ଭୁବନେଶ୍ୱର: ମେଘାଳୟର କୋଇଲା ଖଣି (ଇଷ୍ଟଜୟନ୍ତିଆ ହିଲ୍)ରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଭୁବନେଶ୍ୱର ଅଗ୍ନିଶମ ସେବା ସଂସ୍ଥାର ଟିମ୍ ଉପରେ ଅତର୍କିତ ଆକ୍ରମଣ ହେବା ପରେ ଆଜି ସୁରକ୍ଷା ଯୋଗାଇ ଦିଆଯାଇଛି। କ୍ୟାମ୍ପ ରୁ ଖଣି ପର୍ଯ୍ୟନ୍ତ ପ୍ରାୟ ୬୦ କିମି ରାସ୍ତାରେ ବସକୁ ପୁଲିସ ଏକ ସ୍ୱତନ୍ତ୍ର ଭ୍ୟାନ୍ ଜରିଆରେ ସୁରକ୍ଷା ଯୋଗାଇଛି। ଗତ କାଲି ୯ଟାରେ ଘଟଣାସ୍ଥଳରୁ ଏକ ଘରୋଇ ବସ୍(ଡାଲ୍ମିଆ)ରେ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଅତିର୍କିତ ଭାବେ ଟେକା ପଥର ଫିଙ୍ଗିବାରୁ ବସ୍ର କାଚ ଭାଙ୍ଗି ଯାଇଥିଲା। ତେବେ କେଉଁ କାରଣ ପାଇଁ ଏଭଳି ଅତର୍କିତ ଆକ୍ରମଣ କରାଗଲା, ସେ ନେଇ ଅଦ୍ୟାବଧି ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ମେଘାଳୟର ଏହି କୋଇଲା ଖଣିରେ କେତେକ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ପାଣି ପଶି ଯାଇଥିଲା। ଫଳରେ ଅନେକଙ୍କର ଜୀବନ ଯାଇଥିବା ବେଳେ କେତେକ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶାରୁ ୨୨ ଜଣ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଯାଇଛନ୍ତି। ସେମାନଙ୍କ କ୍ୟାମ୍ପଠାରୁ ଘଟଣାସ୍ଥଳ ପାଖାପାଖି ୬୦ କିଲୋମିଟର ଦୂର ହୋଇଥିବାରୁ ଯିବା ଆସିବା ପାଇଁ ସେଠାରେ ତାଙ୍କୁ ଏହି ଘରୋଇ ବସ୍ ଯୋଗାଇ ଦିଆଯାଇଛି।