଳାଇ ରଖୁଥିବାରୁ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ଶେଷରେ ୧୧ଟା ୩୫ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ, କୃଷି ମନ୍ତ୍ରୀ ଗୃହରେ ନିଜ ବିଭାଗର ଦୁର୍ନୀତି କଥା ମାନିଛନ୍ତି। ତେଣୁ ମନ୍ତ୍ରୀ ସେହି ଦୁର୍ନୀତି ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓ ଆଗକୁ ଦୁର୍ନୀତି ନ ହେବା ପାଇଁ କି ପ୍ରତିକାର ବ୍ୟବସ୍ଥା କରିଛନ୍ତି, ତାହା ଗୃହ ଜାଣିବାକୁ ଚାହୁଁଛି। ବିଜେପି ସଭ୍ୟ ରବି ନାଏକ କହିଲେ, ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଦା କରି ଦେଉଥିଲେ। କିନ୍ତୁ ଏବେ ଦୁର୍ନୀତି କଥା ଉଠିଲେ ପାଟି ଫିଟାଉ ନାହାନ୍ତି। କୃଷି ବିଭାଗ ସହ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ଏଠାରେ ଦୁର୍ନୀତି ଅଭିଯୋଗ ସାଂଘାତିକ। ଚାରା ଦୁର୍ନୀତି ସହ ଓମ୍‌ଫେଡ୍‌ ଓ ସମବାୟ ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରୁଛି।

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ଦୁର୍ନୀତିର ତଦନ୍ତ ଚାଲିଛି। ଯିଏ ଦୋଷୀ ତାହା ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଗୃହ ଅଚଳ କରିବା ବିରୋଧୀ ଦଳର ଏକ ମାନିଆ ହୋଇଗଲାଣି। ସେହିପରି ବିଜେଡି ମୁଖପାତ୍ର ସମୀର ଦାଶ କହିଥିଲେ, ବିରୋଧୀ ଦଳ ଯେ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ସରକାର ସେଥିରେ ରାଜି ଅଛନ୍ତି। କିନ୍ତୁ ତାହାକୁ ଉପଯୁକ୍ତ ଫୋରମ୍‌ରେ ଅଣାଯାଉ। ସବୁବେଳେ ପ୍ରଶ୍ନକାଳ କରାଇ ନ ଦେବା ନିନ୍ଦନୀୟ। ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ।

ଗୃହରେ ମୁହୂର୍ତକ ପାଇଁ କୋରମ୍‌ ଅଭାବ

ଭୁବନେଶ୍ୱର : ଆଜି ଅପରାହ୍ଣ ୩ଟାରେ ଗୃହ ଆରମ୍ଭ ହୋଇଥିଲା। ସେତେବେଳକୁ ଗୃହରେ କୋରମ୍‌(୧୪ ସଦସ୍ୟଙ୍କଠାରୁ କମ୍‌) ଅଭାବ ଥିବା ଲକ୍ଷ୍ୟ କରି ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଘଣ୍ଟି ବଜାଇବାକୁ ନିର୍ଦେଶ ଦେଇଥିଲେ। ଘଣ୍ଟି ବି ବାଜିଲା। କିନ୍ତୁ ତତ୍‌କ୍ଷଣାତ୍‌ କୋରମ୍‌ ଅଭାବ ଦୂର ହୋଇଥିଲା। ତେବେ ଆଲୋଚନା ଚାଲିବା ସତ୍ତ୍ୱେ ଗୃହରେ ଉପସ୍ଥିତ ସଦସ୍ୟଙ୍କ ସଂଖ୍ୟା ୧୮ରୁ ୨୦ ମଧ୍ୟରେ ସୀମିତ ଥିଲା।

ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ଗୃହର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭାଗୀୟ ଅତିରିକ୍ତ ଖର୍ଚଦାବି ଉପରେ ଆଲୋଚନା ସରିଛି। ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଆସନ୍ତା ୧୭ ତାରିଖ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତିି। ଆସନ୍ତାକାଲି ଗଣେଶ ପୂଜା ଏବଂ ୧୪ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇଁ ମହାସମାରୋହରେ ପାଳିତ ହେବ। ଆସନ୍ତା ସୋମବାର ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ।

ସମ୍ବନ୍ଧିତ ଖବର