୪୦୦ ଅବହେଳିତ ଗ୍ରାମ ସ୍ୱୟଂସମ୍ପୂର୍ଣ୍ଣ ହେବ : ଆଜି ମୟୂରଭଞ୍ଜର ହରିପୁର ଗ୍ରାମରୁ ଆରମ୍ଭ

କେନ୍ଦ୍ର ସରକାରଙ୍କ ଯୋଜନାରୁ ଲାଭ ପାଇବେ ଗ୍ରାମବାସୀ

ଭୁବନେଶ୍ୱର : ଦେଶର ୨୧ ହଜାର ଅବହେଳିତ ଗ୍ରାମକୁ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କାର୍ଯ୍ୟକ୍ରମରେ ସାମିଲ୍‌ କରାଯିବ। ଏଥିରେ ଓଡ଼ିଶାରୁ ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମ ଭାବେ ଘୋଷଣା କରାଯିବ। ଆସନ୍ତା ୨୯ ତାରିଖ ରବିବାର ଦିନ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ। ସେହିଦିନ ଶ୍ରୀ ପ୍ରଧାନ ହରିପୁର ଗ୍ରାମରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଅନ୍ୟାନ୍ୟ ଅବହେଳିତ ଗ୍ରାମଗୁଡ଼ିକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ତଦାରଖ କରିବେ।

ଯୋଜନାରେ ସାମିଲ୍‌ ହୋଇଥିବା ଗ୍ରାମଗୁଡ଼ିକରେ ସମସ୍ତଙ୍କ ଘରେ ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ୍‌ ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ପ୍ରତି ପରିବାରକୁ ମାଗଣାରେ ବିଜୁଳି ପ୍ରଦାନ କରାଯିବ। ପ୍ରତି ଘରେ ଜନଧନ ଆକାଉଣ୍ଟ୍‌ ସହ ସୁରକ୍ଷା ଓ ଜୀବନ ବୀମା ପ୍ରଦାନ କରାଯିବ। ମିସନ୍‌ ଇନ୍ଦ୍ରଧନୁଷ ଯୋଜନାରେ ଗାଁରେ ରହୁଥିବା ପ୍ରତ୍ୟେକ ମା’ ଓ ଶିଶୁକୁ ମାଗଣା ଟୀକାକରଣ କରାଯିବ। ଏଥି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଏହି ସମସ୍ତ ଅବହେଳିତ ଗ୍ରାମରେ ପହଞ୍ଚାଯିବ ବୋଲି ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି, ଭୃଗୁ ବକ୍ସିପାତ୍ର ଓ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର