ଜଷ୍ଟିସ୍‌ଙ୍କ ଘରେ ପଶିବା ଉଦ୍ୟମ ଘଟଣା : ସରକାର, ସିବିଆଇକୁ ହାଇକୋର୍ଟ ନୋଟିସ୍‌

କଟକ : ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର୍‌.ଦାଶଙ୍କ ବାସଭବନରେ ରାତିଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବା ଘଟଣାକୁ ନେଇ ଆଜି ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ସମେତ ଦଶ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୋଟିସ୍‌ ଜାରି କରିବା ସହ ରାତିଅଧରେ କାହିଁକି ଓ କାହା ଅନୁମତିରେ ବିଚାରପତିଙ୍କ ବାସଭବନରେ ସିବିଆଇ ଅଧିକାରୀମାନେ ପଶିବାକୁ ଉଦ୍ୟମ କରିଥିଲେ ସେସଂପର୍କରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ କରାଯିବ।

ଅନ୍ୟପଟେ ଏହି ଘଟଣାକୁ ନେଇ ଗଲା ବୁଧବାରଠାରୁ ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି।

ଆଜି ଦିନ୧୧ଟା ୩୦ରେ ଆସୋସିଏସନ୍‌ର ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟବନ୍ଦ୍‌ ଆନ୍ଦୋଳନ ସ୍ଥଗିତ ରଖି ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅକ୍ଟୋବର ୧୮ ତାରିଖ ଦିନ ଆସୋସିଏସନର ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ଏବଂ ଏ ପ୍ରସଂଗରେ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ସଂପାଦକ ଉମେଶ ଚନ୍ଦ୍ର ବେଉରା ଦାଖଲ କରିଥିବା ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି ଯେ ଗଲା ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ସାଧା ପୋଷାକରେ ଥିବା କିଛି ବ୍ୟକ୍ତି ଜଷ୍ଟିସ ସି.ଆର୍‌.ଦାଶଙ୍କ ସରକାରୀ ବାସଭବନ ନିକଟରେ ହପଞ୍ଚିଥିଲେ। ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ବିଚାରପତିଙ୍କ ଘରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଗେଟ୍‌ ଖୋଲିବାକୁ କହିଥିଲେ। ଜଣେ ବ୍ୟକ୍ତି ନିଜକୁ ସିବିଆଇ ଇନ୍ସପେକ୍ଟର ପି.କେ.ମିଶ୍ର ଓ ଅନ୍ୟମାନେ ସିବିଆଇ ଦଳର ସଦସ୍ୟ ବୋଲି କହିଥିଲେ। କିନ୍ତୁ ଗେଟ୍‌ରେ ମୁତୟନ ସୁରକ୍ଷା କର୍ମୀ ଏହି ବାସ ଭବନ ଜଷ୍ଟିସ ସି.ଆର୍‌.ଦାଶଙ୍କର ବୋଲି କହିବା ପରେ ମଧ୍ୟ ସିବିଆଇ ଅଧିକାରୀ ସେମାନଙ୍କୁ ଗେଟ୍‌ ଖୋଲିବାକୁ କହିଥିଲେ। ସେହି ସମୟରେ ସେଠାରେ ପହଞ୍ଚି ଥିବା କ୍ୟାଣ୍ଟନମେଣ୍ଟ୍‌ ଥାନା ପିସିଆର ଭ୍ୟାନ୍‌ର କର୍ମଚାରୀ ସିବିଆଇ ଅଧିକାରୀଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେମାନେ କହିଥିଲେ ଯେ ସେମାନଙ୍କ ନିକଟରେ ସର୍ଚ୍ଚ ଓ୍ଵାରେଣ୍ଟ ଅଛି। କାହାକୁ ନ ଜଣାଇ ସେମାନେ ଯେ କୌଣସିି ସ୍ଥାନରେ ଖାନ ତଲାସ କରି ପାରିବେ। ଏହାପରେ ସେମାନଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା ଓ ସେଠାରେ ସେମାନେ ସିବିଆଇ ଅଧିକାରୀ ବୋଲି ଜଣା ପଡିବା ପରେ ଛାଡ଼ିି ଦିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ ନ୍ୟାୟପାଳିକା ପାଇଁ ରହିଥିବା ପ୍ରୋଟୋକଲ ସିବିଆଇ ଅଧିକାରୀ ପାଳନ କରି ନଥିଲେ। ଜଣେ କାର୍ଯ୍ୟରତ ବିିଚାରପତିଙ୍କ ସରକାରୀ ବାସଭବନ ଜାଣିବା ପରେ ମଧ୍ୟ ସିବିଆଇ ଅଧିକାରୀ ରାତି ଅଧରେ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ଜଷ୍ଟିସ ଆଇ.ଏମ୍‌.କୁଦ୍ଦୁସିଙ୍କ ବାସ ଭବନ ଭାବି ସିବିଆଇ ଜଷ୍ଟିସ ସି.ଆର୍‌.ଦାଶଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା ବୋଲି ପରବର୍ତ୍ତୀ ସମୟରେ କୁହାଯାଇଥିଲା। କିନ୍ତୁ ଜଷ୍ଟିସ କୁଦ୍ଦୁସି ୨୦୧୦, ମାର୍ଚ୍ଚ ୨୫ରେ ଓଡିଶା ହାଇକୋର୍ଟରୁ ବଦଳି ହୋଇ ଛତିଶଗଡ ହାଇକୋର୍ଟକୁ ଯାଇଥିଲେ। ଏହା ପରେ ସେ ସରକାରୀ ବାସ ଭବନ ଛାଡି ଦେଇଥିଲେ। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ସବୁ ବିଷୟରେ ଅବଗତ ଥିବା ବେଳେ ସିବଆଇର ଏହି ଦଳ ଏ କଥା ଜାଣି ନାହାନ୍ତି ବୋଲି କହିବା ଗ୍ରହଣୀୟ ନୁହେଁ। ଏପରି ପରିସ୍ଥିତିରେ ସେଦିନ ରାତିରେ ବିଚାରପତିଙ୍କ ବାସଭବନ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିବା ସିବିଆଇ ଅଧିକରୀଙ୍କ ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସଂପୃକ୍ତ ବାସଭବନ ଜଷ୍ଟିସ କୁଦ୍ଦୁସିଙ୍କର ନୁହେଁ ବୋଲି ସୁରକ୍ଷା କର୍ମୀ କହିବା ପରେ ସିବିଆଇ ଅଧିକାରୀ ସକାଳ ଯାଏ ଅପେକ୍ଷା କରି ପାରିଥାନ୍ତେ। ସକାଳେ ହାଇକୋର୍ଟ ରେଜିଷ୍ଟ୍ରି ସହିତ ଯୋଗାଯୋଗ କରି ପାରି ଥାନ୍ତେ। କିନ୍ତୁ ସେମାନେ ଏପରି କରି ନଥିଲେ। ଏହା ସିବିଆଇ ଅଧିକାରୀଙ୍କ ଅପରାଧିକ ଆଚରଣ ଓ ବିଚାରବିଭାଗର ସମ୍ମାନକୁ ପରାଭୂତ କରିବା ପାଇଁ ଉଦ୍ୟମ ବୋଲି କୁହାଯିବ।

ସିବିଆଇ ସତ କଥା ଲୁଚାଇ ହାଇକୋର୍ଟ ଦ୍ୱାରା ଆଲଟ୍‌ କରାଯାଇଥିବା କ୍ୱାର୍ଟର ଖାନ ତଲାସ କରିବା ପାଇଁ ସର୍ଚ୍ଚ ଓ୍ଵାରେଣ୍ଟ ହାସଲ କରିବା ସିଆରପିସିର ଧାରା ୧୦୦ର ଉଲ୍ଲଘଂନ କରୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଉଲ୍ଲଘଂନ କରି ସିବିଆଇ ଅଧିକାରୀ ବିଚାରପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ସିବିଆଇ ମନ୍ଦ ଉଦ୍ଦେଶ୍ୟ ନେଇ ସେ ଦିନ ଆସିଥିଲା ବୋଲି ଏ ସବୁ ଘଟଣାରୁ ସ୍ପଷ୍ଟ ହେଉଛି। ଏଥି ସହିତ ଏଥିରେ ଷଡ଼ଯନ୍ତ୍ର ରହିଥିବା ସନ୍ଦେହ ରହଛି। କେଉଁ ପରିସ୍ଥିତିରେ ସିବିଆଇ ଅଧିକାରୀ ରାତି ଅଧରେ ବିଚାରପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ ଓ ଏହା ପଛରେ ପ୍ରକୃତରେ କି କାରଣ ରହିଛି ତାହା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଗଲେ ସ୍ପଷ୍ଟ ହେବ। ଏଥି ସହିତ ସିବିଆଇ ଅଧିକାରୀଙ୍କ ଉଦ୍ଦେଶ୍ୟ ସଂପର୍କରେ ତଦନ୍ତ କରାଯିବା ଆବଶ୍ୟକ। ଘଟଣାର ତଦନ୍ତ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଯାଉ ନଚେତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ସିିବିଆଇର ନିର୍ଦ୍ଦେଶକ, ଡିଆଇଜି, ଏସପି, ରାଜ୍ୟ ଗୃହ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ହାଇକୋର୍ଟର ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ), ପୁଲିସ କମିସନର, କଟକ ଡିସିପି, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର