ମେଧାବୃତ୍ତି, ଭାଷାବୃତ୍ତି ଓ ଲାପ୍‌ଟପ୍‌ ବଣ୍ଟନ ଆରମ୍ଭ

‘ଆହୁରି ପଢ଼, ପରିଶ୍ରମ କର, ମୁଁ ସାଥିରେ ଅଛି’, ସ୍କୁଲ, ଶିକ୍ଷକ ଓ ପିତାମାତାଙ୍କୁ ବି ସମ୍ମାନିତ କଲେ, ଦେଶରେ ପ୍ରଥମ: ଓସ୍‌ୱାନ୍‌ରେ ଯୋଡ଼ିହେଲା ସବୁ ବ୍ଲକ୍‌

ଭୁବନେଶ୍ବର : ‘‘ଆଜି ମେଧାବୃତ୍ତି ପାଇଛ ଖୁସି ତ? ମୁଁ ବି ବହୁତ ଖୁସି। ସମସ୍ତଙ୍କୁ ଅଭିନନ୍ଦନ। ଆହୁରି ପଢ଼, କଠିନ ପରିଶ୍ରମ କର। ତମେମାନେ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼। ମୁଁ ତୁମମାନଙ୍କ ସାଥିରେ ଅଛି। ତୁମ ବାପମା’ଙ୍କ ଆଶୀର୍ବାଦ, ତୁମ ଶିକ୍ଷକମାନଙ୍କ ଆଶୀର୍ବାଦ ବି ତମ ସାଥିରେ ଅଛି।’ ମେଧାବୃତ୍ତି, ଲାପ୍‌ଟପ୍‌ ପାଇଥିବା ଛାତ୍ରଛାତ୍ରୀମାନଙ୍କ ସହିତ କଥୋପକଥନ ଅବସରରେ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସାରା ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ଉପସ୍ଥିତ ଥିବା ବିଦ୍ୟାଳୟ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି, ଭଲ ପ୍ରଦର୍ଶନ କରିଥିବା ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ସମ୍ବର୍ଧନ‌ା ଜ୍ଞାପନ କରିବା ସହିତ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଣ୍ଟନ କରିଥିଲେ। ୨୦୧୭ ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ସେତେବେଳେ ସେ ୫ଟି ପୁରସ୍କାର ଘୋଷଣା କରିଥିଲେ। ତଦନୁଯାୟୀ ଆଜି ୩୫୪୯୦ଜଣଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ୩୫୪୯ଜଣଙ୍କୁ ଓଡ଼ିଆ ଭାଷାବୃତ୍ତି ପ୍ରଦାନ କରାଯାଇଛି। ଏହା ସହିତ ବିଜୁ ସଶକ୍ତୀକରଣ ଯୋଜନାରେ ଯୁକ୍ତ ଦୁଇରେ ଭଲ ପ୍ରଦର୍ଶନ କରିଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପ୍‌ ଟପ୍‌ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ମେଧାବୃତ୍ତି ବାବଦରେ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏ ବାବଦରେ ୧୭.୭୫ କୋଟି ଖର୍ଚ କରାଯାଉଛି। ଓଡ଼ିଆ ଭାଷାବୃତ୍ତି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ହିସାବରେ ମୋଟ ୧.୭୭ କୋଟି ଖର୍ଚ ବ୍ୟବସ୍ଥା କରାଯାଇଛି। ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦୬୧ ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ହିସାବରେ ୧୦.୬୧ କୋଟି ପ୍ରଦାନ କରାଯାଉଛି। ଏହା ସହିତ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ପୁରସ୍କାର ପାଇବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାମାନେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ଦେଶରେ ପ୍ରଥମ ଥର ପାଇଁ ଆଜି ରାଜ୍ୟର ସବୁ ବ୍ଲକ ଓସ୍‌ୱାନ ବ୍ୟବସ୍ଥା ସହିତ ସଂ‌ଯୁକ୍ତ ହୋଇଛି। ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଜରିଆରେ ଥ୍ରି-ଟି କାର୍ଯ୍ୟ ତ୍ବରାନ୍ବିତ ହେବ। ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ। ଭିଡିଓ କନ୍‌ଫରେନ୍ସି ଯୋଗେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଫଳରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ ଓ ରାଜ୍ୟ ସଚିବାଳୟ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇପାରିଛି।

ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର