ଦୂର ହେଲା ଅଚଳାବସ୍ଥା : ଲୋକାୟୁକ୍ତ ଝଡ଼ରେ ଉଡ଼଼ିଯାଇଥିଲା ପ୍ରଥମାର୍ଦ୍ଧ, ସର୍ବଦଳୀୟ ବୈଠକରେ ବାହାରିଲା ସମାଧାନର ସୂତ୍ର

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଦିନ ପାଇଁ ଲୋକାୟୁକ୍ତ ଝଡ଼ ବିଧାନସଭା ଆଲୋଚନାକୁ ଠପ୍‌ କରିଦେଇଛି। ଗତକାଲି ପରି ଆଜି ବି ଝଡ଼ର ବେଗ ବେଶ୍‌ ପ୍ରଖର ଥିଲା। ଗୃହର ପ୍ରଥମାର୍ଦ୍ଧ ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା ଏହି ପ୍ରସଙ୍ଗରେ। ଗୋଟିଏ ମିନିଟ୍‌ ଗୃହ ଚାଲିବା ସମ୍ଭବ ହୋଇ ନ ଥିଲା। ଦ୍ୱିତୀୟାର୍ଦ୍ଧରେ କିନ୍ତୁ ସର୍ବଦଳୀୟ ବୈଠକ ଡକାଗଲା ପରେ ସ୍ଥିତିରେ ପରିବର୍ତ୍ତନ ହୋଇଥିଲା। ଆଲୋଚନା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ କହିଥିଲେ, ସରକାର ଲୋକାୟୁକ୍ତ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଗୃହରେ ସ୍ପଷ୍ଟୀକରଣ ରଖିବେ। ମନ୍ତ୍ରୀଙ୍କ ଏହି ଧାଡିକ ଉତ୍ତର ଗୃହର ପୁଣି ସ୍ୱାଭାବିକ ଆଡକୁ ଟାଣିନେଇଥିଲା। ଏଥିସହିତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହୋଇଥିଲା।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଦାବି କରିଥିଲେ, ଲୋକାୟୁକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଗୃହକୁ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ଆସି ଉତ୍ତର ଦେବାକୁ ଚିତ୍କାର କରିଥିଲେ ବିରୋଧୀ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ବିରୋଧୀ ଦଳ ସଭ୍ୟମାନଙ୍କୁ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା। ବରଂ ସେମାନେ ସ୍ୱରକୁ ଆହୁରି ଶାଣିତ କରିଥିଲେ। ଫଳରେ ଉପବାଚସ୍ପତି ଗୋଟିଏ ମିନିଟ୍‌ ପୂରିବା ଆଗରୁ ଗୃହକୁ ସିଧା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଗୃହ ବାହାରେ ଗଣମାଧ୍ୟମକୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଦୁର୍ଭାଗ୍ୟର କଥା ହେଲା ଓଡ଼ିଶା ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀ ଅର୍ଥାତ ନିଜେ ମୁଖ୍ୟମନ୍ତ୍ରୀ ସରକାରଙ୍କ ମତ ଗୃହରେ ଉପସ୍ଥାପିତ ନ କରି ଅନ୍ୟ ଦ୍ୱାରା ସେ ମତ ଉପସ୍ଥାପନ କରୁଛନ୍ତି। ଆହୁରି ଦୁର୍ଭାଗ୍ୟ ହେଲା ଆଜି ଦୁଇଟି ଗଣମାଧ୍ୟମରେ ସରକାରୀ ଦଳ ମୁଖ୍ୟ ସଚେତକ ମତ ପ୍ରକାଶ ପାଇଛି। ଏଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବଙ୍କ ସତ୍ୟପାଠ ସଂଶୋଧନ କରିବା ଲାଗି ସୁପ୍ରିମକୋର୍ଟରେ ଦରଖାସ୍ତ କରାଯିବ। ଅର୍ଥାତ ସ୍ୱୀକାର କରୁଛନ୍ତି ଯେ ସତ୍ୟପାଠରେ ଭୁଲ୍‌ ଅଛି। ଏହାକୁ ଗୃହରେ ସ୍ୱୀକାର କରିବାରେ ଅସୁବିଧା କ’ଣ?

ଅନ୍ୟପଟରେ ଗୃହରେ ଅଚଳାବସ୍ଥା ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ବିଧାୟକ ସଞ୍ଜୟ ଦାସବର୍ମା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଚାମ୍ବର୍‌କୁ ଯାଇ ଆଲୋଚନା କରିଥିଲେ।

ପରେ ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିଲା। ସର୍ବଦଳୀୟ ବୈଠକ ଜାରି ରହିଥିବାରୁ ୪ଟାରୁ ୪ଟା ୧୦, ପୁଣି ୪ଟା ୧୦ରୁ ୪ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।

୪ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଆମେ ଗ୍ରହଣ କରିବାକୁ ବାଧ୍ୟ। ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ମୋର ଯଥେଷ୍ଟ ସମୟ ଅଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ଦୁଇଟି ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାକୁ ସରକାର ପରୀକ୍ଷା କରି ଗୃହରେ ତଥ୍ୟ ରଖନ୍ତୁ। ସମସ୍ତେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମାନିବା ଉଚିତ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସର୍ବୋଚ୍ଚ ନ୍ୟାଳୟର ନିର୍ଦ୍ଦେଶକୁ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ସରକାର ଏ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଗୃହରେ ସ୍ପଷ୍ଟୀକରଣ ରଖିବେ। ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ଖର୍ଚ୍ଚଦାବି ଆଲୋଚନା ଆଲୋଚନା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର