ଖାଲି ପଡ଼ିିଛି ଏପିପି ପଦ; ହାଇକୋର୍ଟଙ୍କ ଜବାବ ତଲବ : ଅତିରିକ୍ତ ତାଲିକା ପ୍ରକାଶ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ ଲାଗି ଆବେଦନ

କଟକ : ଖାଲି ପଡିଥିବା ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରସିକ୍ୟୁଟର ପଦ ପୂରଣ ପ୍ରସଂଗକୁ ନେଇ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ୫ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ଗୃହ ବିଭାଗ, ଆଇନ ବିଭାଗ, ରାଜ୍ୟ ଗୃହ ସଚିବ, ଆଇନ ସଚିବ, ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଓ ପବ୍ଲିକ୍‌ ପ୍ରସିକ୍ୟୁସନ୍‌ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ରେ ଓପିଏସସି ପକ୍ଷରୁ ୧୯୨ଟି ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରସିକ୍ୟୁଟର(ଏପିପି) ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭, ଡିସେମ୍ବର ୧୨ରେ ପ୍ରକାଶିତ ଚୂଡାନ୍ତ ତାଲିକାରେ ୧୯୨ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ଗୃହ ବିଭାଗ ଅଧୀନରେ ଏପିପି ଭାବେ କାର୍ଯ୍ୟ କରିବା ପାଇଁ ଏହି କୃତକାର୍ଯ୍ୟ ପ୍ରର୍ଥୀଙ୍କ ନାଁ ଓପିଏସସି ଅନୁମୋଦନ କରି ପଠାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏପିପି ପାଇଥିବା ବହୁ ପ୍ରାର୍ଥୀ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌(ଓଜେଏସ୍‌) ଓ ଅନ୍ୟ କେତେକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଫଳରେ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪୦ରୁ ଅଧିକ ଆଉ ଏପିପି ଚାକରିରେ ଯୋଗ ଦେଇ ନଥିଲେ। ଏପରି ପରିସ୍ଥିତିରେ ବହୁ ଏପିପି ପଦବି ଖାଲି ପଡି ଥିବାରୁ ଏପିପି ନିଯୁକ୍ତି ପାଇଁ ଓପିଏସସି ଅତିରିକ୍ତ ତାଲିକା ପ୍ରକାଶ କରିବାକୁ ମାମଲାରେ ଅନୁରୋଧ କରାଯାଇଛି। ବର୍ତ୍ତମାନ ଖାଲି ପଡିଥିବା ଏପିପି ପଦ ପୂରଣ ପାଇଁ ଓପିଏସସି ୨୦୧୭ରେ ଅନୁଷ୍ଠିତ ପରୀକ୍ଷା ଆଧାରରେ ଅତିରିକ୍ତ ତାଲିକା ପ୍ରକାଶ କରିବା ଆବଶ୍ୟକ। କିନ୍ତୁ ଏ ପ୍ରସଂଗରେ ଓପିଏସସି ଓ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର