ଓଟିଇଟି ପରୀକ୍ଷାଫଳ ପ୍ରକାଶିତ: ୨୪ ପ୍ରତିଶତ ପାସ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ଆଜି ପ୍ରକାଶ ପାଇଛି। ଏଥିରେ ସାମଗ୍ରିକ ପାସ୍‌ ହାର୨୪ ପ୍ରତିଶତ ରହିଛି। ଏହି ପରୀକ୍ଷାଫଳ ବୋର୍ଡର ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍‌ଧ ହେଇଛି। ଚଳିତବର୍ଷ ଓଟିଇଟି ପେପ୍‌ର-୧ରେ ୫୫ହଜାର ୧୫୪ଜଣ ଫର୍ମପୂରଣ କରିଥିବା ବେଳେ ୫ହଜାର ୨୫୩ଜଣ ପ୍ରାର୍ଥୀ ବିଭିନ୍ନ କାରଣରୁ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ପେପର-୧ରେ ଜଣେ ପ୍ରାର୍ଥୀ ଏମ୍‌ପି ହୋଇଥିବା ବେଳେ ୧୩ହଜାର ୬୦୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ପାସ୍‌ ହାର ୨୪.୬୭ ପ୍ରତିଶତ ହୋଇଛି।

ସେହିପରି ପେପର୍‌-୨ରେ ଫର୍ମପୂରଣ କରିଥିବା ୩୯ ହଜାର ୭୦୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ହଜାର ୪୮୧ଜଣ ଅନୁପସ୍ଥିତ ଥିବା ବେଳେ ଜଣେ ଏମ୍‌ପି ହୋଇଛନ୍ତି। ଏଥିରେ ୯ହଜାର ୭୧୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପ୍‌ର-୨ରେ ପାସ୍‌ ହାର ୨୪.୪୮ପ୍ରତିଶତ ହୋଇଛି। ଦୁଇଟି ଯାକ ପେପର୍‌ରେ ମୋଟ ୯୪ହଜାର ୮୬୫ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ଏମ୍‌ପି, ୯ହଜାର ୭୩୪ଜଣ ଅନୁପସ୍ଥିତ ରହିଥିବା ବେଳେ ୨୩ ହଜାର ୩୨୨ ଜଣ ପାସ୍‌ କରିଛନ୍ତି। ସାମଗ୍ରିକ ପାସ୍‌ ହାର ୨୪.୫୮ ପ୍ରତିଶତ ରହିଛି। ଏହି ପରୀକ୍ଷାର ଫାଇନାଲ ସ୍କୋରିଂ କି ସମେତ ସ୍କାନ ହୋଇଥିବା ଓଏମ୍‌ଆର୍‌ ସିଟ୍‌ ବୋର୍ଡର ଓ୍ଵବ୍‌ସାଇଟ୍‌ରେ ୭ଦିନ ପାଇଁ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ନିଜ ରୋଲ୍‌ ନମ୍ବର କ୍ଲିକ୍‌ କରି ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର