ତେଲ ଉପରେ ଛତିଶଗଡ଼ର ବ୍ୟାରେଜକୁ କଂଗ୍ରେସର ବିରୋଧ : ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ

ପ୍ରଭାବିତ ହେବ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲା

ଭୁବନେଶ୍ୱର : ମହାନଦୀ ପରେ ତେଲ ନଦୀ ଉପରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ କଂଗ୍ରେସର ବିରୋଧ କରିଛି। ଏହାଦ୍ୱାରା ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ପ୍ରଭାବିତ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତର୍କ କରାଇବା ସହିତ ମହାନଦୀ ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗକୁ ସାମିଲ କରିବା ପାଇଁ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ମହାନଦୀ ଉପରେ ଦାଦାଗିରି ଦେଖାଇ ଛତିଶଗଡର ରମଣ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏକାଧିକ ବ୍ୟାରେଜ ନିର୍ମାଣ କରିଛି। ଏବେ ଏହାର ଶାଖା ନଦୀ ତେଲ ଉପରେ ବ୍ୟାରେଜ ନିର୍ମାଣ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମଠାରୁ ପ୍ରାୟ ୫୦୦ ମିଟର ଦୂରରେ ତେଲ ଓ ବରାହି ନଦୀର ସଙ୍ଗମ ସ୍ଥଳରେ ଏହି ବୃହତ ବ୍ୟାରେଜ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ଛତିଶଗଡ ସରକାର ନିଜ ରାଜ୍ୟର ପ୍ରାୟ ୩ହଜାର ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ମଂଜୁର କରାଯାଇଛି। ଛତିଶଗଡର ଏକ ଘରୋଇ କମ୍ପାନି ଅମିତ କନ୍‌ଷ୍ଟ୍ରକସନକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲା ଗୁରୁତର ଭାବେ ପ୍ରଭାବିତ ହେବ। ଏବେ ଖରାଦିନେ ମହାନଦୀ ଶଯ୍ୟା ସଂପୂର୍ଣ୍ଣ ଶୁଖିଲା ପଡୁଥିବାବେଳେ ତେଲ ନଦୀରେ ମଧ୍ୟ ଟୋପାଏ ପାଣି ତଳକୁ ଆସିବ ନାହିଁ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ବ୍ୟାରେଜ ପ୍ରସଙ୍ଗ ଜାଣିବା ପରେ ବି ଓଡ଼ିଶା ସରକାର ନିରବ ରହିଥିବା ନେଇ ଶ୍ରୀ ପଟ୍ଟନାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାଜ୍ୟର ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଖୁସି ଅଛନ୍ତି ବୋଲି କହିଛନ୍ତି। ପିସିସି ସଭାପତି କହିଛନ୍ତି, ଛତିଶଗଡ ସରକାର ଏହି ପ୍ରକଳ୍ପ କଲେ ନଦୀକୂଳ ଅଂଚଳରେ ବାସ କରୁଥିବା ମତ୍ସ୍ୟଜୀବୀ ଓ କୃଷକ ଜୀବନ ଜୀବିକା ହରାଇବେ। ତା’ ସହିତ ପାନୀୟ ଜଳର ମଧ୍ୟ ଘୋର ଅଭାବ ଦେଖାଦେବ। ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକର ବହୁ ଗ୍ରାମ ଜଳପ୍ଳାବିତ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ବନ୍ଧରୁ ଜଳ ନିଷ୍କାସନ ନିମନ୍ତେ କୋଣସି ବାଟ ରଖାଯାଇନାହିଁ। ସେଠାରୁ କୋଣସି କେନାଲ ବ୍ୟବସ୍ଥା କରାଯାଉନାହିଁ। ଭୂତଳ ପାଇପ ଦେଇ ଛତିଶଗଡର ଜମିକୁ ଜଳସେଚିତ କରାଯିବ। ଏହି ପ୍ରକଳ୍ପ ପାଇଁ ଦୀର୍ଘଦିନ ତଳୁ ଯୋଜନା ପ୍ରସ୍ତୁତି ସହିତ କାମ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ଏ ସମ୍ପର୍କରେ ଜାଣିନପାରିବା, ଜାଣିବା ପରେ ବିରୋଧ ନକରି ନିରବ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଚୋର ଯିବାପରେ ନିଦ ଭାଙ୍ଗିବା ଭଳି ମହାନଦୀରେ ଛତିଶଗଡ ବୃହତ ବ୍ୟାରେଜ କରିସାରିବା ପରେ ଓଡ଼ିଶା ସରକାର ଏହାକୁ ନେଇ ହୋ ହଲ୍ଲା କରୁଛନ୍ତି ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଛତିଶଗଡର ଏଭଳି ଦାଦାଗିରିକୁ କଂଗ୍ରେସ ଦୃଢ ବିରୋଧ କରୁଛି। ନଦୀଜଳ ଉପରେ ଏକଚାଟିଆ ନୀତି ବନ୍ଦ କରିବା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର