ସ୍ୱତନ୍ତ୍ର ଓଜେଇଇ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ୁଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ସିଟ୍‌ ଯେମିତି ଖାଲି ନ ରହିବ, ନିର୍ଧାରିତ ସମୟ ପୂର୍ବରୁ ନାମଲେଖା ସରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ସ୍ୱତନ୍ତ୍ର ଓଜେଇଇ କରିବାକୁ ନିଷ୍ପତ୍ତି ହୋଇଛି।

ଜେଇଇ ମେନ୍‌ ର‍୍ୟାଙ୍କ ପ୍ରକାଶ ପାଇବା କ୍ଷଣି କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ଜୁଲାଇ ୩୦ ସୁଦ୍ଧା କାଉନ୍‌ସେଲିଂ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଶେଷ କରି ଅଗଷ୍ଟ ୧୪ ଭିତରେ କଲେଜସ୍ତରରେ ନାମଲେଖା ସାରିବାକୁ ସ୍ଥିର ହୋଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ୁଥିବାରୁ ଚଳିତବର୍ଷ ମଧ୍ୟ ସ୍ୱତନ୍ତ୍ର ଓଜେଇଇ କରାଯିବ। କାଉନ୍‌ସେଲିଂ ପ୍ରକ୍ରିୟାରେ ନାମଲେଖା ସରିବା ପରେ ସିଟ୍‌ ଖାଲି ପଡ଼ୁଥିବାରୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ପ୍ରତିବର୍ଷ ହାଇକୋର୍ଟ ଯାଉଥିବାରୁ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି। ନାମଲେଖା ଶେଷ ହେବା କ୍ଷଣି ସ୍ୱତନ୍ତ୍ର ଓଜେଇଇ କରିବାକୁ ସ୍ଥିର ହୋଇଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ନାମଲେଖା ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ପଲିସି ପ୍ଲାନିଂ ବଡି ବୈଠକ ବସିବ। ନାମଲେଖା ପ୍ରକ୍ରିୟା କେତେ ବାଟ ଆଗେଇଲା? କେବେଠାରୁ କାଉନସେଲିଂ ଆରମ୍ଭ ହେବ? କେବେ ପର୍ଯ୍ୟନ୍ତ ଚାଲିବ? କେଉଁ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ? ସେନେଇ ବୈଠକରେ ଆଲୋଚନା କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ। ଓପେକା ସମ୍ପାଦକ ବିନୋଦ ଦାସଙ୍କ କହିବାନୁଯାୟୀ ଏଥର ସ୍ୱତନ୍ତ୍ର ଜେଇଇ କରିବାକୁ ରାଜ୍ୟ ସରକାର ଆଗୁଆ ନିଷ୍ପତ୍ତି ନେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଜେଇଇ ପକ୍ଷରୁ କାଉନ୍‌ସେଲିଂ ପ୍ରକ୍ରିୟା ଯେତେ ଶୀଘ୍ର ଶେଷ ହେବ ସେତେ ଭଲ। ଅଧିକରୁ ଅଧିକ ପିଲା ନାମଲେଖାର ସୁଯୋଗ ପାଇବେ। ଆଉ ବାରମ୍ବାର କୋର୍ଟକୁ ଦୌଡ଼ିବାକୁ ପଡ଼ିବ ନାହିଁ।

୨୦୧୮ରେ ଇଞ୍ଜିିନିୟରିଂ ସମେତ ମେଡିକାଲ ଓ ପ୍ରଫେସ୍‌ନାଲ ପାଠ୍ୟକ୍ରମରେ ନାମଲେଖା କିଭଳି ହେବ ସେନେଇ ଆଜି ବୈଷୟିକ ଶିକ୍ଷା ବିଭାଗର ପଲିସି ପ୍ଲାନିଂ ବଡିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କ ସମେତ ଓଜେଇଇ ଅଧ୍ୟକ୍ଷ, ଡିଏମ୍‌ଇଟି ନିର୍ଦେଶକ, ଓପେକା ସମ୍ପାଦକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର