ଆଜିଠୁ ବିଧାନସଭା : ଆରମ୍ଭରୁ କମ୍ପିବ ଗୃହ

ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ: ମୁଖ୍ୟମନ୍ତ୍ରୀ

୩ ଦଳର ବିଧାୟକ ଦଳର ରଣନୀତି ଚୂଡାନ୍ତ
ଚାଷୀ ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ଘେରିବେ ବିରୋଧୀ
ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗରେ ବି ଗୃହରେ ଉଠିବ ସ୍ବର
ବିଧାୟକଙ୍କ ହାତପାଣ୍ଠି ୧ କୋଟିରୁ ୨ କୋଟି କରିବାକୁ ପ୍ରସ୍ତାବ
ଗ୍ରିନ୍‌ ଏନର୍ଜି ସେସ୍‌ ରାଜ୍ୟକୁ ଦେବାକୁ ପ୍ରସଙ୍ଗ କରିବ ଶାସକ ଦଳ
୨୦୨୧ ଜନଗଣନାରେ ଓବିସିଙ୍କ ଗଣନା ପାଇଁ ଗୃହରେ ଆସିବ ସଂକଳ୍ପ
ଅନୁଦାନ କମିବା ନେଇ ମଧ୍ୟ କେନ୍ଦ୍ର ବିରୋଧରେ ସ୍ବର ଉଠାଇବ ବିଜେଡି

ଭୁବନେଶ୍ବର : ଲମ୍ବା ଅବଧି, ପ୍ରସଙ୍ଗ ବି ଅନେକ। ଆସନ୍ତାକାଲିଠୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଆଜି ବିରୋଧୀଦଳ ସରକାରଙ୍କୁ ଗୃହରେ ବିଭିନ୍ନ ପ୍ରସଙ୍ଗରେ ଜବାବ ମାଗିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଧାନ ମଣ୍ଡିରେ ଟୋକନ୍‌ ବ୍ୟବସ୍ଥା ଯୋଗୁଁ ଚାଷୀ ହନ୍ତସନ୍ତ ହେଉକି ମହିଳା ସୁରକ୍ଷା ପ୍ରସଙ୍ଗ, ଏସବୁକୁ ନେଇ ଶୀତ ଅଧିବେଶନ ପରି ଏଥରକ ବଜେଟ୍‌ ଅଧିବେଶନରେ ବି ଗୃହରେ ଅଚଳବସ୍ଥା ସୃଷ୍ଟି କରିପାରନ୍ତି ବିରୋଧୀ ସଦସ୍ୟ। ଅନ୍ୟପଟେ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ଗୃହରେ ଶାସକ ଦଳ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ହୋଇଛି। ୨୦୨୧ ଜନଗଣନା ବେଳେ ପଛୁଆ ବର୍ଗ (ଓବିସି)ଙ୍କ ଗଣନା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସର୍ବସମ୍ମତି କ୍ରମେ ଗୃହରେ ସଂକଳ୍ପ ଆଣିବ ବୋଲି ବିଜେଡି ବିଧାୟକ ଦଳ ବୈଠକରେ ସ୍ଥିର କରାଯାଇଛି।

ବିଜେପି ବିଧାୟକ ଦଳ ବୈଠକ

ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତାଲିଠାରୁ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ବଜେଟ୍‌ ଏହି ଅଧିବେଶନରେ ଆସିବାକୁ ଥିବାରୁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ଏହି ଅଧିବେଶନରେ ବିରୋଧୀ ଯାହା ପ୍ରଶ୍ନ ଉଠାଇବେ ସେସବୁର ଉତ୍ତର ଦିଆଯିବ। ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବଜେଟ୍‌ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟ ଦିବସ ରହିଛି। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍‌ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ଏହି ଅଧିବେଶନରେ କୌଣସି ବିଲ୍‌ ଆସିବା ନେଇ ଅଦ୍ୟାବଧି ସ୍ଥିର ହୋଇନାହିଁ। ଗ୍ରିନ୍‌ ଏନର୍ଜି ସେସ୍‌ ବାବଦରେ କେନ୍ଦ୍ର ସରକାର ରାଜ୍ୟରୁ ବାର୍ଷିକ ୫୫ ହଜାରରୁ ୬୦ ହଜାର କୋଟି ପାଉଛନ୍ତି। ଏହାର ଅଂଶ ରାଜ୍ୟକୁ ଦେବାକୁ ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଥିଲେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି। ଏହି ଅଧିବେଶନରେ ସେ ନେଇ ସ୍ବର ଉଠାଯିବ।

ବିଶ୍ବସ୍ତସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବିଧାୟକଙ୍କ ହାତପାଣ୍ଠିକୁ ୧ କୋଟିରୁ ୨ କୋଟି କରିବାକୁ ସବୁ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ସଦସ୍ୟମାନଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ସେହିପରି ଉଚ୍ଚଶିକ୍ଷା ପ୍ରଦାନ କରୁଥିବା କଲେଜ୍‌ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। କୌଣସି ପ୍ରସଙ୍ଗରେ ଗୃହରେ ଭୋଟିଂ ବେଳେ ଶାସକଦଳର ସମସ୍ତ ବିଧାୟକ ଯେପରି ଉପସ୍ଥିତ ରହିବେ ସେ ନେଇ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍‌ କରିଥିଲେ।

କଂଗ୍ରେସ ବିଧାୟକ ଦଳ ବୈଠକ

ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ହନ୍ତସନ୍ତ, ବିଭିନ୍ନ ରେଳ ପ୍ରକଳ୍ପ ବାବଦରେ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ, ବିପର୍ଯ୍ୟୟ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ସୂଚନା ଅଧିକାର କର୍ମୀଙ୍କୁ ଯୋଜନା ବଦ୍ଧ ହତ୍ୟା ପରି ଅନେକ ପ୍ରସଙ୍ଗରେ ଶାସକ ଦଳକୁ କାଠ ଗଡ଼ାରେ ଛିଡ଼ା କରିବାକୁ ଦଳ ପ୍ରସ୍ତୁତ ହୋଇଛି। ଶ୍ରୀ ମାଝୀ କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଓଡ଼ିଶାକୁ ଦିଆଯାଇଛି। ଫନି ବାତ୍ୟା ସମୟରେ ଭାଙ୍ଗିଯାଇଥିବା ୩ ଲକ୍ଷ ୮୯ ହଜାର ଘର ପାଇଁ ୩ ହଜାର ୩୩୮ କୋଟି ରିଲିଫ୍‌ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ସେହି ଅର୍ଥକୁ ବିନିଯୋଗ କରିପାରିଲେ ନାହିଁ। ସେହିପରି ଗତ କିଛି ଦିନରେ ରାଜ୍ୟରେ ୨ ଜମ ସୂଚନା ଅଧିକାର କର୍ମୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି। ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଥିବା ସୂଚନା ଅଧିକାର କର୍ମୀମାନଙ୍କୁ ହତ୍ୟା କରାଯାଉଥିବା ବେଳେ ପୁଲିସ ହାତବାନ୍ଧି ବସିଛି। ଅପରାଧୀଙ୍କ ବିରୋଧରେ ପୁଲିସ ନରମଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏହାର ଜବାବ ଗୃହରେ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ବିଧାୟକ ଦଳ ବୈଠକ ଆରମ୍ଭରେ ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ବିଧାୟକ ଦଳ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଧାୟକ ଦଳ ବୈଠକ ନେଇ ଶ୍ରୀ ମିଶ୍ର ସୂଚନା ଦେଇ କହିଥିଲେ, ଚଳିତ ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ଟୋକନ୍‌ ବ୍ୟବସ୍ଥା କାଳ ହୋଇଛି। ଟୋକନ୍‌ ମିଳିଥିବା ଚାଷୀଠୁ ବି ଧାନ କିଣାଯାଉନି। ମଣ୍ଡିରେ ଦଲାଲ୍‌ମାନଙ୍କ ରାଜୁତି ଚାଲୁଛି। ମିଲର୍‌ମାନେ ଧାନ କିଣା ସମୟରେ ମଣ୍ଡିକୁ ଆସିପାରିବେ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରାୟ ସବୁ ଜିଲ୍ଲାରେ ଖୋଲାଯାଇଥିବା ମଣ୍ଡିମାନଙ୍କରେ ମିଲର୍‌ମାନଙ୍କୁ ଦେଖିବାକୁ ମିଳୁଛି। ସରକାରୀ ଅଧିକାରୀଙ୍କ ଜାଣତରେ ସେମାନେ ଚାଷୀଙ୍କଠାରୁ କମ୍‌ ଦରରେ ଧାନ କିଣୁଛନ୍ତି। ଏ ପ୍ରସଙ୍ଗକୁ ନେଇ ଗୃହକୁ ଓହ୍ଲାଇବ କଂଗ୍ରେସ। କେବଳ ସେତିକି ନୁହେଁ, ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନ ଦ୍ବିପହରରେ ଚୋରି ହେଉଛି ପୁଲିସ ଚୋରକୁ ଧରିପାରୁନି। ସାଇବର କ୍ରାଇମ୍‌ ବଢ଼ି ବଢ଼ି ଚାଲୁଛି ଅଥଚ ଗୋଟିଏ ବି ଘଟଣାରେ ଅପରାଧୀ ଧରାପଡ଼ୁନାହାନ୍ତି। ଥାନାକୁ ଅଭିଯୋଗ କରିବାକୁ ଗଲେ ଅଭିଯୋଗକାରୀଙ୍କୁ ଉପଯୁକ୍ତ ବ୍ୟବହାର ମିଳୁନି। ମୋ ସରକାର କାର୍ଯ୍ୟକ୍ରମ ସବୁଠି ଫେଲ୍‌ ମାରିଛି। ପିସି କାରବାର ଏବେ ପଞ୍ଚାୟତ, ବ୍ଲକ୍‌ ସ୍ତରରେ ପୂର୍ବଭଳି ଚାଲୁଛି। ଏ ନେଇ ସରକାରଙ୍କୁ ଉଦାହରଣ ବି ଦେବାକୁ ଦଳ ପ୍ରସ୍ତୁତ ଅଛି। ବେକାରୀ ସମସ୍ୟା ଉତ୍କଟ ଓ ଦାଦନ ସମସ୍ୟ ଦୂର କରିବାକୁ ସରକାରଙ୍କ ଯୋଜନା କେବଳ କାଗଜ କଲମରେ ଚାଲଛି। ଜଗନ୍ନାଥଙ୍କ ଜମି କହି ଶହଶହ ବର୍ଷର ସ୍ଥିତିବାନ୍ ସମ୍ପତ୍ତିକୁ ସରକାରୀ ଖାତାକୁ ଅଣାଯାଇଛି। ଏ ନେଇ ପ୍ରମାଣ ଦେଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି କିନ୍ତୁ ସରକାର ଲୋକଙ୍କୁ ଜମି ଫେରସ୍ତ କରୁନାହାନ୍ତି। ରାଜ୍ୟରେ ବନ୍ଦୋବସ୍ତ ବସୁନାହିଁ। ବିଭିନ୍ନ ତହସିଲ ଅଧନୀରେ ଶହଶହ ଏକର ସରକାରୀ ଜମି ଜବରଦଖଲ ହେବାରେ ଲାଗିଛି। ପଟ୍ଟା ସଂଶୋଧନ ନ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସବୁ ପ୍ରସଙ୍ଗରେ ସରକାରଙ୍କୁ ଗୃହରେ ଉତ୍ତର ମଗାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ବିଜେଡି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ବିଜେପି ବିଧାୟକ ଦଳ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତିଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକରେ ଜଣେ ଦୁଇଜଣ ବିଧାୟକଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର