ଫସଲ ବୀମା ପାଇଁ କମ୍ପିଲା ବିଧାନସଭା
ମନ୍ତ୍ରୀ କହିଲେ ୮ରେ ହେବ ଉଚ୍ଚସ୍ତରୀୟ ଆଲୋଚନା, ଅସନ୍ତୁଷ୍ଟ କଂଗ୍ରେସ ଓ ବିଜେପି ସଭ୍ୟଙ୍କ କକ୍ଷତ୍ୟାଗ
ଭୁବନେଶ୍ୱର : କିଏ କେନ୍ଦ୍ର ସରକାରଙ୍କ ନୀତିକୁ ଦୋଷ ଦେଲେ ତ ଆଉ କିଏ ରାଜ୍ୟ ସରକାରଙ୍କୁ। କିଏ ଘରୋଇ ବୀମା କମ୍ପାନି ବିରୋଧରେ ଗର୍ଜନ ତର୍ଜନ କଲେ, ଆଉ କିଏ ସମାଲୋଚନା କରିଥିଲେ ବୀମା ରାଶି ପ୍ରଦାନ ନେଇ ବ୍ୟାଙ୍କର ଟାଳଟୁଳ ନୀତିକୁ।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କୁ କୃଷି ବୀମା ରାଶି ପ୍ରଦାନ ପ୍ରସଙ୍ଗରେ ଆଜି ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବକୁ ନେଇ ବିଧାନସଭାରେ ଏଭଳି ଢଙ୍ଗରେ ସଭ୍ୟମାନେ ତମ୍ବିତୋଫାନ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ନେଇ ଏହି ପ୍ରସଙ୍ଗରେ ତର୍କ ବିତର୍କ ହୋଇଥିଲେ ହେଁ, ମୁଲତବୀ ପ୍ରସ୍ତାବ ଆଲୋଚନା ଶେଷରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ମନ୍ତ୍ରୀ ଠୋସ୍ ଉତ୍ତର ଦେଉନାହାନ୍ତି କି ଉଠାଯାଇଥିବା ପ୍ରଶ୍ନର ଜବାବ ମିଳୁନାହିଁ ବୋଲି ଅଭିଯୋଗ କରି ବିରୋଧୀ ଦଳ ସଭ୍ୟମାନେ ପ୍ରତିବାଦରେ କକ୍ଷ ତ୍ୟାଗ କରିଥିଲେ।
‘କୃଷି ବୀମା ରାଶି ପାଇବାରୁ ବଞ୍ଚିତ ଓଡ଼ିଶା କୃଷକ। ଚାଷୀ ସ୍ୱାର୍ଥ ସୁରକ୍ଷା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ।’ ଶୀର୍ଷକରେ ଆଜି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ଏକ ବୈଧାନିକ ପ୍ରଶ୍ନ ଛଳରେ ଆଲୋଚନାରେ ଭାଗ ନେଇଥିଲେ ବି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି କାର୍ଯ୍ୟକ୍ରମର ଭଣ୍ଡାଫୋଡ କରିଥିଲେ। ସିଧା ସିଧା କହିଥିଲେ, ବୀମା ଆକଳନ ନେଇ ସମବାୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହାକୁ ଗୃହ ବୁଝିପାରୁନାହିଁ। ସାଧାରଣ ଚାଷୀ କେମିତି ବୁଝିବ? ରାଜ୍ୟ ସରକାର ସତକୁ ଲୁଚାଇବାକୁ ପ୍ରବଳ ଉଦ୍ୟମ କରିଛନ୍ତି। ଏହି ଘଟଣା ସୂଚାଇ ଦେଇଛି ଯେ ଏ ସରକାର ଚାଲୁନି। ଅଚଳାବସ୍ଥା ସୃୃଷ୍ଟି ହେଲାଣି। କ୍ଷତିଗ୍ରସ୍ତ ଅନେକ ପଞ୍ଚାୟତ ତାଲିକାରେ ନାହାନ୍ତି। ଯେଉଁମାନେ ଅଛନ୍ତି, ସେମାନଙ୍କ କ୍ଷତି ଆକଳନ ତାଜୁବ୍ କରିବା ଭଳି। ଏକାଧିକ ପଞ୍ଚାୟତର ଉଦାହରଣ ଦେଇଥିଲେ ଶ୍ରୀ ମିଶ୍ର। ସଭ୍ୟମାନଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସମବାୟ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ, ଅଫିସରଙ୍କ ଭାଷାକୁ ମନ୍ତ୍ରୀ ଯେମିତି କେବଳ ଦସ୍ତଖତ ମାରୁଛନ୍ତି। ବାସ୍ତବିକତା ହେଉଛି, ଭୁଲ ଆକଳନ ଯୋଗୁଁ ଚାଷୀ ଘୋର କ୍ଷତି ସହୁଛି। ୨୦୧୫-୧୬ରେ ବଲାଙ୍ଗୀର ଜିଲ୍ଲାରେ ଏମିତି ଆକଳନ ହୋଇଥିଲା। ପ୍ରଥମେ ୧୦୦ ପ୍ରତିଶତ କ୍ଷତି ଦେଖାଗଲା, ପରେ କୁହାଗଲା, ନରସିଂହ ମିଶ୍ରଙ୍କ ଡରରେ ଲେଖିଦେଲୁ। ସେ ସଂକ୍ରାନ୍ତ କାଗଜପତ୍ର ବି ମିଳିଲାନାହିଁ। ସେହପରି ଘରୋଇ ବୀମା କଂପାନିଙ୍କ ଲାଭଖୋର ମନୋବୃତ୍ତିକୁ ମଧ୍ୟ କଡା ସମାଲୋଚନା କରିଥିଲେ। କେତେକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କିଭଳି ଅର୍ଥ ପୈଠ କରୁନାହାନ୍ତି, ସେ ତଥ୍ୟ ବି ମନ୍ତ୍ରୀ ରଖିଥିଲେ।
ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ନବ କିଶୋର ଦାସ, ଡାକ୍ତର ପ୍ରଫୁଲ୍ଲ ମାଝୀ, ତାରା ପ୍ରସାଦ ବାହିନୀପତି ପ୍ରମୁଖ କହିଥିଲେ ଯେ ଚାଷୀ ଅପେକ୍ଷା କରିଛନ୍ତି, ଏ ଗୃହ ତାଙ୍କୁ ନ୍ୟାୟ ସୁରକ୍ଷା ଓ ନ୍ୟାୟ ଦେଉଛି କି ନାହିଁ। କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୋଟ କେବଳ କାନ୍ଦୁଛନ୍ତି। ସେପଟେ ବୀମା ଅର୍ଥ ମିଳୁନାହିଁ, ବିହନ ନାହିଁ, ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ବୀମା କଂପାନି ଗରିବ ଲୋକଙ୍କ ପଇସା ଲୁଟୁଛନ୍ତି ବୋଲି ମଧ୍ୟ ବିଧାୟକମାନେ ଅଭିଯୋଗ କରିଥିଲେ। ସିଧା ସିଧା କହିଥିଲେ, ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେ। ସମବାୟ ମନ୍ତ୍ରୀଙ୍କୁ ଚାଷୀ ବିରୋଧୀ କଲେ, ରାସ୍ତା ଉପରେ ଟାୟାର ଜଳିଲା। ସ୍ଲୋଗାନ ଦେଲେ। ତଥାପି ସରକାରଙ୍କର ନିଦ ଭାଙ୍ଗିବନି। ଚାଷୀକୁ ପ୍ରାପ୍ୟ ମିଳିବନାହିଁ।
ସେହିପରି ଏବଂ ବିଜେପି ସଭ୍ୟ ରବି ନାରାୟଣ ନାୟକ ଓ ପ୍ରଦୀପ ପୁରୋହିତ ଆଲୋଚନାରେ ଭାଗ ନେଇ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ମଧ୍ୟ ନିଜ ମତ ରଖିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟାନ୍ଵୟନ ଉପରେ ପ୍ରଶ୍ନ ଉଠାଇଥିଲେ ବିଧାୟକମାନେ। କହିଥିଲେ, କେବଳ ଅନୁଗୁଳ ଛାଡିଦେଲେ ୨୫% ଅଗ୍ରୀମ ଟଙ୍କା ଆଉ କେହି ପାଇଲେ ନାହିଁ। କୃଷି ଅଧିକାରୀମାନେ ରିପୋର୍ଟ ନ ଦେବାରୁ ଚାଷୀ ଏ ସୁବିଧାରୁ ବଞ୍ଚିତ ହେଲେ। କାହିଁକି ଅନ୍ୟ ଜିଲ୍ଲାର ଚାଷୀଙ୍କୁ ଏହି ସୁବିଧା ମିଳିଲା ନାହିଁ ସେ ନେଇ ସରକାର ଜବାବ ଦିଅନ୍ତୁ। ନିୟମ ଅନୁସାରେ, ଛତିଶଗଡର ଚାଷୀମାନେ ଏହି ବୀମା ରାଶି କେବେଠାରୁ ପାଇସାରିଲେଣି। ଏଠି ଦେବେନି? ବିଧାୟକମାନେ ଆହୁରି ଅଭିଯୋଗ ଆଣିଥିଲେ ଯେ ଯେଉଁଠାରେ ବୀମା କଂପାନି ଅର୍ଥ ଦେଉଛନ୍ତି, ସେଠାରେ ମଧ୍ୟ ଚାଷୀ ପାଇପାରୁନାହିଁ। ବ୍ୟାଙ୍କମାନେ ଋଣ ପରିଶୋଧ ଆଳରେ ଏହାକୁ ମାଡ଼ି ବସୁଛନ୍ତି। ଏମିତି କେମିତି ହେବ? ରାଜ୍ୟ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବେ ବୋଲି କହିଥିଲେ ଦେଲେନି। ଚାଷୀଙ୍କ ବିରୋଧରେ ମାମଲା ବି ରୁଜୁ କରିଥିଲେ। ତାକୁ ତୁରନ୍ତ ଉଠାନ୍ତୁ।
ସରକାରୀ ଦଳ ପକ୍ଷରୁ ବିଧାୟକ ଦେବେଶ ଆଚାର୍ଯ୍ୟ, ଜୀବନ ପ୍ରଦୀପ ଦାସ,ଦିବ୍ୟଶଙ୍କର ମିଶ୍ର ଓ ଯୋଗେନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇଥିଲେ। ଅଭିଯୋଗ ଆଣିଥିଲେ ଯେ ଚାଷୀ ଯେତିକି କ୍ଷତି ସହୁଛି, ସେତିକି ପ୍ରାପ୍ୟ ପାଉନାହିଁ। କ୍ରପ୍ କଟିଂରେ ତ୍ରୁଟି ଓ କ୍ଷତି ଆକଳନରେ ବି। କ୍ଷତିର ସଠିକ୍ ମୂଲ୍ୟାୟନ ନ ହେଲେ ଚାଷୀ ଘୋର କ୍ଷତି ସହିବ। କେବଳ ସେତିକି ନୁହେଁ, ବୀମା କଂପାନିଙ୍କୁ ନିୟନ୍ତ୍ରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ଦରକାର।ଏହି ଯୋଜନାରେ ଥିବା ବ୍ୟବସ୍ଥା ଓ ବାସ୍ତବିକତାର ତୁଳନାତ୍ମକ ଚିତ୍ର ରଖାଯାଇଥିଲା ଗୃହରେ। ବୀମା କଂପାନି କିଭଳି ଲାଭଖୋର ମନୋବୃତି ନେଇ କାମ କରୁଛନ୍ତି, ତାର ଚିତ୍ର ବି ରଖିଥିଲେ ବିଧାୟକମାନେ।
ଆଲୋଚନା ଶେଷରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଆସନ୍ତା ୮ ତାରିଖ ଦିନ ବୀମା ରାଶି ପ୍ରଦାନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବଲାଙ୍ଗୀର, ବରଗଡ ଆଦି ଯେଉଁସବୁ ଜିଲ୍ଲାର ଚାଷୀ ଏହି ରାଶି ପାଇନାହାନ୍ତି, ସେ ନେଇ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ପାହ୍ୟାର ଦୁଇ ଜଣ ଅଧିକାରୀ ବି ରାଜ୍ୟର ଅନୁରୋଧରେ ଯୋଗଦେଉଛନ୍ତି। ଏହି ବୈଠକରେ ସମସ୍ତ ଅସୁବିଧାର ଫଇସଲା କରାଯିବ।
ମନ୍ତ୍ରୀ ଏହି ଅବସରରେ ବିରୋଧୀ ଦଳକୁ ମଧ୍ୟ ସମାଲୋଚନା କରିଥିଲେ। କହିଥିଲେ, ସେମାନେ ଡ୍ରାମା କରୁଛନ୍ତି। ଚାଷୀଙ୍କ ପାଇଁ କିଏ କାମ କରୁଛି ତ ନବୀନ ପଟ୍ଟନାୟକ ସରକାର ହିଁ କେବଳ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ୧୬୩୭ କୋଟି ୪୫ଲକ୍ଷ ଟଙ୍କାର ବୀମା ରାଶି ଚାଷୀକୁ ମିଳିବା କଥା। ଏବେ ସୁଦ୍ଧା ୧୫୯୪ କୋଟି ୬ଲକ୍ଷ ଟଙ୍କା ଦିଆଯାଇଛି। ଏ ନେଇ ଥରେ ନୁହେଁ, ୧୦ ଥର ରାଜ୍ୟ ସରକାର ବୈଠକ କରିଥିବା ସଂପର୍କରେ ମଧ୍ୟ ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ।