ମାନବାଧିକାର ଉଲ୍ଲଂଘନ ହେଲେ ଶୁଣିବ କିଏ ? : ଅଚଳ ହୋଇଗଲା ଆୟୋଗ

ଅଭିଯୋଗ ଆସୁଛି, ଶୁଣିବାକୁ ବିଚାରକ ନାହାନ୍ତି, ବିଚାର ଅପେକ୍ଷାରେ ୧୦ହଜାର ମାମଲା

ଭୁବନେଶ୍ୱର : ଓଡ଼ିଶାରେ ଏବେ ମାନବାଧିକାର କ୍ଷୁଣ୍ଣ ହେଲେ ଶୁଣିବାକୁ କେହି ନାହାନ୍ତି। ଅଭିଯୋଗ ପତ୍ର ଦାଖଲ କରିପାରିବେ ସତ। କିନ୍ତୁ ତାହା ତଦନ୍ତ ପରିସରକୁ କେବେ ଆସିବ ସେଥିରେ କୌଣସି ନିଶ୍ଚିତତା ନାହିଁ। ଆୟୋଗଙ୍କ କାର୍ଯ୍ୟାଳୟ ଅଛି। ହେଲେ ବିଚାର କରିବାକୁ ବିଚାରକ ନାହାନ୍ତି। ମାନବାଧିକାର ଆୟୋଗରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଜଷ୍ଟିସ୍‌ ବୀରକିଶୋର ମିଶ୍ରଙ୍କର ଗତ ଅଗଷ୍ଟ ୧୫ରୁ କାର୍ଯ୍ୟକାଳ ପୂରିବା ପରେ ଆୟୋଗ ଯେମିତି ଏକ ସାଇନ୍‌ବୋର୍ଡ ପାଲଟିଯାଇଛି।

ପରିସଂଖ୍ୟାନ କହୁଛି,ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର କେସ୍‌ ବିଚାର ନହୋଇ ପଡ଼ି ରହିଛି। ତା’ର ଭାଗ୍ୟ ଫିଟିବ କି ନାହିଁ, ଏହି ଫାଇଲ କେବେ ଖୋଲିବ ତାହା କହିବା ମୁସ୍କିଲ୍‌। ଅନ୍ୟପକ୍ଷରେ ପ୍ରତିଦିନ ଆୟୋଗକୁ ହାରାହାରି ୩୦ରୁ ୩୫ ଅଭିଯୋଗ ଆସୁଛି। ଏହାକୁ ହିସାବ କଲେ ଗତ ଅଗଷ୍ଟ ୧୫ ତାରିଖରୁ ଏପର୍ଯ୍ୟନ୍ତ ପାଖାପାଖି ୫୦୦ରୁ ଅଧିକ ଅଭିଯୋଗ ଆସି ପହଞ୍ଚିଛି। ସେଗୁଡ଼ିକର ବିଚାର କରିବାକୁ କେହି ନାହାନ୍ତି।

ଉଲ୍ଲେଖଯୋଗ୍ୟ, ମାନବାଧିକାର ଆୟୋଗରେ ଜଣେ ଅଧ୍ୟକ୍ଷ ଏବଂ ଦୁଇଜଣ ସଦସ୍ୟ ରହିବାର ନିୟମ ରହିଛି। ଦୁଇ ସଦସ୍ୟଙ୍କ ମଧ୍ୟରୁ ଜଣେ ବିଚାର ବିଭାଗୀୟ ସଦସ୍ୟ ଏବଂ ଅନ୍ୟ ସଦସ୍ୟ ଜଣକ ମାନବାଧିକାର ସମ୍ପର୍କରେ ଜ୍ଞାନ ଥିବା ବ୍ୟକ୍ତିବିଶେଷ ହୋଇଥିବା ଆବଶ୍ୟକ। କିନ୍ତୁ ୨୦୦୩ରୁ ଏପର୍ଯ୍ୟନ୍ତ ମାନବାଧିକାର ସମ୍ପର୍କରେ ଜ୍ଞାନ ଥିବା କୌଣସି ବ୍ୟକ୍ତି ସଦସ୍ୟ ହୋଇନାହାନ୍ତି। ଏମିତି କି ଓଡ଼ିଶା ମାନବାଧିକାର କମିସନରେ ୨୦୧୨ ମସିହା ପରଠୁ ସ୍ଥାୟୀ ଅଧ୍ୟକ୍ଷ ବି ନାହାନ୍ତି। ଜଷ୍ଟିସ୍‌ ରାଧାକୃଷ୍ଣ ପାତ୍ରଙ୍କ କାର୍ଯ୍ୟକାଳ ପୂରିବା ପରେ ଆୟୋଗରେ ଏ ପର୍ଯ୍ୟନ୍ତ କାହାକୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇନାହିଁ। ୨ଜଣ ସଦସ୍ୟରେ କାମଚଳା ଭାବେ ଚାଲିଥିଲା। ୨୦୧୫ ଏପ୍ରିଲ୍‌ ୨୮ ତାରିଖରେ ପୂର୍ବତନ ମୁଖ୍ୟ ଶାସନସଚିବ ବିଜୟ ପଟ୍ଟନାୟକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତା’ ପରଠୁ ଜଷ୍ଟିସ୍‌ ମିଶ୍ର ଏକୁଟିଆ ୩ ବର୍ଷ ହେଲା କାର୍ଯ୍ୟ ତୁଲାଇ ଆସୁଥିଲେ। କିନ୍ତୁ ଅଗଷ୍ଟ ୧୫ରୁ ଆୟୋଗ ପୂରା ଫାଙ୍କା।

ସ୍ଥିତି ଏମିତି ହୋଇଛି ଯେ, ଯଦି ମାନବାଧିକାର ଉଲ୍ଲଂଘନ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟେ, ତେବେ ଆୟୋଗ ପକ୍ଷରୁ ସୋ ମୋଟୋ କେସ୍‌ କରାଯାଇପାରିବ ନାହିଁ। ଏଥିପାଇଁ ୨ ଜଣିଆ ଡିଭିଜନ୍‌ ବେଞ୍ଚ୍‌ର ଆବଶ୍ୟକତା ଥିବାରୁ ଏହା ସମ୍ଭବ ହେବ ନାହିଁ ବୋଲି ମାନବାଧିକାର ମାମଲା ଲଢୁଥିବା ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି। ଶ୍ରୀ କାନୁନ୍‌ଗୋଙ୍କ ସୂଚନା ମୁତାବକ, ଗୃହ ବିଭାଗ ମନ୍ତ୍ରୀ, ବିଧାନସଭା ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ଆୟୋଗ ପାଇଁ ଅଧ୍ୟକ୍ଷ ଓ ସଦସ୍ୟ ବାଛିବେ। କିନ୍ତୁ ଦୀର୍ଘ ୫ବର୍ଷରୁ ଊର୍ଧ୍ୱ ସମୟ ଧରି ଅଧ୍ୟକ୍ଷ ତ ନାହାନ୍ତି, ପୁଣି ସଦସ୍ୟ ପଦବି ଫାଙ୍କା ହେବା ପରେ ମଧ୍ୟ ସମ୍ପୃକ୍ତ କମିଟି ଏଥିପ୍ରତି ନଜର ଦେଇନାହିଁ।

ସମ୍ବନ୍ଧିତ ଖବର